ଭୁବନେଶ୍ୱର: ଓଡ଼ିଶାର ମାତ୍ର ୮ ବର୍ଷୀୟ ଚେସ୍ ଖେଳାଳି ପ୍ରଜ୍ଞାନ ମିଶ୍ର ୬୪ ଘରର ଚେସ୍ ବୋର୍ଡରେ ପ୍ରତିଭା ଦେଖାଇ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ୱେଷ୍ଟ ଏସିଆନ୍ ୟୁଥ୍ ଚେସ୍ ଚାମ୍ପିଅନସିପ୍ ରେ ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି । ସେ ଏହି ପ୍ରତିଯୋଗିତାର ଅଣ୍ଡର-୮ ବ୍ଲିଜ୍ କାଟେଗୋରୀରେ ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି । ପ୍ରଜ୍ଞାନଙ୍କ କ୍ୟାରିୟରର ଏହା ପ୍ରଥମ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତା ଥିଲା । ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ପ୍ରଜ୍ଞାନ ଚଳିତ ବର୍ଷ ମେ’ ମାସରେ ଅନୁଷ୍ଠିତ ରାଜ୍ୟ ଅଣ୍ଡର୯ ଚେସ୍ ଚାମ୍ପିଅନସିପ୍ରେ ବିଜେତା ହୋଇଥିଲେ । ମାତ୍ର ୮ ବର୍ଷ ବୟସରେ ତାଙ୍କର ଏହି କ୍ରମାଗତ ସଫଳତା ପାଇଁ ରାଜ୍ୟ କ୍ରୀଡ଼ା ଜଗତରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି ।
ଓଡ଼ିଶାର ଅନ୍ୟାନ୍ୟ ଚେସ୍ ପ୍ରତିଭା : ଏଲେନା ମିଶ୍ର ମାତ୍ର ୪ ବର୍ଷ ବୟସରେ ୠଓଊଋ ଅଫିସିଆଲ୍ ରେଟିଂ ପାଇ ସର୍ବକନିଷ୍ଠ ମହିଳା ଚେସ୍ ଖେଳାଳି ଭାବେ ବିଶ୍ୱ ରେକର୍ଡ ଓ ସୁଖ୍ୟାତି ଅର୍ଜନ କରିଛନ୍ତି । କାଣ୍ଡିଡେଟ୍ ମାଷ୍ଟର ସାତ୍ତ୍ୱିକ ସ୍ୱାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଯୁବ ଚେସ୍ ପ୍ରତିଯୋଗିତାରେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି । ସ୍ନେହାସ୍ମିତା ରାମ ଓଡ଼ିଶା ରାଜ୍ୟ ଅଣ୍ଡର-୯ ମହିଳା ବର୍ଗରେ ବିଜେତା ହୋଇ ନିଜ ବିଭାଗରେ ପ୍ରମୁଖ ପ୍ରତିଭା ଭାବେ ଉଭା ହୋଇଛନ୍ତି ।
