ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିକୁ ନେଇ ଆସିଛି ବଡ଼ ରାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦ ଅଧୀନସ୍ଥ ଚକବନ୍ଦି ଆୟୁକ୍ତ । ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାରେ ଥିବା ୨୮.୮୪୦ ଏକର ମୂଲ୍ୟବାନ ଜମିର ବିବାଦୀୟ ଚୂଡ଼ାନ୍ତ ଚକବନ୍ଦୀ ରେକର୍ଡକୁ ରଦ୍ଦ କରାଯାଇଛି । ଏହି ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡଭୁକ୍ତ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୪୫୦ କୋଟି ଟଙ୍କାରୁ ଅଧିକ ହେବ । ୩୦ ଅକ୍ଟୋବର ୨୦୨୬ରେ ଚକବନ୍ଦୀ ସଂଶୋଧନ ଆବେଦନ ମାମଲା ନଂ. ୩୦୩/୨୦୧୬ରେ ଚକବନ୍ଦୀ ଆୟୁକ୍ତ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ।
ଏହି ରାୟକୁ ସ୍ୱାଗତ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ନିରନ୍ତର ଉଦ୍ୟମ କରୁଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟପଟେ ମୂଲ୍ୟବାନ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଓ ଏଭଳି ବିବାଦୀୟ ମାମଲାର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପର୍ଷଦ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ସୂଚନାନୁସାରେ,ଶଙ୍କରପୁର ମୌଜାରେ ଥିବା ଏହି ଜମିକୁ ୧୯୬୨-୬୩ ମସିହାରରେ ଉତ୍ତର ପାର୍ଶ୍ବ ମଠର ତତ୍କାଳୀନ ମହନ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତଦନୁଯାୟୀ, ୧୯୭୭ ମସିହାର ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଚକବନ୍ଦି ପ୍ରକ୍ରିୟାର ପ୍ରାରମ୍ଭିକ ଜମି ରେଜିଷ୍ଟରରେ ମଧ୍ୟ ମହାପ୍ରଭୁଙ୍କ ନାମ ରହିଥିଲା।
ତେବେ ୨୦୧୦ ମସିହାରେ ପୁରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ବଳରେ ଏହି ଜମି ମହନ୍ତଙ୍କ ନାମରେ ରେକର୍ଡ ହୋଇଥିଲା। ଆର୍.ଆର୍.ସି. ମାମଲା ନଂ. ୬୬/୨୦୧୦ରେ ମାତ୍ର ୨୬ ଦିନ ମଧ୍ୟରେ ଏହି ପରିବର୍ତ୍ତନ କରାଯାଇଥିଲା। ମନ୍ଦିର ପ୍ରଶାସନର ଅଗୋଚରରେ ମହାପ୍ରଭୁଙ୍କ ନାମକୁ ରେକର୍ଡରୁ ବାଦ୍ ଦିଆଯାଇଥିବା ବେଳେ ୨୦୧୩ରେ ମହନ୍ତଙ୍କ ନାମରେ ପଟ୍ଟା ପ୍ରସ୍ତୁତ ହୋଇଥିଲା । ଏହି ଘଟଣା ସହ ସମ୍ପୃକ୍ତ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅତୀତରେ ସରକାରୀ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିଲା ।
ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୬ ମସିହାରେ ଚକବନ୍ଦି ଆୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରାଯାଇଲା। ବିଚାର ସମୟରେ ଆୟୁକ୍ତ ଜାଣିବାକୁ ପାଇଥିଲେ ଯେ, ଜମିର ରେକର୍ଡ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସକ ଓ ଦେବୋତ୍ତର ଆୟୁକ୍ତଙ୍କୁ ଆବଶ୍ୟକ ନୋଟିସ୍ ଦିଆଯାଇ ନଥିଲା। ଫଳରେ ସେମାନେ ନିଜ ପକ୍ଷ ରଖିବାର ସୁଯୋଗ ପାଇ ନଥିଲେ। ଏହାକୁ ନ୍ୟାୟ ପ୍ରକ୍ରିୟାର ମୌଳିକ ନୀତିର ଉଲ୍ଲଂଘନ ବୋଲି ଆୟୁକ୍ତ ବିବେଚନା କରିଛନ୍ତି। ତେଣୁ ଏହି ଜମି ପୁଣି ଥରେ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
