Latest Odisha News

BREAKING NEWS

କାନାଡା ନିର୍ବାଚନ ମଇଦାନରେ ଗୁଜରାଟୀ

ନୂଆଦିଲ୍ଲୀ: ଅକ୍ଟୋବରରେ ହେବାକୁ ଥିବା କାନାଡା ନିର୍ବାଚନ ଏବେ ଏପ୍ରିଲ ଶେଷରେ ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିର ପ୍ରଭାବ ଦେଶ ଉପରେ ପଡିଛି । ତେଣୁ ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଲିବରାଲ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ତେବେ ବଡ଼ କଥା ହେଲା କାନାଡା ନିର୍ବାଚନ ମଇଦାନକୁ ପ୍ରଥମ ଥର ପାଇଁ ଓହ୍ଲାଇଛନ୍ତି ଗୁଜରାଟୀ ପ୍ରାର୍ଥୀ। ପୂର୍ବରୁ ପଞ୍ଜାବୀଙ୍କର କାନାଡା ରାଜନୀତିରେ ଦବଦବା ରହିଛି । ତେବେ ପ୍ରଶ୍ନ ଉଠୁଛି, ଗୁଜରାଟୀଙ୍କ ପାଇଁ ନିର୍ବାଚନରେ କେତେ ସମ୍ଭାବନା ରହିଛି? ଗୁଜରାଟୀଙ୍କ ପାଖରେ ରହିଛି କି ନିଜର ସ୍ବତନ୍ତ୍ର ଭୋଟବ୍ୟାଙ୍କ?

କାନାଡା ନିର୍ବାଚନରେ ଗୁଜରାଟୀ

କାନାଡା ନିର୍ବାଚନରେ ୪ଜଣ ଗୁଜରାଟୀ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଦଳୀୟ ଟିକେଟରେ ନିର୍ବାଚନ ଲଢୁଥିବା ବେଳେ ଅନ୍ୟ ଦୁଇଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ୨୦୦୧ରେ ଭାରତରୁ କାନାଡା ଆସିଥିଲେ ଜୟେଶ ବ୍ରହ୍ମଭଟ୍ଟ । ପେଶାରେ ସିଭିଲ ଇଞ୍ଜିନିୟର ଜୟେଶ ସମୟକ୍ରମେ ରିୟଲ ଇଷ୍ଟେଟ ବ୍ୟବସାୟୀ ହୋଇଥିଲେ । ସେ ଏଥର ପିପଲ୍ସ ପାର୍ଟିରୁ ନିର୍ବାଚନ ଲଢୁଛନ୍ତି । ସେହିପରି ଲିବରାଲ ପାର୍ଟି ତରଫରୁ ମଇଦାନରେ ରହିଛନ୍ତି ସଂଜୀବ ରାଓ୍ବଲ । ତାଞ୍ଜାନିଆରେ ଜନ୍ମିତ ସଂଜୀବ ୨୦ବର୍ଷରୁ ଅଧିକ ସମୟ ଧରି କାନାଡାରେ ରହିଛନ୍ତି । ସେହିପରି ଅଶୋକ ପଟେଲ ଓ ମିନେଶ ପଟେଲ୍ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଗୁଜରାଟୀ ଭୋଟବ୍ୟାଙ୍କ କେତେ?

କାନାଡାରେ ଏକ ଲକ୍ଷରୁ ଅଧିକ ଗୁଜରାଟୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ସଫଳ ବ୍ୟବସାୟୀ । ଟରେଣ୍ଟୋ, ଓଟାଓ୍ବା, ବେନକ୍ୟୁଭର, କୈଲଗରି ସମେତ ପୂରା ଦେଶରେ ଗୁଜରାଟୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ବ୍ୟାପାର ପାଇଁ ଆସିଛନ୍ତି ତ ଅନେକ ଛାତ୍ରଛାତ୍ରୀ ପଢିବାକୁ ଆସି ଏଠାରେ ହିଁ ରହି ଯାଇଛନ୍ତି । କାନାଡାରେ ବଡ଼ ଗୁଜରାଟୀ କମ୍ପାନୀ ମଧ୍ୟ ସକ୍ରିୟ ରହିଛି । ହସ୍ପିଟାଲିଟି, ରିଟେଲ, ଆଇଟି, ଫାଇନାନ୍ସ ପରି କ୍ଷେତ୍ରରେ କମ୍ପାନୀ ଗୁଡିକ କାମ କରୁଛି । ପଞ୍ଜାବୀଙ୍କ ପରେ ଦେଶରେ ଦ୍ବିତୀୟ ବଡ଼ ସଂଖ୍ୟା ଗୁଜରାଟୀଙ୍କର ରହିଛି । ୨୦୧୬ପରେ କାନାଡାରେ ତୃତୀୟ ଅଧିକ ବ୍ୟବହୃତ ଭାରତୀୟ ଭାଷା ଭାବେ ଗୁଜରାଟୀ ରହିଛି । ପ୍ରଥମେ ପଞ୍ଜାବୀ ଓ ଦ୍ବିତୀୟରେ ହିନ୍ଦୀ ରହିଛି।

କେତେ ମଜବୁତ ପଞ୍ଜାବୀ?

ଗୁଜରାଟୀ ପ୍ରାର୍ଥୀ ଏବେ ମଇଦାନକୁ ଓହ୍ଲାଇଥିବା ବେଳେ ପୂର୍ବରୁ କାନାଡା ରାଜନୀତିରେ ପଞ୍ଜାବୀ ବେଶ୍ ସକ୍ରିୟ ରହିଛନ୍ତି । କାନାଡାରେ ପଞ୍ଜାବୀଙ୍କ ଜନସଂଖ୍ୟା ୧.୯ପ୍ରତିଶତ ହେଲେ ମଧ୍ୟ ପ୍ରାୟ ୪ପ୍ରତିଶତ ସାଂସଦ ପ୍ରତିନିଧିତ୍ବ କରୁଛନ୍ତି । ୭୦ଦଶକରେ ଶିଖ୍ ସଂପ୍ରଦାୟ କାନାଡାରେ ନିଜ ପକଡ ମଜବୁତ କରିଥିଲେ । ସେତେବେଳେ ଶିଖ୍ ତଥା ଅନ୍ୟ ଭାରତୀୟଙ୍କ ହକ୍ ମାଗିବାକୁ ଗଠନ ହୋଇଥିଲା ଆଜାଦ ପଞ୍ଜାବ ପାର୍ଟି । ତେବେ ଦଳ ପରେ ଭାଙ୍ଗି ଯାଇଥିଲା । ଏବେ କାନାଡାରେ ଛୋଟ ପଞ୍ଜାବ ରହିଥିବା ବି କୁହାଯାଏ । ପଞ୍ଜାବୀ ଭୋଟର କାନାଡାର କିଛି ଅଞ୍ଚଳରେ ନିର୍ଣ୍ଣାୟକ ଭୂମିକାରେ ରହିଛନ୍ତି ।

କିଛି ବର୍ଷ ହେଲା ଚରମପନ୍ଥୀ ଖଲିସ୍ତାନୀ ସମର୍ଥକଙ୍କ ପାଇଁ କାନାଡାରେ ବସବାସ କରୁଥିବା ହିନ୍ଦୁ ପଞ୍ଜାବୀଙ୍କଠାରୁ କିଛି ମାତ୍ରାରେ ଦୂରେଇ ଯାଇଛନ୍ତି । ଖଲିସ୍ତାନୀ ଆନ୍ଦୋଳନକୁ ନେଇ କିଛି ଶିଖ୍ ସଂଗଠନ କାନାଡାରେ ସକ୍ରିୟ ରହିଛନ୍ତି । ତେବେ ସେଠାକାର ଗୁଜରାଟୀ ଏହାର ବିରୋଧ କରନ୍ତି । ୨୦୨୩ରେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ନେଇ ସନ୍ଦେହ କରିଥିଲେ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେତେବେଳେ କାନାଡାର ଭାରତୀୟ ପ୍ରବାସୀଙ୍କ ମଧ୍ୟରେ ମତଭେଦ ସାମନାକୁ ଆସିଥିଲା । ତେବେ ପରେ ଏହା ଥମି ଯାଇଥିଲା । ପଞ୍ଜାବୀଙ୍କ ପରେ ଗୁଜରାଟୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ କାନାଡାରେ ଭାରତୀୟ ପ୍ରବାସୀଙ୍କ ସ୍ଥିତି ଆହୁରି ମଜବୁତ ହେବ ।

Comments are closed.