ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଥିବା ନିଉଟନ ହଷ୍ଟେଲରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ନାମ ସନ୍ଧିପ ଲେଙ୍କା ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡିଛି l ମୃତ ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷର ଛାତ୍ର ଥିଲେ ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ସକାଳେ ସଫେଇ କର୍ମଚାରୀ ଛାତ୍ରଙ୍କ ରୁମ୍ ସଫା କରିବାକୁ ଯିବା ସମୟରେ ରୁମ୍ ଟି ଭିତରୁ ପଟୁ ବନ୍ଦ ଥିଲା । ବାରମ୍ବାର କବାଟ ବାଡେଇବା ସତ୍ୱେ କୌଣସି ଉତ୍ତର ନ ମିଳିବାରୁ ସହ ପାଠୀ ଛାତ୍ରଙ୍କ ସହାୟତାରେ କବାଟ ଭଙ୍ଗା ଯିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ l ତେବେ ଛାତ୍ର ଜଣକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣା ପଡିଛି l
ଗୁଣୁପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଛାତ୍ରର ମୋବାଇଲ ଜବତ କରିବା ସହ ସେଠାକାର ସ୍ଥିତି ଅନୁଧ୍ୟାନ କରି ଅଧିକ ତଦନ୍ତ ପାଇଁ ରାୟଗଡା ସାଇଣ୍ଟିଫିକ ଟିମର ସହାୟତା ଲୋଡ଼ିଛି l ଏନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟର ଏନ. ଭି. ଜଗନ୍ନାଥ ରାଓ ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗ ଙ୍କୁ ସୂଚନା ଦେଇଥିବା କହିଛନ୍ତି ଏବଂ ତଦନ୍ତ ରେ ପୋଲିସ କୁ ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି ଜଣାଇଛନ୍ତି ।
Comments are closed.