ନୂଆଦିଲ୍ଲୀ: ଦିଲ୍ଲୀ ଡେପୁଟେସନରେ ଯିବେ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ଧଳଙ୍କୁ କେନ୍ଦ୍ର ସଂସଦୀୟ ବିଭାଗ ସଚିବ ଭାବେ ନିଯୁକ୍ତି ମିଳିଛି । ତେବେ ରାଜ୍ୟ ପ୍ରଶାସନର ଅନ୍ୟତମ ପ୍ରଭାବଶାଳୀ ଅଧିକାରୀ କୁହାଯାଉଥିବା ନିକୁଞ୍ଜ ଧଳଙ୍କ ଦିଲ୍ଲୀ ଡେପୁଟେସନକୁ ନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା ହେଉଛି। କାରଣ ରାଜ୍ୟରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏତେ କମ୍ ଅବଧିରେ ସ୍ଥାନାନ୍ତର କରାଯାଇଛି। ଏହାପୂର୍ବରୁ ସରକାରଙ୍କ ୬ମାସ ନପୂରୁଣୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଥିଲା ।
ବର୍ଷେ ନପୂରୁଣୁ ସିଏମଓରୁ ହଟିଲେ
ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ୨୦୨୪ଜୁଲାଇରୁ ଆଇଏଏସ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ତେବେ ବର୍ଷେ ନପୂରୁଣୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଏହା ପଛରେ ଅନେକ କାରଣ ନେଇ ପାଓ୍ବାର କରିଡରରେ ଚର୍ଚ୍ଚା ହେଉଛି । ନିକୁଞ୍ଜ ଧଳଙ୍କ କାର୍ଯ୍ୟରେ ସରକାର ଓ ଦଳର ଛାମୁଆଁ ନେତା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ସରକାରଙ୍କ ପ୍ରଶାସନର ବିଭିନ୍ନ ସ୍ତରରେ ସେ ସେଭଳି କାର୍ଯ୍ୟଦକ୍ଷତା ଦେଖାଇ ନଥିବାକୁ ନେଇ ଦଳରେ ଅସନ୍ତୋଷ ବଢିଥିବା କୁହାଯାଉଛି । ଏପରିକି ଅନେକ ସମୟରେ ନିକୁଞ୍ଜ ଧଳ ସମନ୍ବୟ ରକ୍ଷା କରିପାରିନଥିବା ବି ଚର୍ଚ୍ଚା ହେଉଛି ।
ବଦଳିଛି ସିଏମଓ ସମୀକରଣ
୨୦୦୬ ବ୍ୟାଚର ଆଇଏଏସ ମନୋଜ ସାହୁଙ୍କୁ ବ୍ୟକ୍ତିଗତ ସଚିବ ନିଯୁକ୍ତି କରାଯାଇଥିଲା । ସେହିପରି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଉଭୟଙ୍କ ନିଯୁକ୍ତି ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ଷମତା ସମୀକରଣ ବଦଳିଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ଓଏଏସ ଅଧିକାରୀଙ୍କ ଗୁରୁତ୍ବ ବଢିଥିବା କୁହାଯାଉଛି । ବିଜେପି ସରକାରକୁ ୧୦ମାସ ପୂରିଥିଲେ ମଧ୍ୟ ନା ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ପୂରଣ ହୋଇଛି ନା ନିଗମରେ ନିଯୁକ୍ତି କରାଯାଇଛି । ସେହିପରି ରାଜ୍ୟ ବିଜେପି ସଭାପତି ଚୟନରେ ବିଳମ୍ବ ହେଉଛି । ଏସବୁ ପଛରେ ବିଜେପିରେ ଗୋଷ୍ଠୀ କନ୍ଦଳ କାରଣ ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେପି କନ୍ଦଳରୁ ବାହାରକୁ ବାହାରି ନିଜ ପସନ୍ଦର ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିବା କୁହାଯାଉଛି । କାରଣ ସରକାରର ପ୍ରଦର୍ଶନ ଠିକ୍ ନରହିଲେ ଆଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ବି ଆସିପାରେ ।
ପିଏମଓର ଟପ୍ ଅଫିସରଙ୍କ ଓଡିଶା ଗସ୍ତ
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଓ ପ୍ରମୁଖ ସଚିବ ନମ୍ବର ଟୁ ଶକ୍ତିକାନ୍ତ ଓଡିଶା ଗସ୍ତରେ ଆସିଛନ୍ତି । ଦୁଇ ଅଧିକାରୀଙ୍କ ଗସ୍ତକୁ ବିଜେପି ସରକାର ଓ ସଂଗଠନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । କେଉଁଠି ନା କେଉଁଠି ପିଏମଓର ଏହି ଦୁଇ ଟପ୍ ଅଧିକାରୀ ଓଡିଶା ସରକାରଙ୍କ ପ୍ରଶାସନିକ ଦକ୍ଷତା ବୃଦ୍ଧି ଦିଗରେ ତର୍ଜମା କରିବା ସହ ସମାଧାନର ସୂତ୍ର ଦେଇପାରନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ସିଏମଓର ପ୍ରଦର୍ଶନ କିପରି ଅଧିକ କ୍ରିୟାଶୀଳ ହୋଇପାରିବ, ସେଦିଗରେ ନିଷ୍ପତ୍ତି ବି ନିଆଯାଇପାରେ ।
ନିର୍ବାଚନ ଜିତି ଓଡିଶାରେ ସରକାର ଗଠନ କରିବା ପରଠୁ କେନ୍ଦ୍ର ବିଜେପିର ଫୋକସ୍ ରାଜ୍ୟ ଉପରେ ରହିଛି । ଗତ ୯ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଥର ଓଡିଶା ଗସ୍ତ କରିସାରିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାରମ୍ବାର ରାଜ୍ୟକୁ ଆସିଛନ୍ତି । ତେଣୁ ପିଏମଓର ଦୁଇ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପରେ ସିଏମଓକୁ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନିକ ସ୍ତରରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ।
Comments are closed.