ଭୁବନେଶ୍ବର: ଦିନ କେଇଟା ପରେ ପୁଣି ପଦାରେ ପଡିଲା ବିଜେଡି କଳି । ଦଳର ରାଜ୍ୟ ପରିଷଦରେ କର୍ପୋରେଟର ଅମରେଶ ଜେନାଙ୍କୁ ସାମିଲ ନକରାଯିବା ଚର୍ଚ୍ଚାକୁ ନେଇ ସୋମବାର ରାତିରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ତାଙ୍କ ସମର୍ଥକ ଘେରିଥିଲେ । ଏହାପରେ ବିସ୍ଫୋରକ ବୟାନ ଦେଇଛନ୍ତି ଅମରେଶ ଜେନା । ଷଡ଼ଯନ୍ତ୍ରକାରୀଙ୍କ ହାତରେ ଏବେ ବିଜେଡି ରହିଥିବା ସେ କହିଛନ୍ତି । ସେପଟେ ଦଳର ସାଂଗଠନିକ ନବକଳେବରକୁ ନେଇ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । କିଛି ବରିଷ୍ଠ ନେତାଙ୍କ ପତ୍ତା କାଟିବାକୁ ଷଡ଼ଯନ୍ତ୍ର ଚାଲିଥିବା ନେଇ ବିଜେଡି ଭିତରେ ଅବିଶ୍ବାସ ଓ ଅସନ୍ତୋଷର ବାତାବରଣ ଦେଖାଦେଇଛି । ତେବେ ପ୍ରଶ୍ନ ଉଠୁଛି, କେମିତି ବିଜେଡି କଳି ତୁଟାଇବେ ସଭାପତି ନବୀନ ପଟ୍ଟନାୟକ?
ବୁଡାଇ ଦେବେ ୫ନେତା !
ବିଜେଡି ଠିକ୍ ଭାବେ ପରିଚାଳିତ ହେଉନି । ଯେଉଁ ୪, ୫ଜଣଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ନିରପେକ୍ଷ ନୁହନ୍ତି । ସେମାନେ ମେଳି କରିଥିବା ବରିଷ୍ଠ ନେତାଙ୍କ ଦ୍ବାରା ପରିଚାଳିତ ହେଉଥିବା ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି । ଭଲ ସରକାରକୁ କିଛି ଲୋକ ଷଡଯନ୍ତ୍ର କରି ବିଦା କରି ଦେଇଛନ୍ତି । ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ରହିଛି । ପ୍ୟାରୀଙ୍କର ଯେଉଁମାନେ ନିକଟତର ଥିଲେ, ସେମାନେ ଏବେ ନବୀନଙ୍କ ନିକଟତର । ଏମାନେ ଦଳକୁ ବୁଡାଇଦେବେ ବୋଲି ଅମରେଶ କହିଛନ୍ତି । ସେହିପରି ବିରଞ୍ଚି ନାରାୟଣ ମହାସୁପକାର ମଧ୍ୟ ଦଳରେ ଅବହେଳା ନେଇ ମୁହଁ ଖୋଲିଛନ୍ତି । ହାରିଥିବା ନେତା, ଯୁବ ନେତୃତ୍ବକୁ ଭୟ କରୁଛନ୍ତି । ବିଜେଡିରେ ଯୁବ ନେତୃତ୍ବର ଅଭିବୃଦ୍ଧି ହେଉନି, ଦବାଇ ଦିଆଯାଉଥିବା ସେ କହିଛନ୍ତି ।
ବରିଷ୍ଠ ନେତାଙ୍କ ପତ୍ତା କାଟିବାକୁ ଷଡ଼ଯନ୍ତ୍ର !
ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିଥିବା ନେତା ଏବେ ଟାର୍ଗେଟରେ ରହିଥିବା କୁହାଯାଉଛି । ଓ୍ବକଫ୍ ଭୋଟକୁ ନେଇ ଦଳର କିଛି ନେତା ପାଣ୍ଡିଆନଙ୍କ ବିରୋଧରେ ବୟାନ ଦେଇଥିଲେ, କିଛି ମେଳି କରିଥିଲେ ତ କିଏ ଚିଠି ଲେଖିଥିଲେ । ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଯୋଜନାବଦ୍ଧ ଭାବେ ଦୂରେଇ ଦେବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି । ଏପରିକି ବିଜେଡି ରାଜ୍ୟ ପରିଷଦ ବୈଠକକୁ କିଛି ନେତାଙ୍କୁ ଡକା ଯାଇନଥିବା କୁହାଯାଉଛି । ତେବେ ଦଳର ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ବରୁ ଦୂରେଇ ରଖିଲେ ବଡ଼ ଧରଣର ବିଦ୍ରୋହ ମୁଣ୍ଡ ଟେକିବା ନେଇ ଆଶଙ୍କା କରାଯାଉଛି ।
ଫସିଯିବେ କି ବିଜେଡିର ସପ୍ତରଥୀ?
ବିଜେଡିର ସାଂଗଠନିକ କାର୍ଯ୍ୟ ନେଇ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ ବାରମ୍ବାର ବୈଠକ କରୁଛନ୍ତି । ତେବେ ସେମାନଙ୍କ କଥା କେତେ ରହୁଛି, ସେନେଇ ବି ସ୍ପଷ୍ଟ ହୋଇପାରୁନି । ସାଂଗଠନିକ ନିର୍ବାଚନ ନେଇ ଦଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏହି ସାତ ନେତା ଏବେ ହରଡଘଣାରେ ପଡିଛନ୍ତି । ସୋମବାର ସେମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବରିଷ୍ଠଙ୍କୁ ଅଣଦେଖା ନକରିବାକୁ ଆଲୋଚନା କରିଛନ୍ତି । ତେବେ ନବୀନ ସେମାନଙ୍କୁ ସ୍ପଷ୍ଟ ପ୍ରତିଶ୍ରୁତି ଦେଇନାହାନ୍ତି । ସେପଟେ ସପ୍ତରଥୀଙ୍କ କଥା ରହୁଛି ନା ସେମାନଙ୍କୁ ଆଗରେ ରଖି କେହି ବାହ୍ୟଶକ୍ତି ପରଦା ପଛକୁ ଗୋଟି ଚାଳନା କରୁଛନ୍ତି, ସେନେଇ ବି ପ୍ରଶ୍ନ ଉଠୁଛି । ଏହାସହ ପ୍ରଣବ ପ୍ରକାଶ ଦାସଙ୍କ ସକ୍ରିୟତାକୁ ଦଳରେ ଅନେକ ନେତା ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି ।
ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ସଭାପତି ହୋଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣାରେ ବିଳମ୍ବ ହେଉଛି । ୮୧ଜଣ ସଦସ୍ୟଙ୍କ ମଧ୍ୟରୁ ନିଜ ସମର୍ଥିତ ଅଧିକାଂଶ ସଦସ୍ୟ ରଖିବାକୁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ସେପଟେ ୨ଦଶନ୍ଧି ପରେ ପ୍ରଥମ ଥର ପାଇଁ ବିଜେଡି ଏକକାଳୀନ ଜିଲ୍ଲା ସଭାପତି ବାଛିବାରେ ସକ୍ଷମ ହୋଇନି । ଏବେବି ୧୫ଜିଲ୍ଲାରେ ସଭାପତି ଚୟନ କରାଯାଇପାରିନି । ବିଜେଡି ଭିତରେ ବିଦ୍ରୋହ ଅସମ୍ଭାଳ ହେବାରେ ଲାଗିଥିବା ବେଳେ ପରଦା ପଛରେ ରହି ବିଜେଡିର ଅଘୋଷିତ କ୍ଷମତାକେନ୍ଦ୍ର ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି ।
Comments are closed.