ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ରଚିବା ପରେ ଏବେ ଭାରତ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିରେ ଭାରତୀୟ କ୍ରିକେଟ ମଧ୍ୟ ସାମିଲ ହୋଇଛି । ଭାରତୀୟ ପ୍ରଶଂସକମାନେ ବିସିସିଆଇକୁ ସନ୍ଦେଶ ଦେଇଛନ୍ତି ଯେ, ଆଗକୁ ପାକିସ୍ତାନ ସହ ଯେପରି ଭାରତ କୌଣସି ଆନ୍ତର୍ଜାତୀୟ ମ୍ୟାଚ ନ ଖେଳିବ ସେ ନେଇ ଉଦ୍ୟମ ଆରମ୍ଭ କରିବା ଉଚିତ । ଯଦି ଏହା ହୁଏ ତେବେ ବର୍ଷକ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ୫ଟି ମ୍ୟାଚ ଖେଳାଯିବ ନାହିଁ । ଅବଶ୍ୟ ଏ ନେଇ ଆଇସିସି କିମ୍ବା ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ୧୨ ବର୍ଷ ହେବ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ବନ୍ଦ ରହିଛି । ଆଇସିସି ଓ ଏସିସି ମ୍ୟାଚଗୁଡିକରେ ଉଭୟ ଦେଶ ସାମ୍ନାସାମ୍ନି ହେଉଛନ୍ତି ।
ଭାରତ ଏବେ ଆଇସିିସି ଟୁର୍ଣ୍ଣାମେଂଟରେ ମଧ୍ୟ ପାକିସ୍ତାନ ସହ ଯେପରି ନ ଖେଳିବ ତାହା ଉପରେ ଜୋର ଦିଆଯାଉଛି । ଏବେ ଏସିଆ କପରେ ୨ଟି ମୁକାବିଲା, ମହିଳା ଦିିନିକିଆ ବିଶ୍ୱକପ, ୧୯ ବର୍ଷରୁ କମ ବିଶ୍ୱକପରେ ଉଭୟ ଦେଶ ପରସ୍ପର ବିପକ୍ଷରେ ମ୍ୟାଚ ଖେଳିବେ କି ନାହିଁ ତାହା ଦେଖିବା କଥା । ଆସନ୍ତା ବର୍ଷ ଭାରତରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ବିସିସିଆଇ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ନ ରଖିବା ପାଇଁ ଅନୁରୋଧ କରିପାରେ । ବିଶ୍ୱ କ୍ରିକେଟରେ ବିସିସିଆଇର ପ୍ରଭୂତ୍ୱ ରହୁଥିବାରୁ ଭାରତ କଥା ମାନିବା ବ୍ୟତୀତ ସେମାନଙ୍କ ନିକଟରେ କିଛି ବିକଳ୍ପ ରହିବ ନାହିଁ ।
Comments are closed.