Latest Odisha News

BREAKING NEWS

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ରେଳବାଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସହଜ ଓ ଆରାମଦାୟକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଉଦ୍ୟମରେ ରେଳବାଇ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଲୋଅର ବର୍ଥ ସଂରକ୍ଷଣ, ହ୍ୱିଲଚେୟାର ସୁବିଧା ଏବଂ ଷ୍ଟେସନରେ ସ୍ୱତନ୍ତ୍ର ସହାୟତା ଭଳି ଅନେକ ସୁବିଧା ଆରମ୍ଭ କରିଛି। ଏହି ପଦକ୍ଷେପ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ରେଳବାଇର ସେବା ପ୍ରତି ଆସ୍ଥା ବୃଦ୍ଧି କରିବା ସହ ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ସମ୍ବେଦନଶୀଳତା ପ୍ରଦର୍ଶନ କରୁଛି।

କାହା ପାଇଁ କ’ଣ ସୁବିଧା?
ଏହି ଯୋଜନା ଅନୁଯାୟୀ, ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ, ୪୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ମହିଳା, ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଟ୍ରେନରେ ଲୋୟର ବର୍ଥ ଆବଣ୍ଟନରେ ପ୍ରାଥମିକତା ଦିଆଯିବ। ରେଳବାଇର ଏକ ରିପୋର୍ଟ ଅନୁସାରେ, ସ୍ଲିପର କ୍ଲାସରେ ପ୍ରତ୍ୟେକ କୋଚ୍‌ରେ ୬ରୁ ୭ଟି ଲୋୟର ବର୍ଥ, ତୃତୀୟ ଏସି (3AC)ରେ ୪ରୁ ୫ଟି ଏବଂ ଦ୍ୱିତୀୟ ଏସି (2A)ରେ ୩ରୁ ୪ଟି ଲୋୟର ବର୍ଥ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ଏହି ସଂଖ୍ୟା ଟ୍ରେନରେ କୋଚ୍‌ର ଉପଲବ୍ଧତା ଅନୁଯାୟୀ ପରିବର୍ତ୍ତନ ହୋଇପାରେ।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ
ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ବିଶେଷ ଯୋଜନା କରିଛି। ରାଜଧାନୀ, ଶତାବ୍ଦୀ ଏବଂ ଅନ୍ୟାନ୍ୟ ଏକ୍ସପ୍ରେସ୍ ଟ୍ରେନରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ଲିପର କ୍ଲାସରେ ୪ଟି ବର୍ଥ (ଯେଉଁଥିରେ ଅତିକମରେ ୨ଟି ଲୋୟର ବର୍ଥ), 3AC/3Eରେ ୪ଟି ବର୍ଥ (୨ଟି ଲୋୟର ବର୍ଥ ସହିତ) ଏବଂ ଦ୍ୱିତୀୟ ସିଟିଂ (2S) କିମ୍ବା ଏସି ଚେୟାର କାର୍‌ (CC)ରେ ୪ଟି ସିଟ୍ ସଂରକ୍ଷିତ ରହିବ। ଯାତ୍ରା ସମୟରେ ଯଦି କୌଣସି ଲୋୟର ବର୍ଥ ଖାଲି ରହେ, ତାହା କେବଳ ଏହି ଶ୍ରେଣୀର ଯାତ୍ରୀଙ୍କୁ ପ୍ରଦାନ କରାଯିବ।

 

Comments are closed.