Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୩: ଯଦି ପ୍ରାଣୀ ନିମିଷଟିଏ ସତସଙ୍ଗରେ ବିତାଏ ତେବେ ସେ ଭବ ବନ୍ଧନ ପାରି ହୁଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଏପରି ଏକ ଗୁରୁ ଯେକି ସାଧାରଣ ସଂସାରୀ ପ୍ରାଣୀଙ୍କୁ ମଧ୍ୟ କୁବୁଦ୍ଧି ତ୍ୟାଗ କରି ନିଜର ସୁଜ୍ଞାନ ପ୍ରଭାଵରେ ଭଗବାନଙ୍କ ସାନିଧ୍ୟ ଲାଭ କରିବାରେ ସାହାଯ୍ୟ କରିଥାଏ। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଦରେ ସାଧୁ ସଙ୍ଗ ବା ସତସଙ୍ଗର ଉତ୍ତମ ଫଳ ପ୍ରାପ୍ତିର ଉଦାହରଣ ଦେଇ ମନ୍ୟୁଷର କର୍ମବନ୍ଧନ ଛିନ୍ନ ପୂର୍ବକ ମୁକ୍ତି ପଥର ଜ୍ଞାନ ପ୍ରଦାନ କରିଛି। ଏବଂ ଏକାଦଶ ସ୍କନ୍ଦରେ କହିଛି “ସାଧୁ ସଂଗମେ ଜ୍ଞାନ ବଢେ।
କର୍ମବାସନା ବନ୍ଧ ଛିଡେ।।
ସାଧୁଙ୍କ ମୁଖୁ ସାଧୁ ବାଣୀ।
କୁମତି ଖଣ୍ଡେ ତାହା ଶୁଣି।।”
ଏଠାରେ ଶ୍ରୀଜଗନ୍ନାଥ ଦାସଙ୍କ ସମ ସାମୟିକ ସନ୍ଥ ଯଶୋବନ୍ତ ମନବୋଧ ଭଜନରେ ଲେଖିଥିବା ପଂକ୍ତି ହେଉଛି-
“ଷଢ଼ ଅଇରୀ ବିନାଶ କରି
ନିଜ ବଣିଜରେ ଥାଆରେ।
ସାଧୁ ସଙ୍ଗତେ ବେଭାର ଯେତେ
ମୂଳ ରଖି ଲାଭ ଖାଆରେ।।”
ଅତ୍ୟନ୍ତ ଉପଯୋଗୀ ଜ୍ଞାନକୁ ଖୁବ ସରଳ ବ୍ୟାଖ୍ୟା ଦ୍ୱାରା କହିଦେଲେ ନିଜର ଛଟି ଶତ୍ରୁ ଯଥା କାମ, କ୍ରୋଧ, ମୋହ, ମାୟା, ମନ୍ଦ, ଛନ୍ଦକୁ ବିନାଶ କର, ଆଉ ନିଜ ସଂସାର କର୍ମରେ ବୁଡ଼ି ରୁହ। କିନ୍ତୁ ତତ ସହିତ ସାଧୁ ସଙ୍ଗ ବା ସତ ସଙ୍ଗ କରୁଥାଅ। ତାର ଲାଭ ତୁମେ ନିଶ୍ଚୟ ପ୍ରାପ୍ତ ହେବ। ଶ୍ରୀମଦ ଭାଗବତ ତାର ଏକାଦଶ ସ୍କନ୍ଦରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେବା ଛଳରେ କହିଛନ୍ତି
ସୁଜନ ଜନର ଏଭାବ।
ଉଦ୍ଧବେ କହିଲେ ମାଧବ।।
ଏଣୁ ଏ ସୁଜନ ସଙ୍ଗତେ।
କ୍ଷଣେ ନିମିଷେ ଏ ଜଗତେ।।
ବସେ ସକଳ ପରିହରି।
ସେ ପ୍ରାଣୀ ଭବୁ ଯାଏ ତରି।।
ଶ୍ରୀ ଜଗନ୍ନାଥ ଦାସଙ୍କ ଉକ୍ତିରେ ଯଦି ପ୍ରାଣୀ କ୍ଷଣେ ବା ନିମିଷଟିଏ ସତସଙ୍ଗରେ ବିତାଏ ତେବେ ସେ ଭବ ବନ୍ଧନ ପାରି ହୋଇଯାଏ। କିନ୍ତୁ ତା ପୂର୍ବରୁ ତାଙ୍କୁ ଏକ କର୍ମ କରିବାକୁ ପଡେ, କଣ ସେ କର୍ମ? ତାହା ହେଉଛି ସକଳ କୁକର୍ମକୁ ପରିହାର ବା ତ୍ୟାଗ କରିବା। ସର୍ବଦା ଭାଗବତର ଉପଦେଶ ମାନି ପାବନ କର୍ମରେ ନିୟୋଜିତ ହେଲେ କୁକର୍ମ ହେବ କେତେବେଳେ, ତେବେ ଆସନ୍ତୁ ନା
ଶ୍ରୀମଦ ଭାଗବତଙ୍କ ଶରଣ ନେବା ଓ ତାଙ୍କରି ପଦର୍ଶିତ ପଥରେ ଆଗେଇବା।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-22-if-you-remain-immersed-in-the-bhagwat-you-will-surely-find-the-presence-of-god/

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ)

Comments are closed.