Latest Odisha News

BREAKING NEWS

ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ରାହୁଲ ଗାନ୍ଧି, ହେଉଛି ବଡ଼ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂଆ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟ ଚୟନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନା ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଅଛନ୍ତି। ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ନିର୍ଦ୍ଧାରିତ, ଯାହାକୁ ଆବଶ୍ୟକତା ଅନୁଯାୟୀ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଏହି ମାସ ୨୫ ମଇରେ ଶେଷ ହେବାକୁ ଯାଉଛି।

କିଏ ଏହି ପ୍ରବୀଣ ସୁଦ? ପ୍ରବୀଣ ସୁଦ ୧୯୬୪ ମସିହାରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ଆଇଆଇଟି ଦିଲ୍ଲୀରୁ ସ୍ନାତକ ଡିଗ୍ରୀ ହାସଲ କିରଥିଲେ। ୧୯୮୬ ବ୍ୟାଚର ଏହି ଆଇପିଏସ ଅଧିକାରୀ୧୯୮୯ ମସିହାରେ ସେ ମୈସୂରରେ ସହକାରୀ ପୁଲିସ ଅଧୀକ୍ଷକ (ଏଏସପି) ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ବେଲ୍ଲାରୀ ଓ ରାୟଚୂରରେ ପୁଲିସ ଅଧୀକ୍ଷକ (ଏସପି) ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ଏହା ବ୍ୟତୀତ ପ୍ରବୀଣ ସୁଦ ମରିସସରେ ପୁଲିସ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୧ ମସିହାରେ ସେ ବେଙ୍ଗାଳୁରୁ ଟ୍ରାଫିକ ପୁଲିସର ଅତିରିକ୍ତ ପୁଲିସ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୧୯୯୬ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଣ୍ଣ ପଦକ, ୨୦୦୨ରେ ପୁଲିସ ପଦକ ଏବଂ ୨୦୧୧ରେ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ ହୋଇଛନ୍ତି।

କର୍ଣ୍ଣାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ସହ ତିକ୍ତତା ସିବିଆଇ ମୁଖ୍ୟ

ପ୍ରବୀଣ ସୁଦ ଏବଂ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ମଧ୍ୟରେ ଥିବା ତିକ୍ତତା ସମସ୍ତେ ଜାଣନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଶିବକୁମାର ପ୍ରବୀଣ ସୁଦଙ୍କୁ ଡିଜିପି ପଦ ପାଇଁ ଅଯୋଗ୍ୟ ବୋଲି ମନ୍ତବ୍ୟ ଦେଇଥିଲେ। ଏହା ସହ, ସେ ସୁଦଙ୍କ ଉପରେ ବିଜେପିର ପକ୍ଷପାତ କରି କାମ କରିବାର ଅଭିଯୋଗ ଲଗାଇଥିଲେ। ଶିବକୁମାର ଅଭିଯୋଗ କରିଥିଲେ ଯେ ପ୍ରବୀଣ ସୁଦ ଡିଜିପି ଥାଇ ମଧ୍ୟ ବିଜେପି କର୍ମୀଙ୍କ ଭଳି କାର୍ଯ୍ୟ କରିଛନ୍ତି ଏବଂ କଂଗ୍ରେସର ୨୫ ଜଣ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏପରିକି ସେ ଦାବି କରିଥିଲେ ଯେ ଯଦି କଂଗ୍ରେସ ସରକାର ଗଢ଼େ, ତେବେ ପ୍ରବୀଣ ସୁଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ଶେଷ ହେବା ସହ ନୂଆ ସିବିଆଇ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଚର୍ଚ୍ଚା ଜୋର ଧରିଛି। ଡି.କେ. ଶିବକୁମାରଙ୍କ ସହ ତାଙ୍କର ପୂର୍ବ ତିକ୍ତତା ଏବଂ ଶିବକୁମାରଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଆହୁରି ରୋଚକ କରିଛି। ଗୋଟିଏ ପଟେ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଠନ କରିଛି, ଅନ୍ୟପଟେ ପ୍ରବୀଣ ସୁଦ ଦିଲ୍ଲୀରେ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଏହି ନିଯୁକ୍ତି ଓ ରାଜନୈତିକ ଘଟଣାକ୍ରମ ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.