Latest Odisha News

BREAKING NEWS

ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସୁଦର୍ଶନ ପଟ୍ଟନାୟକ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ । ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ । ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ଆଜି ସକାଳୁ ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ସ୍ଥାୟୀ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି ।

ଏ ସମ୍ପର୍କରେ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ସୋମବାର ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବ ନାହିଁ । ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ବୋଲି ଗଜପତି ସୂଚନା ଦେଇଛନ୍ତି ।

Comments are closed.