Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା  

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ରେ ସଡ଼କ ଦୁର୍ଘଟଣା ରେ ପିଡୀତ ବ୍ୟକ୍ତି ବିଶେଷ ଙ୍କ ପାଇଁ ଭାରତ ସରକାର କରିଥିବା ଯୋଜନା ବିଷୟରେ ଦର୍ଶାଯାଇଛି।

ଏହି ଯୋଜନା ଅନ୍ତର୍ଗତ ସାରା ଦେଶରେ କ୍ୟାସଲେସ୍ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ତେବେ ଦୁର୍ଘଟଣାରେ ପିଡୀତ ବ୍ୟକ୍ତିଙ୍କୁ ସାତ ଦିନ ପର୍ଯ୍ୟନ୍ତ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି। ତେବେ ଏହି ଯୋଜନା ୫ ମେ ୨୦୨୫ରୁ କାର୍ଯ୍ୟକାରୀ ହୋଇଛି।

ଯଦି କୌଣସି ବ୍ୟକ୍ତି ମୋଟର ଯାନ ଦ୍ଵାରା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ସେହି ବ୍ୟକ୍ତି ଦେଶର କୌଣସି ସ୍ଥାନରେ ମଧ୍ୟ ମାଗଣା ଚିକିତ୍ସା ପାଇପାରିବେ। ତାଙ୍କୁ ସରକାରୀ କିମ୍ବା କିଛି ନିର୍ଦ୍ଧିଷ୍ଟ ହସ୍ପିଟାଲରେ ଚିକିତ୍ସା ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ।

ଅପରପକ୍ଷେ ଏହି ସୁବିଧା କେବଳ ସେହି ହସ୍ପିଟାଲଗୁଡ଼ିକରେ ଲାଗୁ ହେବ ଯେଉଁ ହସ୍ପିଟାଲ ସରକାରଙ୍କ ଦ୍ୱାରା ନାମିତ କରାଯାଇଥିବ। ଯଦି କୌଣସି କାରଣରୁ ପୀଡିତ ବ୍ୟକ୍ତି ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ଯାଇପାରିବେ ନାହିଁ ତେବେ ସେ ଅନ୍ୟ କୌଣସି ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହୋଇପାରିବେ। ସେହି ପରିସ୍ଥିତିରେ ପୀଡ଼ିତଙ୍କ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ହିଁ ସେଠାରେ ଚିକିତ୍ସା କରାଯିବ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ)କୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଦିଆଯାଇଛି। ତେବେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପୋଲିସ, ହସ୍ପିଟାଲ ଏବଂ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ମିଳିତ ଭାବରେ କାର୍ଯ୍ୟ କରିବେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ନୋଡାଲ୍ ଏଜେନ୍ସି ରହିବ ଯାହାକି ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବ ବୋଲି ଜଣାପଡ଼ିଛି।

Comments are closed.