Latest Odisha News

BREAKING NEWS

ଦେଶର ସୁରକ୍ଷା ନିଶ୍ଚିତ କରିବାକୁ ବିଏସଏଫ-ସିଆଇଏସଏଫ ଡିଜିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ବିଏସଏଫ ଏବଂ ସିଆଇଏସଏଫର ଡିଜିଙ୍କ ସହ ଆଲୋଚନାରେ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି।

ଅମିତ ଶାହା ଦେଶର ଆନ୍ତର୍ଜାତୀୟ ସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (BSF)ର ମହାନିର୍ଦ୍ଦେଶକ ଦଳଜିତ ସିଂହ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF)ର ମହାନିର୍ଦ୍ଦେଶକଙ୍କୁ ଦେଶର ସମସ୍ତ ବିମାନବନ୍ଦରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉକି, ଦେଶର ସମସ୍ତ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ CISF ଉପରେ ରହିଛି । CISF ଦେଶର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ରଣନୈତିକ ପ୍ରତିଷ୍ଠାନ ଯେପରିକି ପରମାଣୁ ଶକ୍ତି କେନ୍ଦ୍ର, ତୈଳ ବିଶୋଧନାଗାର, ମହାକାଶ ଗବେଷଣା କେନ୍ଦ୍ର ଅର୍ଥାତ୍ ISROକୁ ସୁରକ୍ଷା ପ୍ରଦାନ କରେ।

ଗୁରୁବାର ରାତି ପ୍ରାୟ ୮ଟାରେ ପାକିସ୍ତାନ ଜମ୍ମୁର ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଥିଲା। ଭାରତୀୟ ସେନାର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲ, ଡ୍ରୋନକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଛି। ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଭାରତ ଲାହୋରରେ ଅବସ୍ଥିତ ପାକିସ୍ତାନର AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ)କୁ ଧ୍ୱଂସ କରିଦେଇଛି। ଏହା ବ୍ୟତୀତ ଭାରତ ପାକିସ୍ତାନର ଫୈସଲାବାଦ, ସରଗୋଧା, ମୁଲତାନ ଏବଂ ସିଆଲକୋଟ ସହରରେ ମଧ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି।

ଭାରତୀୟ ବାୟୁସେନା ପରେ ଏବେ ନୌସେନା ମଧ୍ୟ ଆକ୍ସନ ମୋଡରେ ଅଛି। ପାକିସ୍ତାନର କରାଚୀ ଏବଂ ଓରମାରା ବନ୍ଦର ଉପରେ ଆଇଏନଏସ ବିକ୍ରାନ୍ତରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଫଳରେ ଉଭୟ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

Comments are closed.