ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାତାର ଗସ୍ତ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ କାତାରର ଶାସକ ପରିବାର ପକ୍ଷରୁ ୪୦୦ ନିୟୁତ ଡଲାର ମୂଲ୍ୟର ଏକ ବିଳାସପୂର୍ଣ୍ଣ ବୋଇଂ 747-8 ଜମ୍ବୋ ଜେଟ୍ ଉପହାର ସ୍ୱରୂପ ମିଳିବ ବୋଲି ଚର୍ଚ୍ଚା ହେଉଛି।
ଏନେଇ ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି କହିଛନ୍ତି ଯେ ଆମେରିକା କତାର ରାଜ ପରିବାରଠାରୁ ଏକ ବିଳାସପୂର୍ଣ୍ଣ ବୋଇଂ 747-8 ଜମ୍ବୋ ଜେଟ୍ ମାଗଣାରେ ପାଇବ। ଯାହା ଅସ୍ଥାୟୀ ଭାବରେ ଏୟାର ଫୋର୍ସ ୱାନକୁ ସ୍ଥାନ ନେଇପାରେ। “ବୋଇଂ 747 ମୋତେ ନୁହେଁ, ଯୁକ୍ତରାଷ୍ଟ୍ର ବାୟୁସେନା/ପ୍ରତିରକ୍ଷା ବିଭାଗକୁ ଦିଆଯାଉଛି। ଏହା କତାରର ଏକ ଉପହାର, ଯେଉଁ ଦେଶକୁ ଆମେ ବହୁ ବର୍ଷ ଧରି ସଫଳତାର ସହିତ ସୁରକ୍ଷିତ ରଖିଛୁ। ଆମର ନୂତନ ବୋଇଂ ଆସିବା ପର୍ଯ୍ୟନ୍ତ ଏୟାର ଫୋର୍ସ ୱାନ ଆମ ସରକାର ବ୍ୟବହାର କରିବେ। କେବଳ ଜଣେ ମୂର୍ଖ ହିଁ ମାଗଣା ସାମଗ୍ରୀକୁ ମନା କରିବ।
ତେବେ ଏହି ବିଳାସପୂର୍ଣ୍ଣ ବିମାନରେ ଏକ ମାଷ୍ଟର ବେଡ ରୁମ, ଗେଷ୍ଟ ସୁଟ୍, ଦୁଇଟି ବାଥରୁମ୍, ପାଞ୍ଚଟି ଲାଉଞ୍ଜ, ଏକ ବ୍ୟକ୍ତିଗତ କାର୍ଯ୍ୟାଳୟ ଏବଂ ପାଞ୍ଚଟି ରୋଷେଇ ଘର ରହିଛି। ଏସବୁ ଫରାସୀ ଫାର୍ମ ଆଲବର୍ଟୋ ପିଣ୍ଟୋଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଏହି ଜେଟ୍ କେବଳ ୯୦ ଜଣ ଭିଆଇପି ଏବଂ ୧୪ ଜଣ କ୍ରୁ ମେମ୍ୱରଙ୍କ ପାଇଁ ଡିଜାଇନ କରାଯାଇଛି। ଏହି ବିମାନରେ ଲାଇଭ୍ ଟିଭି, ଇଣ୍ଟରନେଟ୍ ସଂଯୋଗ, ୧୩ଟି ବ୍ଲୁ-ରେ ପ୍ଲେୟାର୍, ୪୦ରୁ ଅଧିକ ଟେଲିଭିଜନ ଏବଂ ସୁନା ଖଚିତ ଇଣ୍ଟିରିଅର୍ ରହିଛି।
Comments are closed.