ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମତି ଶାହଙ୍କ ଆହ୍ୱାନରେ ଆରମ୍ଭ ହୋଇଛି ମାଓବାଦୀ ଦମନ। ସବୁଦିନ ମାଓବାଦୀଙ୍କୁ ନିପାତ କରୁଥିବାର ଖବର ସାମ୍ନାକୁ ଆସୁଛି। ହେଲେ ଆପଣମାନେ କେବେ ଭାବିଛନ୍ତି ଏହି ମାଓବାଦୀମାନେ କେମିତି ଘଞ୍ଚ ଜଙ୍ଗଲ ଜୀବନ ବିତାନ୍ତି। ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ଛତିଶଗଡ଼ର ବସ୍ତର ଭଳି ଘନ ଜଙ୍ଗଲରେ ମାଓବାଦୀମାନେ ନିଜର ଗତିବିଧି ଚାଲୁ ରଖିଛନ୍ତି। ସୁରକ୍ଷା ବାହିନୀଙ୍କ କଡ଼ା ନଜର ଓ ଅଭିଯାନ ମଧ୍ୟରେ ବି ଏମାନେ ଜଙ୍ଗଲର ଅନୁକୂଳ ଭୂପ୍ରକୃତିକୁ ଲୁଚିବା ଓ ବଞ୍ଚିବାର ଅସ୍ତ୍ର ଭାବେ ବ୍ୟବହାର କରନ୍ତି।
ମାଓବାଦୀମାନେ ଜଙ୍ଗଲରେ ଅସ୍ଥାୟୀ ଶିବିର ତିଆରି କରି ରହନ୍ତି। ଏହି ଶିବିରଗୁଡ଼ିକ ପ୍ରାୟତଃ ଗାଁରୁ ଦୂରରେ, ପାହାଡ଼ କିମ୍ବା ଘନ ଜଙ୍ଗଲ ମଧ୍ୟରେ ଥାଏ। ଯେଉଁଠାରେ ସୁରକ୍ଷା ବାହିନୀଙ୍କ ପହଞ୍ଚିବା କଷ୍ଟକର। ଏମାନେ ବାଉଁଶ, ପତ୍ର ଓ ମାଟି ବ୍ୟବହାର କରି ଛୋଟ ଛୋଟ ଝୁମ୍ପଡ଼ି ତିଆରି କରନ୍ତି। ଏହା ସହିତ ଏମାନେ ନିଜର ଅବସ୍ଥାନ ବାରମ୍ବାର ବଦଳାଇ ଚଳନ୍ତି ଯାହା ଫଳରେ ସୁରକ୍ଷା ବାହିନୀ ପାଇଁ ଏମାନଙ୍କୁ ଧରିବା କଷ୍ଟକର ହୁଏ। ରାତିରେ ଏମାନେ ଅନ୍ଧାରର ଲାଭ ଉଠାଇ ଗତିବିଧି କରନ୍ତି ଓ ଦିନ ସମୟରେ ଲୁଚନ୍ତି।
ମାଓବାଦୀମାନେ ଜଙ୍ଗଲରେ ବଞ୍ଚିବା ପାଇଁ ସ୍ଥାନୀୟ ସମ୍ବଳ ଓ ଗାଁରୁ ସାହାଯ୍ୟ ଉପରେ ନିର୍ଭର କରନ୍ତି। ଏମାନେ ପ୍ରାୟତଃ ଜଙ୍ଗଲରୁ ମିଳୁଥିବା ଫଳ, ମୂଳ ଓ ପତ୍ର ଖାଆନ୍ତି। ଏହା ସହିତ ଏମାନେ ଗାଁ ଲୋକଙ୍କଠାରୁ ଚାଉଳ, ଡାଲି, ତେଲ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମାଗି ନିଅନ୍ତି କିମ୍ବା କିଛି କ୍ଷେତ୍ରରେ ବଳପୂର୍ବକ ସଂଗ୍ରହ କରନ୍ତି। କେତେକ ସମୟରେ ଏମାନେ ଜଙ୍ଗଲରେ ମିଳୁଥିବା ଛୋଟ ଛୋଟ ପଶୁମାନଙ୍କୁ ଶିକାର କରି ରାନ୍ଧି ଖାଆନ୍ତି। ପାଣି ପାଇଁ ଏମାନେ ନିକଟସ୍ଥ ଝରଣା କିମ୍ବା ନଦୀ ଉପରେ ନିର୍ଭର କରନ୍ତି। ଖାଦ୍ୟ ସଂରକ୍ଷଣ ପାଇଁ ଏମାନେ ସାଧାରଣତଃ ଶୁଖିଲା ଖାଦ୍ୟ ସାଙ୍ଗରେ ରଖନ୍ତି ଯାହା ଦୀର୍ଘ ଦିନ ପର୍ଯ୍ୟନ୍ତ ଚଳନ୍ତି।
ଜଙ୍ଗଲରେ ବଞ୍ଚିବା ମାଓବାଦୀଙ୍କ ପାଇଁ ସହଜ ନୁହେଁ। ଖାଦ୍ୟ ଓ ପାଣିର ଅଭାବ, ବନ୍ୟଜନ୍ତୁଙ୍କ ଆକ୍ରମଣ ଓ ରୋଗ ଏମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ତଥାପି, ସ୍ଥାନୀୟ ଆଦିବାସୀଙ୍କ ସାହାଯ୍ୟ ଓ ଜଙ୍ଗଲ ସମ୍ବଳର ବ୍ୟବହାର କରି ଏମାନେ ନିଜର ଅସ୍ତିତ୍ୱ ବଜାୟ ରଖିଛନ୍ତି। ସୁରକ୍ଷା ବାହିନୀ ଓ ସରକାରୀ ଅଭିଯାନ ଯୋଗୁ ମାଓବାଦୀଙ୍କ ଉପରେ ଚାପ ବଢ଼ିଚାଲିଛି। ତଥାପି, ଜଙ୍ଗଲର ଗହନ ଅଞ୍ଚଳ ଏମାନଙ୍କୁ ଏକ ପ୍ରକାର ଆଶ୍ରୟ ଯୋଗାଇ ଚାଲିଛି।
Comments are closed.