Latest Odisha News

BREAKING NEWS

ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି

ଭୁବନେଶ୍ୱର: ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଭିଯାନ (ସିଏସଡ଼ି) ଓଡିଶା ଏବଂ ଅନ୍ୟାନ୍ୟ ଲୋକ ସଂଗଠନମାନଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପେସା ଆଇନ୍ ନିୟମାବଳୀ ପ୍ରଣୟନ କ୍ଷେତ୍ରରେ ଅହେତୁକ ବିଳମ୍ବ ଏବଂ ଜଙ୍ଗଲ ଅଧିକାର ଆଇନ-୨୦୦୬ ର ଉପଯୁକ୍ତ କାର୍ଯ୍ୟକାରିତା ଦାବିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଏହି ସମ୍ମିଳନୀରେ ବିଭିନ୍ନ ଆଦିବାସୀ ସମାଜ/କୂଳର ପ୍ରତିନିଧି ମାନଙ୍କ ସମେତ ଜଙ୍ଗଲ ଅଧିକାର ଆନ୍ଦୋଳନର କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ। ସି.ଏସ୍.ଡି.ର ରାଜ୍ୟ ଆବାହକ ଗୋପୀନାଥ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ରାଜ୍ୟ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ସମ୍ମୀଳନୀରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଆବାହକ ମଣ୍ଡଳୀ ସଦସ୍ୟ ନରେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ସର୍ବଶ୍ରୀ ବିରଞ୍ଚି ବରିହା, ଭୀଷ୍ମ ପାଙ୍ଗି, ଅରୁଣ ଦିହୁଡି, ଡଃ ଶ୍ରୀଚରଣ ବେହେରା, ସନ୍ଦୀପ ପଟ୍ଟନାୟକ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପ୍ରଥମ ଅଧିବେଶନକୁ ପରିଚାଳନା କରିଥିଲେ।

ଆମ ଦେଶରେ ରହିଥିବା ସମସ୍ତ ଆଦିବାସୀ ଅଧ୍ୟୁଷିତ ଅର୍ଥାତ ପଞ୍ଚମ ଅନୁସୂଚିତ ଅଞ୍ଚଳ ମଧ୍ୟରେ ରହିଥିବା ରାଜ୍ୟ ମାନଙ୍କରେ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସମ୍ପ୍ରସାରଣ ଅଧିନିୟମ (ପେସା) ୧୯୯୬ କୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ମାନେ କେବଳ ଓଡ଼ିଶାକୁ ଛାଡି ଏହାର ନିୟମ ପ୍ରଣୟନ କରି ସାରିଲେଣି। ଏହି ଆଇନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ (ପଞ୍ଚମ ଅନୁସୂଚୀ) ଅଞ୍ଚଳରେ ସେମାନଙ୍କର ବିକାଶ, ସାମୁଦାୟିକ ଓ ପ୍ରାକୃତିକ ସମ୍ବଳର ସୁରକ୍ଷା ଓ ପରିଚାଳନା, ଭୂସମ୍ପତ୍ତିର ଅଧିକାର ଓ ସୁରକ୍ଷା, ସ୍ଵୟଂଶାସନ ବ୍ୟବସ୍ଥାରେ ନେତୃତ୍ଵ ଓ ନିଷ୍ପତ୍ତି ନେବା, ଯୋଜନା ପ୍ରସ୍ତୁତ ଓ ବିକାଶ ମୂଳକ କାର୍ଯ୍ୟ ଗୁଡିକର ତଦାରଖ କରିବା ଆଦିରେ ସେମାନଙ୍କର ଭୂମିକା (ପ୍ରତ୍ୟକ୍ଷ ଓ ପରୋକ୍ଷ) ଓ ବିଶେଷ ସହଭାଗୀତାକୁ ସ୍ଵୀକୃତି ଦିଆଯାଇଛି।

ଅନ୍ୟ ଆଇନ୍ ଗୁଡ଼ିକ ଠାରୁ ପେସା ଏକ ଭିନ୍ନ ଆଇନ୍, ଯାହା ଭାରତର ସମ୍ବିଧାନର ଏକ ଅଂଶବିଶେଷ। ଏହା ଅନୁସୂଚିତ ଅଞ୍ଚଳ ପାଇଁ ସ୍ଵତନ୍ତ୍ର ସ୍ୱୟଂଶାସନ ବ୍ୟବସ୍ଥା ଓ ଆଦିବାସୀ ମାନଙ୍କର ହାତକୁ ସେମାନଙ୍କର ଉତ୍ତମ ସ୍ଵଶାସନ ବ୍ୟବସ୍ଥା ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ତାଙ୍କ ହାତରେ କ୍ଷମତା ବିକେନ୍ଦ୍ରୀକରଣ ନିମନ୍ତେ କରାଯାଇଛି। କିନ୍ତୁ ଓଡ଼ିଶା ସରକାର ୨୦୨୩ ମସିହାଠାରୁ ପେସା ଆଇନକୁ ଲାଗୁ କରିବା ପାଇଁ ନିୟମ ପ୍ରଣୟନ ନାଁରେ ଏପର୍ଯ୍ୟନ୍ତ କେବଳ ମିଥ୍ୟା ଆଶ୍ଵାସନା ଦେଇ ଚାଲିଛନ୍ତି ବୋଲି ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଛି।

ଓଡ଼ିଶାର ମୋଟ ଭୌଗୋଳିକ ଅଞ୍ଚଳର ୪୪.୭ % ଭାଗ ଅନୁସୂଚିତ ଅଞ୍ଚଳ ମଧ୍ୟରେ ରହିଥିବା ଆଦିବାସୀ କେବଳ ପୁଞ୍ଜିପତି ଓ କର୍ପୋରେଟ ମାନଙ୍କର ଲାଭ ଓ ଲୋଭକୁ ଚରିତାର୍ଥ କରିବାପାଇଁ ତଥାକଥିତ ବିକାଶ ନାଁରେ ହେଉଥିବା ବିନାଶକାରୀ ଷଢଯନ୍ତ୍ର ମଧ୍ୟରେ ଘାଣ୍ଟି ହେଉଛନ୍ତି। ଗ୍ରାମସଭା ଏବଂ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ମାନଙ୍କର ସାମ୍ବିଧାନିକ ତଥା ଆଇନଗତ ଅଧିକାରକୁ ସରକାରୀତନ୍ତ୍ର ଦ୍ଵାରା ଦମନ କରି ଅଣଦେଖା କରାଯାଉଛି। ଅନୁସୂଚିତ ଅଞ୍ଚଳରେ ସ୍ଵୟଂଶାସନର ବିଶେଷ ଅଧିକାରର ଅର୍ଥ ସମ୍ପୂର୍ଣ ଅର୍ଥହୀନ ହୋଇ ଚାଲିଛି। ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଅନୁସୂଚିତ ଜନଜାତିର ସାମ୍ବିଧାନିକ ସୁରକ୍ଷା ଓ ବିକାଶ ବଦଳରେ ବିସ୍ଥାପନ, ଦାରିଦ୍ର୍ୟତା, ଅତ୍ୟାଚାର ଏବଂ ସେମାନଙ୍କର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ବଳ ଉପରେ ଥିବା ଅଧିକାର ଓ ଜୀବନ ଜୀବିକା ଆହୁରି ଅସୁରକ୍ଷିତ ହୋଇ ଚାଲିଛି ବୋଲି ଆଲୋଚନାରେ ମତପ୍ରକାଶ ପାଇଛି।

ଓଡ଼ିଶାରେ ନୂତନ ସରକାର ୨୦୨୪ ରେ ଶାସନକୁ ଆସିବା ପରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଗତିକୁ ପୁରାପୁରି ଅଣଦେଖା କରାଯାଉଛି କିମ୍ବା ଶୀତଳ ଭଣ୍ଡାରରେ ରଖି ଦିଆଯାଉଛି। ଜଙ୍ଗଲ ଅଧିକାର ଆଇନ୍, ଏକ ଐତିହାସିକ ଆଇନ ଯାହା ଆଦିବାସୀ ଓ ଜଙ୍ଗଲ ଅଧିବାସୀ ମାନଙ୍କର ପ୍ରାକୃତିକ ସମ୍ବଳର ସୁରକ୍ଷା, ସଂରକ୍ଷଣ ଓ ଖାଦ୍ୟ ସୁରକ୍ଷା ସହିତ ଜଙ୍ଗଲ ସମ୍ବଳର ପରିଚାଳନାରେ ଗ୍ରାମସଭାକୁ ଉତ୍ତର ଦାୟିତ୍ଵ ଓ କ୍ଷମତା ଦେଇ ଏକ ପ୍ରଗତିଶୀଳ ପରିବର୍ତ୍ତନ ଆଣିଥିଲା, ତାକୁ କିପରି ଉପାୟରେ ଲୋକମାନଙ୍କ ପାଖରୁ ଛଡେଇ ନିଆଯିବ, ସେଥିପାଇଁ ରୀତିମତ ଷଡଯନ୍ତ୍ର ଚାଲିଛି ବୋଲି ଆଦିବାସୀ ସମାଜ, ଜଙ୍ଗଲ ଅଧିକାର ଆନ୍ଦୋଳନର କର୍ମୀ ଓ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.