FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ ଦୁର୍ବ୍ୟବହାର…’, ବିଜେପିର ବଡ ଅଭିଯୋଗ, ଦୁହିଁଙ୍କ ନାଁରେ FIR!
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ବୁଧବାର ଇଣ୍ଡିଆ ମେଣ୍ଟର ବିକ୍ଷୋଭ ବେଳେ ହୋଇଥିବା ଧସ୍ତାଧସ୍ତି ଘଟଣାକୁ ନେଇ ରାଜନୈତିକ ତାତି ବଢ଼ିଛି। ଏହି ଘଟଣାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କ ବିରୋଧରେ ଦିଲ୍ଲୀ ପୁଲିସ FIR ରୁଜୁ କରିଛି। ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।
ବୁଧବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଦିଲ୍ଲୀରେ ବିକ୍ଷୋଭ କରିଥିଲେ। ରାହୁଲ ଗାନ୍ଧୀ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ଜନପଥର ଏକ ରେଷ୍ଟୁରାଣ୍ଟରେ ମଧ୍ୟାହ୍ନ ଭୋଜନ ପରେ ବିରୋଧୀ ନେତାମାନେ ବସ୍ରେ ଜନ୍ତରମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇଥିଲା। ଏହାକୁ ନେଇ ନେତା ଓ ପୁଲିସ ମଧ୍ୟରେ ତୀବ୍ର ବାକ୍ବିତଣ୍ଡା ଓ ଧସ୍ତାଧସ୍ତି ହୋଇଥିଲା।
ଏହି ସମୟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। BJP ପକ୍ଷରୁ ମଧ୍ୟ ଦୁଇଟି ଭିଡିଓ ଜାରି କରାଯାଇଛି। BJPର ଅଭିଯୋଗ ଅନୁସାରେ, ଗୋଟିଏ ଭିଡିଓରେ ପ୍ରିୟଙ୍କା ଗାନ୍ଧୀ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରୁଥିବା ଏବଂ ତାଙ୍କୁ କୋହୁଣି ମାରୁଥିବା ଦେଖାଯାଉଛି। ଅନ୍ୟ ଏକ ଭିଡିଓରେ ରାହୁଲ ଗାନ୍ଧୀ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଉଥିବା ଦାବି କରାଯାଇଛି।
ଅନ୍ୟପଟେ, ପୁଲିସ କହିଛି ଯେ ବିକ୍ଷୋଭ ସମୟରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରୁ ମୋଟ ୯୧ ଜଣଙ୍କୁ ଅଟକ ରଖାଯାଇଥିଲା। ଏଥିରେ ଅନେକ ସାଂସଦ ଓ ବିରୋଧୀ ନେତା ମଧ୍ୟ ଥିଲେ। ବର୍ତ୍ତମାନ ମାମଲାରେ କିଏ କେତେ ଭୂମିକା ନେଇଥିଲେ, ପୁଲିସ ତାହାର ତଦନ୍ତ କରୁଛି।
ବିକ୍ଷୋଭ ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ମହିଳା ନେତା ସମ୍ବିଧାନର ନକଲ ହାତରେ ଧରି ରାସ୍ତାରେ ବସିଥିଲେ। ପୁଲିସ ସେମାନଙ୍କୁ ସେଠାରୁ ହଟାଇ ବସ୍ରେ ବସାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢ଼ିଥିଲା।
ଏହି ବିକ୍ଷୋଭରେ କଂଗ୍ରେସ ସହ ତୃଣମୂଳ କଂଗ୍ରେସ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPI-M), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI), ଆରଜେଡି, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ସମେତ ଅନ୍ୟ କିଛି ବିରୋଧୀ ଦଳର ସାଂସଦମାନେ ସାମିଲ ହୋଇଥିଲେ।
ଏବେ ରାହୁଲ ଓ ପ୍ରିୟଙ୍କାଙ୍କ ବିରୋଧରେ FIR ପରେ ଏହି ଘଟଣା ନେଇ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ତଦନ୍ତ ପରେ ଧସ୍ତାଧସ୍ତିର ପ୍ରକୃତ ଘଟଣାକ୍ରମ ଓ ପ୍ରତ୍ୟେକ ନେତାଙ୍କ ଭୂମିକା ସ୍ପଷ୍ଟ ହେବ।

