Latest Odisha News

BREAKING NEWS

ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଓପନର ଜେକ୍ ୱେଦରାଲ୍ଡ ଫିଲ୍ଡିଂ ସମୟରେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଶେଫିଲ୍ଡ ଶିଲ୍ଡ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭିକ୍ଟୋରିଆ ବିପକ୍ଷରେ ଫିଲ୍ଡିଂ କରୁଥିବା ସମୟରେ ବାଉଣ୍ଡ୍ରି ନିକଟରେ ଥିବା ଏକ ମେଟାଲ୍ ଆଡଭରଟାଇଜିଂ ବୋର୍ଡ ସହ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା । ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବୁଧବାର ଭିକ୍ଟୋରିଆର ପ୍ରଥମ ଇନିଂସର ୨୪ତମ ଓଭରରେ ଏହି ଦୁର୍ଘଟଣା ଘଟିଥିଲା । ଓଲି ପିକ୍‌ଙ୍କ ଏକ ଶଟ୍‌କୁ ରୋକିବାକୁ ଯାଇ ୱେଦରାଲ୍ଡ ସ୍ଲାଇଡ୍ କରିଥିଲେ, କିନ୍ତୁ ଗତି ନିୟନ୍ତ୍ରଣ କରି ନପାରି ସେ ବାଉଣ୍ଡ୍ରି ବାହାରକୁ ଚାଲିଯାଇଥିଲେ ଏବଂ ତାଙ୍କ ମୁଣ୍ଡର ପଛ ଭାଗ ମେଟାଲ୍ ବୋର୍ଡରେ ବାଜିଥିଲା । ଘଟଣା ସମୟରେ ସେ ସାଧାରଣ ଥିଲେ ଏବଂ ଦିନସାରା ଫିଲ୍ଡିଂ ମଧ୍ୟ କରିଥିଲେ । ମାତ୍ର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ କନ୍‌କସନ୍ ଲକ୍ଷଣ ପ୍ରକାଶ ପାଇଥିଲା ।

ଗୁରୁବାର ସକାଳେ ମେଡିକାଲ୍ ପରୀକ୍ଷା ପରେ ତାଙ୍କୁ ମ୍ୟାଚ୍‌ରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ମାଥ୍ୟୁ ଗିଲ୍କସଙ୍କୁ ‘କନ୍‌କସନ୍ ସବ୍‌ଷ୍ଟିଚ୍ୟୁଟ୍’ ଭାବେ ଦଳରେ ସାମିଲ କରାଯାଇଛି । କ୍ରିକେଟ୍ ଅଷ୍ଟ୍ରେଲିଆର ଗାଇଡ୍‌ଲାଇନ୍ ଅନୁସାରେ, ମୁଣ୍ଡରେ ଗୁରୁତର ଆଘାତ ଲାଗିଲେ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପଡ଼ିଥାଏ । ଡାକ୍ତରଙ୍କ ନଜରରେ ଖେଳାଳି କମ୍‌ସେ କମ୍ ୧୪ ଦିନ ବିଶ୍ରାମ ନେବା ପରେ ଧୀରେ ଧୀରେ ଟ୍ରେନିଂ ଆରମ୍ଭ କରିପାରିବେ । ଆହାତ ହେବା ଦିନଠାରୁ ଅତି କମ୍‌ରେ ୨୧ ଦିନ ପରେ ଏବଂ ମେଡିକାଲ୍ କ୍ଲିୟରାନ୍ସ ମିଳିବା ପରେ ହିଁ ସେ ମ୍ୟାଚ୍‌କୁ ଫେରିପାରିବେ । ମାଥ୍ୟୁ ଗିଲ୍କସ୍ ଦ୍ୱିତୀୟ ଇନିଂସରେ ସାଉଥ୍ ଅଷ୍ଟ୍ରେଲିଆ ପାଇଁ ବ୍ୟାଟିଂ କରିବେ । ପ୍ରଥମ ଇନିଂସରେ ଭିକ୍ଟୋରିଆ ୨୪୪ ରନ୍ କରି ଅଲ୍‌ଆଉଟ୍ ହୋଇଥିବା ବେଳେ, ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସାଉଥ୍ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୪ ରନ୍ ସଂଗ୍ରହ କରିଛି । ୩୧ ବର୍ଷୀୟ ୱେଦରାଲ୍ଡ ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରି ଜାତୀୟ ଟେଷ୍ଟ ଦଳକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.