Latest Odisha News

BREAKING NEWS

ପାକିସ୍ତାନ ଉପରେ ବର୍ଷିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ, ସିଧା ଚେତାବନୀ ଦେଲେ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ପ୍ରସଙ୍ଗକୁ ନେଇ ଏବେ ପାକିସ୍ତାନ ସମାଲୋଚନାର ଶିକାର ହେଉଥିବା ବେଳେ, ଏବେ ପାକିସ୍ତାନ ଉପରେ ବର୍ଷିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଫିଲ୍ଡ ମାର୍ଶାଲ କାହିଁ ଦେଲ ରାଜା ଉପାଧି ଦେବାର ଥିଲା । ଏଥିସହିତ, ଭାରତର ଆକ୍ରମଣ ନେଇ ସିଧା ପାକିସ୍ତାନକୁ ଚେତାବନୀ ଦେଇଛନ୍ତି, ପ୍ରସ୍ତୁତ ରୁହ, ନହେଲେ ପସ୍ତେଇବ ବୋଲି କହିଛନ୍ତି ।

ତେବେ ଭାରତ ସହିତ ସମ୍ପ୍ରତି ସଂଘର୍ଷରେ ତାଙ୍କର ଭୂମିକାକୁ ସାବାସୀ ଦେଇ ଜେନେରାଲ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀକୁ ପଦୋନ୍ନତି ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ସରିଫ୍ । ଦେଶର ଇତିହାସରେ ଏହି ପଦବୀକୁ ପଦୋନ୍ନତି ପାଇବାରେ ସେ ଦ୍ୱିତୀୟ ସର୍ବୋଚ୍ଚ ସାମରିକ ଅଧିକାରୀ ହୋଇଛନ୍ତି। ଏନେଇ ନିଜ ଏକ୍ସରେ ସରିଫଙ୍କ ଉପରେ ବର୍ଷି ଇମ୍ରାନ ଖାନ୍ ଲେଖିଛନ୍ତି, ସେନା ମୁଖ୍ୟଙ୍କୁ ‘ଫିଲ୍ଡ ମାର୍ଶାଲ’ ବଦଳରେ ‘ରାଜା’ ଉପାଧି ଦିଆଯାଇଥିଲେ ଭଲ ହୋଇଥାନ୍ତା । କାରଣ ପାକିସ୍ତାନରେ ବର୍ତ୍ତମାନ ଜଙ୍ଗଲ ରାଜ ଚାଲିଛି ଏବଂ ଜଙ୍ଗଲରେ କେବଳ ଜଣେ ରାଜା ଅଛନ୍ତି।

ଏଥିସହିତ ପାକିସ୍ତାନକୁ ଭାରତ ସହ ଲାଗିବା ନେଇ କଡା ଚେତାବନୀ ବି ଦେଇଛନ୍ତି । କହିଛନ୍ତି, ଦେଶ ବାହ୍ୟ ବିପଦ, ଆତଙ୍କବାଦ ବୃଦ୍ଧି ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଆମକୁ ଏକ ହେବା ଉଚିତ। ମୁଁ ପୂର୍ବରୁ କେବେ ନିଜ ପାଇଁ କିଛି ମାଗି ନାହିଁ ଏବଂ ଏବେ ମଧ୍ୟ କେବେ କିଛି ମାଗିବି ନାହିଁ । ସେ ଭାରତର ଆଉ ଏକ ଆକ୍ରମଣ ବିଷୟରେ ଶାହବାଜ ସରିଫ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଏପରି ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ। ପାକିସ୍ତାନକୁ ଏପରି ଏକ ସ୍ଥାନ କରାଯାଇଛି ଯେଉଁଠାରେ ଆଇନ କେବଳ ଦୁର୍ବଳ ଲୋକଙ୍କ ଉପରେ ପ୍ରଯୁଜ୍ୟ ହୁଏ, ଶକ୍ତିଶାଳୀ ଲୋକଙ୍କ ଉପରେ ନୁହେଁ।

ସେ ଆହୁରି କହିଛନ୍ତି ଯେ ଖାଇବର ପଖତୁନଖ୍ୱାର ଅଞ୍ଚଳରେ ଡ୍ରୋନ ଆକ୍ରମଣ ବିଷୟରେ ସେ ସୂଚନା ପାଇଛନ୍ତି ଏବଂ ସେ ଖୈବର ପଖତୁନଖ୍ୱା ସରକାରଙ୍କୁ ସଂଘୀୟ ସରକାରଙ୍କ ନିକଟରେ ଆନୁଷ୍ଠାନିକ ଭାବରେ ପ୍ରତିବାଦ କରିବାକୁ ଏବଂ ଏହି ଡ୍ରୋନ ଆକ୍ରମଣ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନକୁ ଭତ୍ସନା କରି କହିଛନ୍ତି, ଡ୍ରୋନ୍ ଆକ୍ରମଣରେ ନିର୍ଦ୍ଦୋଷ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆତଙ୍କବାଦକୁ ହ୍ରାସ କରେ ନାହିଁ ବରଂ ଏହାକୁ ଉତ୍ସାହିତ କରେ । ବର୍ଷ ବର୍ଷର ସଂଘର୍ଷ ପରେ, ଆମେ ପାକିସ୍ତାନରେ ଆମେରିକୀୟ ଡ୍ରୋନ ଅପରେସନକୁ ବନ୍ଦ କରିବାରେ ସଫଳ ହୋଇଛୁ। ଯଦି ତୁମେ ନିଜକୁ ଆତଙ୍କବାଦ ବିରୋଧୀ ବୋଲି ଦାବି କରୁଛ, ତେବେ ନିଜ ଲୋକଙ୍କ ଘର ଉପରେ ବୋମା ପକାଅ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ।

ଅଗଷ୍ଟ ୨୦୨୩ ଠାରୁ ଅନେକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହା ବି ସ୍ଫଷ୍ଟ କରିଛନ୍ତି ଯେ, ତାଙ୍କ ସହିତ କୌଣସି ଚୁକ୍ତିନାମାର ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା । କହିଛନ୍ତି, କୌଣସି ଚୁକ୍ତି ହୋଇନାହିଁ କି କୌଣସି ଆଲୋଚନା ହେଉନାହିଁ । ଏଗୁଡ଼ିକ ଭିତ୍ତିହୀନ ଆଲୋଚନା । ତଥାପି, ଯଦି ସେମାନେ ପ୍ରକୃତରେ ପାକିସ୍ତାନର ସ୍ୱାର୍ଥ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି, ତେବେ ସେ ସାମରିକ ଅଧିକାରୀମାନଙ୍କୁ ତାଙ୍କ ସହିତ ଆଲୋଚନା କରିବାକୁ ଖୋଲାଖୋଲି ନିମନ୍ତ୍ରଣ ଦେଇଛନ୍ତି ।

ଏହାବ୍ୟତୀତ ପାକିସ୍ତାନ କିପରି ତାଙ୍କ ଉପରେ ମଧ୍ୟ ଜୁଲମ୍ କରୁଛି ସେନେଇ ବି ଲେଖିଛନ୍ତି ଇମ୍ରାନ । ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ପାକିସ୍ତାନର ନୈତିକ ଏବଂ ସାମ୍ବିଧାନିକ ଗଠନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ତୋଷାଖାନା-୨ ମାମଲାର ହାସ୍ୟାସ୍ପଦ ଶୁଣାଣି ପୁଣି ଥରେ ଆରମ୍ଭ ହୋଇଛି। ଜେଲ ପରି, କୋର୍ଟ କାର୍ଯ୍ୟ ମଧ୍ୟ ଜଣେ କର୍ଣ୍ଣେଲଙ୍କ ଇଚ୍ଛା ଅନୁସାରେ ସ୍ଥିର ହୁଏ। ମୋ ଭଉଣୀ ଏବଂ ଓକିଲମାନଙ୍କୁ କୋର୍ଟକୁ ଆସିବାରୁ ବାରଣ କରାଯାଉଛି। ମୋର ସହକର୍ମୀମାନଙ୍କୁ ମୋତେ ଭେଟିବାକୁ ଅନୁମତି ଦିଆଯାଉନାହିଁ, ମୋତେ ମାସ ମାସ ଧରି ମୋ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉନାହିଁ। ଏପରିକି ମୋର ପୁସ୍ତକ ମଧ୍ୟ ପହଞ୍ଚାଯାଉନାହିଁ ଏବଂ ମୋତେ ମୋର ଡାକ୍ତରଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ। ଏହା କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଆଇନର କ୍ରମାଗତ ଉଲ୍ଲଂଘନ ବୋଲି ସେ ଲେଖିଛନ୍ତି ।

Comments are closed.