ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଦୁଃଖଦ ଖବର ସେୟାର କରିଛନ୍ତି। ଦୀପିକାଙ୍କୁ ଷ୍ଟେଜ-୨ ଲିଭର କ୍ୟାନସର୍ ହୋଇଛି। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ କହିଛନ୍ତି ଯେ ତାଙ୍କ ଯକୃତରେ ଥିବା ଟ୍ୟୁମର ପ୍ରକୃତରେ କର୍କଟ ରୋଗ ଏବଂ ଏହି କର୍କଟ ରୋଗ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଅଭିନେତ୍ରୀ ଜଣକ ବିଳମ୍ବିତ ରାତିରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବଡ଼ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କ ଅସୁସ୍ଥତା ବିଷୟରେ ଜଣାଇଥିଲେ ଏବଂ ତାଙ୍କ ସମସ୍ତ ପ୍ରିୟଜନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ।
ଦୀପିକା କକ୍କର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ଆପଣମାନେ ସମସ୍ତେ ଜାଣନ୍ତି ଯେ ଗତ କିଛି ସପ୍ତାହ ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର ଥିଲା। ମୋର ପେଟର ଉପର ଭାଗରେ ବହୁତ ଦିନ ଧରି ଯନ୍ତ୍ରଣା ହେଉଥିଲା। ଯେତେବେଳେ ଆମେ ହସ୍ପିଟାଲକୁ ଗଲୁ, ଆମେ ଜାଣିବାକୁ ପାଇଲୁ ଯେ ମୋ ଯକୃତରେ ଟେନିସ୍ ବଲ୍ ପରି ବଡ଼ ଏକ ଟ୍ୟୁମର ଅଛି। ଏବେ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏହି ଟ୍ୟୁମ ଦ୍ୱିତୀୟ ପର୍ଯ୍ୟାୟ ମାଲିଗ୍ନାଣ୍ଟ ଅର୍ଥାତ୍ ଏହା କର୍କଟ ରୋଗ।

ଏହି କଠିନ ସମୟରେ ମଧ୍ୟ ଦୀପିକା ସାହସ ହରାଇ ନାହାଁନ୍ତି। ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, “ଆମେ ବହୁତ କଷ୍ଟକର ସମୟ ଦେଖିଛୁ। ତଥାପି ମୁଁ ସକାରାତ୍ମକ ଏବଂ ମୁଁ ପୂର୍ଣ୍ଣ ସାହସର ସହିତ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ। ଇନଶାଆଲ୍ଲାହ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ଏବଂ ଏହି ପରିସ୍ଥିତିରୁ ବାହାରି ଆସିବି। ଏହି ସମୟରେ ମୋର ପୂରା ପରିବାର ମୋ ସହିତ ଅଛି ଏବଂ ଆପଣମାନଙ୍କ ସମସ୍ତଙ୍କର ପ୍ରେମ ଏବଂ ବହୁତ ପ୍ରାର୍ଥନା ମଧ୍ୟ ଆମ ସହିତ ଅଛି। ଦୟାକରି ମୋ ପାଇଁ ପ୍ରାର୍ଥନା କରନ୍ତୁ।” ଦୀପିକାଙ୍କ ଏହି ପୋଷ୍ଟ ପରେ, ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ବହୁତ ପ୍ରତିକ୍ରିୟା ଆସିଛି। ସମସ୍ତେ ତାଙ୍କ ସୁସ୍ଥତା ପାଇଁ ଏବଂ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।
କିଛି ଦିନ ପୂର୍ବେ ଦୀପିକା କକ୍କରଙ୍କ ସ୍ୱାମୀ ସୋଏବ ଇବ୍ରାହିମ ତାଙ୍କ ଭ୍ଲଗରେ କହିଥିଲେ ଯେ ଦୀପିକାଙ୍କ ପେଟରେ ଯନ୍ତ୍ରଣା ହେଉଛି, ଯାହା ପରେ ପରୀକ୍ଷା କରିବା ପରେ ତାଙ୍କ ଯକୃତରେ ଏକ ଟ୍ୟୁମର ଚିହ୍ନଟ ହୋଇଥିଲା। ପୂର୍ବରୁ ତାଙ୍କର ଅସ୍ତ୍ରୋପଚାର କରାଯିବାର ଯୋଜନା ଥିଲା, କିନ୍ତୁ ଜ୍ୱର ଏବଂ ଫ୍ଲୁ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏବେ ଟ୍ୟୁମର କର୍କଟ ରୋଗରେ ପରିଣତ ହୋଇଥିବା ଖବର କେବଳ ଦୀପିକାଙ୍କ ପରିବାରକୁ ନୁହେଁ ବରଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ମଧ୍ୟ ଆଚମ୍ବିତ କରିଛି।
Comments are closed.