ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ପଞ୍ଜାବର ଫିରୋଜପୁର ଜିଲ୍ଲାର ତାରା ୱାଲି ଗାଁର। ଧୂଆଁ, ଧୂଳି ଓ ଗରମ ଭିତରେ ଶହ ଶହ ଗ୍ରାମବାସୀ ନିଜ ଆଖି ସାମ୍ନାରେ ଦେଖିଥିଲେ ଅପରେସନ ସିନ୍ଦୂରର ରୂପ। ସେନାବାହିନୀ ଗାଁର ଖୋଲା ପଡ଼ିଆରେ ଶିବିର ସ୍ଥାପନ କରିଥିଲେ। ସେମାନଙ୍କ ବୁଟ୍ ଚିହ୍ନ ଭୂମିରେ ଅଙ୍କିତ ହୋଇଥିବା ବେଳେ ଗୋଳାବାରୁଦ ଶବ୍ଦ ସାରା ଅଞ୍ଚଳରେ ଗୁଞ୍ଜରିତ ହେଉଥିଲା।
ଏହି ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ ଯବାନଙ୍କ ସାହସ ଓ ବଳିଦାନ ଜଣେ ୧୦ ବର୍ଷୀୟ ବାଳକ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିଦେଇଥିଲା। ଯାହା ପାଖରେ କୌଣସି ୟୁନିଫର୍ମ ନଥିଲା, କୌଣସି ଅସ୍ତ୍ର ମଧ୍ୟ ନଥିଲା। କେବଳ ରହିଥିଲା ଅପାର ସାହସ।
ତାରା ୱାଲି ଗାଁର ଜଣେ ବାଳକ ଯିଏ ନା ଜଣେ ସୈନିକ ଥିଲେ ନା ତାଲିମପ୍ରାପ୍ତ ଥିଲେ, କିନ୍ତୁ ତାଙ୍କର ନିଷ୍ଠା ଏବଂ ଆଗ୍ରହ ସମଗ୍ର ଗାଁ ଏବଂ ଭାରତୀୟ ସେନା ପାଇଁ ପ୍ରେରଣା ପାଲଟିଥିଲା। ଏହା ହେଉଛି କୃଷକ ସୋନା ସିଂହଙ୍କ ପୁଅ ୧୦ ବର୍ଷୀୟ ଶ୍ରବଣ ସିଂହଙ୍କ କାହାଣୀ, ଯାହାକୁ ଭାରତୀୟ ସେନା ‘ଅପରେସନ୍ ସିନ୍ଦୂରର ସବୁଠାରୁ ଛୋଟ ନାଗରିକ ଯୋଦ୍ଧା’ ଘୋଷଣା କରିବା ସହ ସମ୍ମାନିତ କରିଛି। ଯେତେବେଳେ ସୈନିକମାନେ ଅପରେସନ ସିନ୍ଦୂର ଅଧୀନରେ ଗାଁରେ ଶିବିର ସ୍ଥାପନ କରିଥିଲେ, ସେତେବେଳେ ସମଗ୍ର ଅଞ୍ଚଳ ଡହ ଡହ ଖରାରେ ଜଳୁଥିଲା।
ଚାରିପାଖରେ ସୈନିକମାନଙ୍କର କଡ଼ା ସତର୍କତା, ଅସ୍ତ୍ରଶସ୍ତ୍ରର ଶବ୍ଦ ଏବଂ ଅନିଶ୍ଚିତତାର ବାତାବରଣ ଥିଲା। କିନ୍ତୁ ଏହି ପରିବେଶରେ, ଗୋଟିଏ ଛୋଟ ପିଲା ପ୍ରତିଦିନ ତା’ର ଛୋଟ ହାତରେ କ୍ଷୀର, ଲସି, ଥଣ୍ଡା ପାଣି ଏବଂ ବରଫ ଧରି ସୈନିକମାନଙ୍କ ପାଖରେ ପହଞ୍ଚି ଯାଉଥିଲା। ଶ୍ରବଣ ପ୍ରତିଦିନ ଗରମରେ ଦୌଡ଼ି ସୈନିକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆଶ୍ୱସ୍ତ କରୁଥିଲା ଯେ ସେମାନେ ଏକା ନୁହଁନ୍ତି। ‘ଶ୍ରବଣଙ୍କ ପାଇଁ, ଯବାନମାନେ କେବଳ ରକ୍ଷାକର୍ତ୍ତା ନଥିଲେ, ସେମାନେ ତାଙ୍କର ଆଦର୍ଶ ମଧ୍ୟ ଥିଲେ।
ତେବେ ସେନାର ୭ମ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ରଞ୍ଜିତ ସିଂହ ମନରାଲ ନିଜେ ତାଙ୍କୁ ସାର୍ବଜନୀନ ଭାବରେ ସମ୍ମାନିତ କରିଥିଲେ। ଶ୍ରବଣଙ୍କୁ ପୁରସ୍କାର, ସ୍ୱତନ୍ତ୍ର ଖାଦ୍ୟ ଏବଂ ତାଙ୍କର ପ୍ରିୟ ଆଇସକ୍ରିମ ମଧ୍ୟ ଦିଆଯାଇଥିଲା।
ଏହି ଛୋଟ ପିଲାର ନିଃସ୍ୱାର୍ଥପର ସେବା କେବଳ ସେନାକୁ ପ୍ରେରଣା ଦେଇନଥିଲା, ବରଂ ସମଗ୍ର ଗାଁ ଏବଂ ଦେଶକୁ ଶିଖାଇଥିଲା ଯେ ଦେଶପ୍ରେମର କୌଣସି ବୟସ ନଥାଏ।
Comments are closed.