Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫୨: ଏଇତ ପରମ ଫଳ ପରମ ପୁରୁଷାର୍ଥ, ଯାର ଆଗେ ତୃଣ ତୁଲ୍ୟ ଚାରି ପୁରୁଷାର୍ଥ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଆମଙ୍କୁ ଶିକ୍ଷା ଦେଲା ଯେ ଅତୁଟ ଭକ୍ତି ଯୋଗେ ହିଁ ଭଗବତ ପ୍ରାପ୍ତ ହୁଅନ୍ତି। ଜୀବର ପରମ ଇଚ୍ଛା ଚତୁଷ୍ଟୟ ପୁରୁଷାର୍ଥ ପ୍ରାପ୍ତ କରିବା ଅର୍ଥାତ ସଂସାର ମଧ୍ୟରେ ରହି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଜିବା ଏହା ଶାସ୍ତ୍ର ମତରେ ଜୀବ ମାନଙ୍କର ପୁରୁଷାର୍ଥ କିନ୍ତୁ ଶ୍ରୀମଦ ଭାଗବତଙ୍କୁ ଆଶ୍ରା କରିଥିବା ଜୀବ ପାଇଁ ଏହି ପୁରୁଷାର୍ଥର କୌଣସି ମୂଲ୍ୟ ନଥାଏ।

ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହି କଥା ସାର୍ଵଭୌମ ଭଟାଚାର୍ଯ୍ୟଙ୍କୁ ବୁଝାଇ କହିଲେ, ଶୁଦ୍ଧା ଭକ୍ତି ହେଉଛି ଜୀବ ମାନଙ୍କର ପରମ ପୁରୁଷାର୍ଥ। “ଭଗବାନେ ଭକ୍ତି ପରମ ପୁରୁଷାର୍ଥ ହୟ” ଅବା ଜୀବ ପାଇଁ ଶୁଦ୍ଧା ପ୍ରେମ ଭକ୍ତି ହିଁ ଏକ ମାତ୍ର ଧେୟ ବସ୍ତୁ। ସେଥିପାଇଁ ଚୈତନ୍ୟ ସମ୍ପ୍ରଦାୟରେ ଶେଷ ପୁରୁଷାର୍ଥ ମୁକ୍ତି ବା ମୋକ୍ଷକୁ ନିକୃଷ୍ଟ ବୋଲି ଜ୍ଞାନ କାରାଯାଏ ଶ୍ରୀଲ କବିରାଜ କୃଷ୍ଣଦାସ ଗୋସ୍ୱାମୀ ପାଦଙ୍କ ଉକ୍ତି ଅନୁସାରେ ଶୁଦ୍ଧା ଭକ୍ତି ହିଁ ପରମ ପୁରୁଷାର୍ଥ ଯାହା ଆଗରେ ଚାରି ପୁରୁଷାର୍ଥ ମଧ୍ୟ ଗୌଣ ଅଟେ
“ଏଇ ତ ପରମ ଫଳ ପରମ ପୁରୁଷାର୍ଥ, ଯାର ଆଗେ ତୃଣ ତୁଲ୍ୟ ଚାରି ପୁରୁଷାର୍ଥ”।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-51-let-us-know-the-definition-of-the-six-attributes-or-qualities-of-god/

ଏହି ଉକ୍ତିର ପ୍ରମାଣ ଆମେ ଶ୍ରୀମଦ ଭାଗବତ ବ୍ୟତୀତ ରାମାୟଣ ଗ୍ରନ୍ଥରେ ମଧ୍ୟ ପାଇଥାଉ। ରାମ ଭକ୍ତ ଭରତ ଚିତ୍ରକୂଟବାସୀ ଶ୍ରୀ ରାମଚନ୍ଦ୍ରଙ୍କ ନିକଟକୁ ଗମନ କାଳରେ ପ୍ରୟାଗ ତୀର୍ଥରେ ଗଙ୍ଗା ସ୍ନାନ ପୂର୍ବକ ଶ୍ରୀ ଗଙ୍ଗା ମାତାଙ୍କୁ ପ୍ରାର୍ଥନା କଲେ।
“ଅରଥ ନ ଧରମ ନ କାମ ରୁଚି
ଗତି ନ ହେଉଂ ନିରବାନ
ଜନମ ଜନମ ରତି ରାମ ପାଦ
ଯଦି ବରଦାନୁ ଧ୍ୟାନ”
ଅର୍ଥାତ ଜନ୍ମ ଜନ୍ମାନ୍ତର ପାଇଁ କେବଳ ଶ୍ରୀରାମଙ୍କ ଚରଣାବିନ୍ଦରେ ଭକ୍ତି ରହୁ, ଏହା ବ୍ୟତୀତ ମୋର ପୁରୁଷାର୍ଥ କାମ୍ୟ ନୁହେଁ, ଏଭଳି କି ନିର୍ବାଣ ବା ମୋକ୍ଷ ମଧ୍ୟ ମୋର ଦରକାର ନାହିଁ ସନ୍ଥ ତୁଳସୀ ଦାସ ଙ୍କ ଏହି ଅମୀୟ ବାଣୀ ଭକ୍ତଶିରୋମଣି ଭରତଙ୍କ ମୁଖରେ ପ୍ରଦାନ କରିଛନ୍ତି। ସେହିପରି ଶ୍ରୀମଦ ଭାଗବତ (ସଂସ୍କୃତ )କହିଛି ଭଗବତଚରଣ ଆଶ୍ରିତ ହେବା ପାଇଁ
ଅବ୍ୟଭିଚାରିଣୀ, ଅହୈତୁକି, ଅପ୍ରତିହତା ଭକ୍ତି ହିଁ ଆବଶ୍ୟକ ଯଥା
“ଅହୈତୁକ୍ୟ ପ୍ରତିହତା ଯୟାଆତ୍ମା ସଂପ୍ରସୀଦତି, କୁର୍ବନ୍ତ୍ୟହୈତୁକାନାଂ ଭକ୍ତି “ଶେଷରେ ଏତିକି କହିବା
ସାଧନ ଭଜନ ସାର।
ମାତ୍ର ଶ୍ରୀକୃଷ୍ଣ ପୟର।।
ଅମୃତ ଚରିତ ଏ ବାଣୀ।
ଶ୍ରବଣେ ନିସ୍ତରିବେ ପ୍ରାଣୀ।।
ହୋଇବ ଭବ ବନ୍ଧ ନାଶ।
ସୁଜନେ କୃଷ୍ଣ ପାଦେ ରସ।।
ଆସନ୍ତୁ ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦରେ ଧ୍ୟାବ ଲଗାଇବା ଓ ଶ୍ରୀମଦ ଭାଗବତଙ୍କୁ ଆପଣାର କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

 

Comments are closed.