Latest Odisha News

BREAKING NEWS

Israeli Election: ନେତାନ୍ୟାହୁଙ୍କ ହାତରୁ ଚାଲିଯିବ ଇସ୍ରାଏଲ୍? ବହୁମତରେ ଫେଲ୍… ଇସ୍ରାଏଲ୍‌ରେ ସରକାର ଗଠନର ଚାବି ଏବେ ଆରବ ଦଳଙ୍କ ହାତରେ!

ନୂଆଦିଲ୍ଲୀ: ଇସ୍ରାଏଲ୍‌ ନିର୍ବାଚନରେ ବଡ଼ ରାଜନୈତିକ ଓଲଟପାଲଟ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ମେଣ୍ଟ ବହୁମତ ହରାଇଛି। ଅନ୍ୟପଟେ ବିରୋଧୀ ମେଣ୍ଟ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିପାରିନାହିଁ। ଏଭଳି ସ୍ଥିତିରେ ଇସ୍ରାଏଲ୍‌ରେ କିଏ ସରକାର ଗଢ଼ିବ, ତାହାର ନିଷ୍ପତ୍ତି ଏବେ ଆରବ ନେତୃତ୍ୱାଧୀନ ଦଳଙ୍କ ହାତରେ। ଅର୍ଥାତ୍ ଏହି ଦଳଗୁଡ଼ିକ ଏବେ ‘କିଙ୍ଗମେକର’ ଭୂମିକାକୁ ଆସିଛନ୍ତି।

ଇସ୍ରାଏଲ୍‌ର ୧୨୦ ଆସନ ବିଶିଷ୍ଟ ସଂସଦ ‘ନେସେଟ୍‌’ର ଭୋଟ୍ ଗଣତି ଶେଷ ହୋଇଛି। ଫଳାଫଳ ଅନୁସାରେ, ନେତନ୍ୟାହୁଙ୍କ ମେଣ୍ଟକୁ ୫୩ଟି ଆସନ ମିଳିଛି। ପୂର୍ବ ସଂସଦରେ ଏହି ମେଣ୍ଟ ପାଖରେ ଥିଲା ୬୮ଟି ଆସନ। ସେହିପରି ମୁଖ୍ୟ ବିରୋଧୀ ମେଣ୍ଟକୁ ୪୮ଟି ଆସନ ମିଳିଥିବା ବେଳେ ଆରବ ନେତୃତ୍ୱାଧୀନ ଦଳଗୁଡ଼ିକ ୧୯ଟି ଆସନ ହାତେଇଛନ୍ତି। ତେବେ ନିର୍ବାଚନ ଫଳାଫଳର ଔପଚାରିକ ପ୍ରମାଣୀକରଣ ଏବେ ବାକି ରହିଛି। ଆସନ୍ତା ନଭେମ୍ବର ୪ ତାରିଖରେ ରାଷ୍ଟ୍ରପତିଙ୍କୁ ଫଳାଫଳ ହସ୍ତାନ୍ତର କରାଯିବ।

ସେପଟେ ନିର୍ବାଚନରେ ପଛରେ ପଡ଼ିବା ପରେ ନେତନ୍ୟାହୁଙ୍କ ଦଳ ‘ଲିକୁଡ୍‌’ ଭୋଟ୍ ଚୋରି ଅଭିଯୋଗ ଆଣିଛି। ଆରବ ନେତୃତ୍ୱାଧୀନ ଦଳଗୁଡ଼ିକ ନିର୍ବାଚନରେ ହେରଫେର କରିଥିବା ଏବଂ ଏଥିରେ ବିଦେଶୀ ସହାୟତା ଥାଇପାରେ ବୋଲି ଦଳ ଅଭିଯୋଗ କରିଛି। ଏପରିକି ଇସ୍ରାଏଲ୍‌ର ସଂସଦ ଉପରେ ବିଦେଶୀ ନିୟନ୍ତ୍ରଣ ଓ ଦେଶର ଇସଲାମୀକରଣ ଉଦ୍ୟମ ହୋଇଥିବା ଭଳି ଅଭିଯୋଗ ମଧ୍ୟ ଦଳ ଆଣିଛି। ଲିକୁଡ୍‌ର କିଛି ସଦସ୍ୟ ଏହି ଘଟଣାରେ କତାରର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। କତାର କିନ୍ତୁ ଏହାକୁ ଖଣ୍ଡନ କରିବା ସହ ଅଭିଯୋଗକୁ ଅର୍ଥହୀନ ଓ ବିପଜ୍ଜନକ ବୋଲି କହିଛି।

ଅନ୍ୟପଟେ ଇସ୍ରାଏଲ୍‌ ନିର୍ବାଚନ କମିଟିର ମୁଖ୍ୟ ତଥା ସୁପ୍ରିମକୋର୍ଟ ବିଚାରପତି ନୋଏମ୍ ସୋହଲବର୍ଗ ବିଦେଶୀ ହସ୍ତକ୍ଷେପ ନେଇ ଗମ୍ଭୀର ସନ୍ଦେହ ପ୍ରକାଶ ପାଇଥିବା କହିଛନ୍ତି। ଏନେଇ ସେ ସୁରକ୍ଷା ଏଜେନ୍ସି ‘ସିନ୍‌ ବେଟ୍‌’କୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ସେ ନିଜେ ଯାଞ୍ଚ କରିପାରିନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିଟି କହିଛି, ତଦନ୍ତର ଫଳାଫଳ ଚୂଡ଼ାନ୍ତ ନିର୍ବାଚନ ଫଳକୁ ପ୍ରଭାବିତ କରିବ ନାହିଁ। ଏହା କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ସହ ଜଡ଼ିତ ନୁହେଁ।

ତେବେ ଇସ୍ରାଏଲ୍‌ରେ ସରକାର ଗଠନ ପାଇଁ ସଂସଦରେ ଅତିକମ୍‌ରେ ୬୧ଟି ଆସନର ସମର୍ଥନ ଆବଶ୍ୟକ। ନେତନ୍ୟାହୁଙ୍କ ମେଣ୍ଟ ପାଖରେ ମାତ୍ର ୫୩ଟି ଆସନ ଥିବା ବେଳେ ବିରୋଧୀଙ୍କ ପାଖରେ ରହିଛି ୪୮ଟି। ଆରବ ଦଳଗୁଡ଼ିକର ୧୯ଟି ଆସନ ଏହି ସମୀକରଣକୁ ବଦଳାଇପାରେ। ଯଦି ବିରୋଧୀ ମେଣ୍ଟ ଏହି ଦଳଗୁଡ଼ିକର ସମର୍ଥନ ପାଏ, ତେବେ ନେତନ୍ୟାହୁଙ୍କୁ କ୍ଷମତାରୁ ହଟାଇ ସରକାର ଗଠନ କରିବା ସମ୍ଭବ ହୋଇପାରେ।

ନେତନ୍ୟାହୁ କିନ୍ତୁ ଆରବ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ବିରୋଧ କରିଛନ୍ତି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସେନା ମୁଖ୍ୟ ଗାଦି ଆଇଜେନକୋଟ୍‌ ଏହି ଦଳଗୁଡ଼ିକ ସହ ସର୍ତ୍ତମୂଳକ ସହଯୋଗର ସଙ୍କେତ ଦେଇଛନ୍ତି। ଆରବ ନେତୃତ୍ୱାଧୀନ ‘ଜଏଣ୍ଟ ଲିଷ୍ଟ୍‌’ର ନେତା ଅହମଦ ତିବି କହିଛନ୍ତି, ବିରୋଧୀ ଗୋଷ୍ଠୀ ସଂସଦର ଅଧ୍ୟକ୍ଷ ପରିବର୍ତ୍ତନ ନେଇ ତାଙ୍କ ଦଳ ସହ ଆଲୋଚନା କରିଛି। ତାଙ୍କ ଦଳ ନିଜ ଗୋଷ୍ଠୀର ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ଜଣାଇଛି।

ଇସ୍ରାଏଲ୍‌ର ମୋଟ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହେଉଛନ୍ତି ଆରବ ନାଗରିକ। ନିର୍ବାଚନ ପୂର୍ବରୁ ନେତନ୍ୟାହୁ ଓ ତାଙ୍କ ଦଳ ଆରବ ନେତୃତ୍ୱାଧୀନ ଦଳଗୁଡ଼ିକୁ ଦେଶ ପାଇଁ ବିପଦ ବୋଲି ଚିତ୍ରଣ କରିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ଆରବ ସମ୍ପ୍ରଦାୟକୁ ହୀନ ଦୃଷ୍ଟିରେ ଦେଖାଯାଉଥିବା କହିଛନ୍ତି ସମାଲୋଚକ। ଏହି ଆକ୍ରମଣାତ୍ମକ ପ୍ରଚାରରେ ଅସନ୍ତୁଷ୍ଟ ଆରବ ନାଗରିକମାନେ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ମତଦାନ କରିଥିବା କୁହାଯାଉଛି।

ଅନ୍ୟପଟେ ଆରବ ଦଳଗୁଡ଼ିକ ମଧ୍ୟ ନେତନ୍ୟାହୁଙ୍କ ଉପରେ ଭୋଟ୍ ଚୋରି ଉଦ୍ୟମର ଅଭିଯୋଗ ଆଣିଛନ୍ତି। ‘ରାମ୍‌’ ଦଳର ମୁଖ୍ୟ ମନସୁର ଅବ୍ବାସ ତଦନ୍ତକୁ ସ୍ୱାଗତ କରିଥିଲେ ମଧ୍ୟ ଏଥିରେ ତାଙ୍କ ଦଳର କୌଣସି ସମ୍ପୃକ୍ତି ନଥିବା କହିଛନ୍ତି। ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍‌ ଏହାକୁ ଏକ ସମ୍ବେଦନଶୀଳ ସମୟ ବୋଲି କହିବା ସହ ତଦନ୍ତ ଦାବି କରିଛନ୍ତି। ଏଥିସହ ଭୋଟ୍ ଦେଇଥିବା ସମ୍ପୂର୍ଣ୍ଣ ସମ୍ପ୍ରଦାୟକୁ ଦୋଷୀ କରିବା ଉଚିତ୍ ନୁହେଁ ବୋଲି ସତର୍କ କରାଇଛନ୍ତି।

ତେବେ ଏଭଳି ସ୍ଥଳରେ ଯଦି ନେତନ୍ୟାହୁ କ୍ଷମତା ହରାଇ ଦିଅନ୍ତି, କ’ଣ ହେବ? ନେତନ୍ୟାହୁ କ୍ଷମତାରୁ ହଟିଲେ ତାଙ୍କ ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଦୁର୍ନୀତି ଅଭିଯୋଗ ଏବଂ ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣ ପୂର୍ବରୁ ଇସ୍ରାଏଲ୍‌ର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ନେଇ ତଦନ୍ତ ଆଗକୁ ବଢ଼ିପାରେ। ଏହି କାରଣରୁ ନେତନ୍ୟାହୁଙ୍କ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଯଦି କୌଣସି ମେଣ୍ଟ ସରକାର ଗଠନ କରିବାରେ ବିଫଳ ହୁଏ, ତେବେ ଆସନ୍ତା ବର୍ଷ ଆରମ୍ଭରେ ଇସ୍ରାଏଲ୍‌କୁ ପୁଣି ନିର୍ବାଚନକୁ ଯିବାକୁ ପଡ଼ିପାରେ। ତେବେ ରାଷ୍ଟ୍ରପତି ହର୍ଜୋଗ୍‌ ଏଭଳି ପରିସ୍ଥିତିକୁ ଏଡ଼ାଇବାକୁ ଚାହୁଁଥିବା ସଙ୍କେତ ଦେଇଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆରବ ଦଳଗୁଡ଼ିକ ବିରୋଧୀଙ୍କ ସହ ମିଶି ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିବେ, ନା ପୁଣି ନିର୍ବାଚନ ହେବ? ଏହା ଉପରେ ଏବେ ପୂରା ବିଶ୍ବ ନଜର।

Leave A Reply

Your email address will not be published.