ପୁରୀ: ଚାଲିଛି କାତ୍ତିର୍କ ବ୍ରତ । ଶ୍ରୀ କ୍ଷତ୍ରେରେ ହବିଷ୍ୟାଳୀଙ୍କ ଭିଡ । ହବିଷ୍ୟାଳୀଙ୍କ ଶୃଙ୍ଖଳିତ ହବିଷ ବ୍ରତ ପାଇଁ ସରକାର ଓ ପ୍ରଶାସନ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କରିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ । ପୁରୀର ସମସ୍ତ ହବିଷ୍ୟାଳୀ କେନ୍ଦ୍ର ବୃନ୍ଦାବତୀ ନିବାସ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ମୋଚି ସାହି କଲ୍ୟାଣ ମଣ୍ଡପ ବୁଲିବା ସହ ମାଆ ମାନଙ୍କ ସହ କଥା ହୋଇଛନ୍ତି ଓ ସେମାନଙ୍କ ଆଶିର୍ବାଦ ନେଇଛନ୍ତି । ମାସ ସାରା ପାଇଁ ମନ୍ଦିର ଦର୍ଶନ ଠାରୁ ନେଇ ସ୍ୱାସ୍ଥ୍ୟ ସେବା, ମହାପ୍ରସାଦ ସେବେନ ଭଜନ କୀର୍ତ୍ତନ ଆଦି ବ୍ୟବସ୍ଥା ସରକାର କରିଛନ୍ତି । ହବିଷ୍ୟାଳୀ ମାଆ ମାନେ ଆମ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ। ତେଣୁ ଯେପରି ମାଆ ମାନଙ୍କର କୌଣସି ଅସୁବିଧା ନହୁଏ ସେନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମାଆ ମାନେ ଖୁବ ଖୁସିରେ ନିଜ ବ୍ରତ ପାଳୁଛନ୍ତି ବୋଲି ମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ବ୍ରତଧାରୀମାନେ ସକାଳୁ ସ୍ନାନ ଶୌଚାଦି ପରେ ବୃନ୍ଦାବତୀ ପୂଜା, ମହାପ୍ରଭୁଙ୍କ ଦର୍ଶନ,ଭଜନ, କୀର୍ତ୍ତନ, ମହାପ୍ରସାଦ ସେବନ ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖି ଖୁବ ଖୁସିରେ ଅଛନ୍ତି ବୋଲି ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମାଆ ମାନେ ଘରକୁ ଏକ ସୁଖଦ ଅନୁଭୂତି ନେଇ ଫେରିବେ। ସେମାନେ ସମଗ୍ର ଓଡିଶାର ମଙ୍ଗଳ ପାଇଁ ଏହି ପବିତ୍ର ବ୍ରତ କରୁଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ,ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ନିଳମାଧବ ଭୋଇ, ସୁଶାନ୍ତ କୁମାର ପତି,ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁଶ୍ରବ ଗନ୍ତାୟତ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

