Latest Odisha News

BREAKING NEWS

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ।

ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇବେ ବୋଲି ଜଣାପଡିଛି। ଏହି ବୈଠକ ସେମାନେ ବିଦେଶ ଗସ୍ତରୁ ଫେରିବା ପରେ ଅର୍ଥାତ୍ ଜୁନ ୯ ଓ ୧୦ରେ ହୋଇପାରେ ବୋଲି ଜଣାପଡିଛି। ଏଥିପାଇଁ ବିଶ୍ୱବ୍ୟାପୀ ସାତଟି ପ୍ରତିନିଧିମଣ୍ଡଳ ପଠାଯାଇଛି।

ତେବେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଭାରତୀୟ ସେନା ମେ ୭ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଧ୍ୱଂସ କରିଥିଲେ। ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପରେ କେନ୍ଦ୍ର ସରକାର ବିଶ୍ୱ ମଞ୍ଚରେ ନିଜର ସ୍ଥିତି ସ୍ପଷ୍ଟ କରିବା ସହ  ପାକ୍-ପ୍ରାୟୋଜିତ ଆତଙ୍କବାଦର ପର୍ଦ୍ଦାଫାସ କରିବା ପାଇଁ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ବିଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ସମସ୍ତ ଆକ୍ରମଣକୁ ଭାରତ ବିଫଳ କରିଦେଇଥିଲା। ତେବେ ଭାରତର ପ୍ରତିଆକ୍ରମଣ ଭୟରେ ମେ ୧୦ ତାରିଖରେ ପାକିସ୍ତାନର ଡିଜିଏମଓ, ଭାରତର ଡିଜିଏମଓଙ୍କ ସହ କଥା ହୋଇ ଯୁଦ୍ଧବିରତି ଘୋଷଣା କରିଥିଲେ। କିନ୍ତୁ ଯୁଦ୍ଧ ବିରତି ଘୋଷଣା ହେବାର କିଛି ଘଣ୍ଟା ପରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରି ଜମ୍ମୁର କିଛି ସେକ୍ଟରରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଯଦିଓ ଭାରତ ଏହାକୁ ସଫଳତା ପୂର୍ବକ ପ୍ରତିରୋଧ କରି ନଷ୍ଟ କରିଦେଇଥିଲା।

ବିଶ୍ୱ ସମ୍ମୁଖରେ ଭାରତର ପକ୍ଷକୁ ଦୃଢ଼ ଭାବରେ ଉପସ୍ଥାପନ କରିବା, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିବା ସହ ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତାକୁ ଦର୍ଶାଇବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳର ଉଦ୍ଦେଶ୍ୟ।

 

Comments are closed.