Latest Odisha News

BREAKING NEWS

ଆଇପିଏଲ ଜିତିଲେ ମିଳେ ନକଲି ଟ୍ରଫି!

ନୂଆଦିଲ୍ଲୀ: ଆଜି ଆଇପିଏଲର ସିଜିନର ଶେଷ ପର୍ଯ୍ୟାୟ । ସରିବ ଆଇପିଏଲ ୨୦୨୫ ମ୍ୟାଚ୍ । ଏହି ସିଜିନରେ ଏପର୍ଯ୍ୟନ୍ତ ୭୩ଟି ମ୍ୟାଚ୍ ଖେଳାଯାଇଛି ଏବଂ ଏବେ ଶେଷ ଅର୍ଥାତ୍ ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯିବାକୁ ଅଛି। ଆଜିର ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଆଜି ମଇଦାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଟାଇଟଲ୍ ଲଢ଼େଇ ପାଇଁ ପରସ୍ପର ସହ ମୁହାଁମୁହିଁ ହେବେ । ଆଉ ସବୁଠୁ ରୋଚକ ହେୁଛି, ଏଥର ଫାଇନାଲକୁ ଓହ୍ଲାଇବାକୁ ଥିବା ଏହି ଦୁଇ ଦଳ, ପୂର୍ବରୁ କେହି ଟାଇଟଲ୍ ଜିତି ନାହାଁନ୍ତି। ଯେଉଁ ଦଳ ବିଜେତା ହେବ, ତା’ ଉପରେ ଟଙ୍କାର ବର୍ଷା ହେବ, ଏବଂ ଏକ ଚମକଦାର ଟ୍ରଫି ନେବ ଦଳ । କିନ୍ତୁ ପ୍ରଶ୍ନ ହେଉଛି ଖେଳାଳିମାନଙ୍କୁ ବିଶ୍ୱକପ୍ ପରି ଏଥିରେ ଏକ ପ୍ରତିକୃତି କିମ୍ବା ନକଲି ଟ୍ରଫି ଦିଆଯାଏ କି? ନା ପ୍ରତିବର୍ଷ ବିଜେତା ଦଳ୍କ ପାଇଁ ନୂଆ ଟ୍ରଫି ବନାଏ ବିସିସିଆଇ ।

ତେବେ ଚାମ୍ପିଅନ ଲିଗର ବିଜେତାଙ୍କୁ ଦିଆଯାଇଥିବା ବର୍ତ୍ତମାନର ଟ୍ରଫି ପ୍ରଥମ ଥର ପାଇଁ ୨୦୧୧ ମସିହାରେ ଦିଆଯାଇଥିଲା । ଆଉ ସେଟା ହିଁ ଆଇପିଏଲର କେବଳ ଗୋଟିଏ ମୂଳ ଟ୍ରଫି । ପ୍ରତ୍ୟେକ ଥର ଟାଇଟଲ ଜିତିଥିବା ଦଳକୁ ସମାରୋହ ସମୟରେ ଏହି ଟ୍ରଫି ଦିଆଯାଏ । ପରେ ଏହି ଦଳକୁ ଟ୍ରଫିର ଏକ ପ୍ରତିକୃତି ପ୍ରଦାନ କରାଯାଏ । ଯାହାକୁ ସେ ନିଜ ପାଖରେ ରଖେ । ପ୍ରତ୍ୟେକ ଥର ଟାଇଟଲ ଜିତିଥିବା ଦଳର ନାମ ମୂଳ ଟ୍ରଫିରେ ଖୋଦିତ ହୁଏ । କିନ୍ତୁ ବିଜେତା ଦଳ କେବଳ ଏକ ପ୍ରତିକୃତି ପାଏ, ଆଉ ମୂଳ ଟ୍ରଫି ବିସିସିଆଇ ପାଖରେ ରହିଥାଏ ।

ଆଇପିଏଲର ମୂଳ ଟ୍ରଫି ଗୋଟିଏ । ଆଇପିଏଲ ଟ୍ରଫି ଜିତିବା ପାଇଁ ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ହେଲେ ଶେଷରେ ମିଳିଥାଏ ପ୍ରତିକାତ୍ମକ ଟ୍ରଫି । କିନ୍ତୁ ଆପଣ କ’ଣ ଜାଣନ୍ତି ଆଇପିଏଲର ଏହି ମୂଳ ଟ୍ରଫି କେଉଁଥିରେ ତିଆରି । ପ୍ରକୃତରେ ଏହା କେବଳ ସୁନାର ଏକ ଚମକଦାର ଟ୍ରଫି ନୁହେଁ, ବରଂ ଏଥିରେ ଅନେକ ଧାତୁ ମଧ୍ୟ ମିଶ୍ରିତ ହୋଇଛି। ସୁନା ଏବଂ ରୂପା ବ୍ୟତୀତ, ଏଥିରେ ଆଲୁମିନିୟମ୍ ଏବଂ ଅନ୍ୟାନ୍ୟ ଧାତୁ ମଧ୍ୟ ବ୍ୟବହାର କରାଯାଇଛି । ଯାହାର ଓଜନ ପ୍ରାୟ ୬ କିଲୋଗ୍ରାମ ଏବଂ ଉଚ୍ଚତା ୨୬ ଇଞ୍ଚ। ଏହି ଟ୍ରଫିର ଡିଜାଇନ୍ ଏବଂ ଆଧୁନିକତା ଅନ୍ୟ ସମସ୍ତ ଠାରୁ ଭିନ୍ନ, ଯେଉଁଥିରେ ଭାରତୀୟ ସଂସ୍କୃତି ଦୃଶ୍ୟମାନ। ଏହି ଟ୍ରଫିରେ ଲିଗର ମୂଳମନ୍ତ୍ର ସଂସ୍କୃତରେ ଲେଖାଯାଇଛି, ‘ଯାତ୍ରା ପ୍ରତିଭା ଅବସାର ପ୍ରାପ୍ନୋତି’, ଅର୍ଥାତ୍ ଏଠାରେ ପ୍ରତିଭାକୁ ସୁଯୋଗ ଦିଆଯାଇଛି। ଏହି ଟ୍ରଫିର ମୂଲ୍ୟ କେବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଆକଳନ କରାଯାଉଛି ଯେ ଏହାର ମୂଲ୍ୟ ୩୦ ରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ହେବ ।

Comments are closed.