Latest Odisha News

BREAKING NEWS

ସାବାଡ ହେବେ ଠକ ଖଜା ଦୋକାନୀ! ଆକ୍ସନମୋଡରେ ପ୍ରଶାସନ..

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରୁ ଖଜାର ଏକ ସ୍ବତନ୍ତ୍ରତା ରହିଛି । ଯିଏ ପୁରୀ ଆସିବ ସେ ଆଉ କିଛି ନଉକି ନନଉ ହେଲେ ଖଜା ଯେମିତି ହେଲେ ନେଇକି ଯିବ । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ । ହେଲେ ଦୁଃଖର ବିଷୟଯେ, ଏହି ଖଜା ବିକ୍ରି କରୁଥିବା ବ୍ୟବସାୟୀ ମାନେ ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରୁଛନ୍ତି । ଏପରିକି ବାହାରେ ବିକ୍ରି ହେଉଥିବା ଖଜାକୁ ମହାପ୍ରସାଦ କହି ଲୋକଙ୍କ ଆସ୍ଥା ସହ ଖେଳ ଖେଳୁଛନ୍ତି । ଯାହାକୁ ନେଇ ଅନେକ ଥର ଅଭିଯୋଗ ହେବା ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି ।

ଏହି ଘଟଣାରେ ପୁରୀ ଏସପି ବିନିତ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସିଂହଦ୍ୱାର ଥାନା ଅଞ୍ଚଳରେ ସମ୍ପୃକ୍ତ ଭକ୍ତଙ୍କୁ ଠକିଥିବା ଖଜା ବ୍ୟବସାୟୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି । ସମସ୍ତଙ୍କୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଉଛି ଯେ, ପୁରୀକୁ ଆସୁଥିବା ଭକ୍ତଙ୍କ ସହ ଠକାମି କରନ୍ତୁ ନାହିଁ । ଏହା ସହ ରାସ୍ତାପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କ ଉପରେ ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍‌ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ସେହିପରି ଜିଲ୍ଲାପାଳ ସିଦ୍ଧାଥ ଶଙ୍କର ସ୍ବାଇଁ କହିଛନ୍ତି, ମନ୍ଦିର ଭିତରରେ ମିଳୁଥିବା ଖଜା ହିଁ କେବଳ ମହାପ୍ରସାଦ । ଶ୍ରୀମନ୍ଦିରରେ ସୁଆର ମହାସୁଆର ସେବାୟତମାନେ ଏହି ଖଜା ମହାପ୍ରସାଦକୁ ପ୍ରସ୍ତୁତ କରିଥାନ୍ତି । ହେଲେ ବଡଦାଣ୍ଡରେ ଯେଉଁ ଖଜା ମିଳୁଛି ତାହା ମହାପ୍ରସାଦ ନୁହେଁ । ତେଣୁ କେହି ବଡଦାଣ୍ଡରେ ମିଳୁଥିବା ଖଜାକୁ ମହାପ୍ରସାଦ ନ ଭାବିବାକୁ ସେ ଲୋକମାନଙ୍କୁ ଅପିଲ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଖଜା ବ୍ୟବସାୟୀ ଠକେଇ କରିବା ଘଟଣାରେ ପ୍ରତ୍ୟେକ ବିଭାଗକୁ ସୂଚନା ଦିଆଯାଇଛି । ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ପୁରୀ ସିଟି ଲେବୁଲରେ ଥିବା ସ୍କାଡ ମାନଙ୍କୁ ସଚେତନ କରାଯାଇଛି । ସେହିପରି ଜଏଣ୍ଟ ସ୍କାଡକୁ ଚେକିଂ ଜୋରଜାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ, କିଛି ଖଜାଭାଟି ଅନୁମତି ନେଇ ଆଇନ ଅନୁଯାୟୀ ଭଲ ଭାବେ ଖଜା ପ୍ରସ୍ତୁତ କରୁଛନ୍ତି । ହେଲେ ଆଉ କିଛି ବ୍ୟକ୍ତି ବେଆଇନ ଭାବେ ଖଜା ଭାଟି ନିର୍ମାଣ କରି ବେଆଇନ ଭାବରେ ଖଜା ବ୍ୟବସାୟ କରୁଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 

Comments are closed.