ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତା ବଢାଇଲେଣି ନିଜ ଦଳର ନେତା । ଶଶି ଥରୁର ହୁଅନ୍ତୁ କି ସଲମାନ ଖୁର୍ସିଦ କିମ୍ବା ମନୀଷ ତିଓ୍ବାରୀ, ଦଳ ଗୋଟେ ଆଡେ ତ ବରିଷ୍ଠ ନେତାଙ୍କ ମତ ଅନ୍ୟ ଆଡେ । ଅପରେସନ୍ ସିନ୍ଦୂରକୁ ନେଇ ପାର୍ଟି ଲାଇନରୁ ବାହାରି ଭିନ୍ନ ମତ ରଖୁଛନ୍ତି ନେତା । ଫଳରେ କଂଗ୍ରେସ ଭିତର ଅନ୍ତକନ୍ଦଳ ଖୋଲାଖୋଲି ଦେଖିବାକୁ ମିଳୁଛି । ଗୋଟେପଟେ ଶଶି ଥରୁର ଓ ସଲମାନ ଖୁର୍ସିଦଙ୍କ ପରି ବରିଷ୍ଠ କଂଗ୍ରେସ ନେତା ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ଏକାଠି ହେବାକୁ କହି ସ୍ବାଧୀନ ମତ ରଖୁଥିବା କହୁଛନ୍ତି। ଅନ୍ୟପଟେ ନେତାଙ୍କ ଏଭଳି ବୟାନ କଂଗ୍ରେସକୁ ଅସୁବିଧାରେ ପକାଇଛି । ଏପରିକି କଂଗ୍ରେସ ବନାମ କଂଗ୍ରେସ ବୟାନବାଜି ଯୋଗୁଁ ଦଳର ସ୍ବର ଦୁର୍ବଳ ହେବାରେ ଲାଗିଛି।
କାହିଁକି ବିବାଦରେ ସଲମାନ ଖୁର୍ସିଦ?
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ସିଦ ଅପରେସନ୍ ସିନ୍ଦୂର ପରେ ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳ ମଧ୍ୟରୁ ଗୋଟିଏରେ ସଦସ୍ୟ ରହିଛନ୍ତି । ସେ ଆତଙ୍କବାଦ ବିରୋଧରେ ଭାରତର ସନ୍ଦେଶ ସାରା ଦୁନିଆରେ ପହଞ୍ଚାଇବାକୁ ସେ ମିଶନରେ ଅଛନ୍ତି । ଏହି ସମୟରେ ଦେଶରେ ଲୋକ ତାଙ୍କ ରାଜନୈତିକ ନିଷ୍ଠାକୁ ତଉଲିବା ଦୁଃଖଦ କଥା । ଦେଶଭକ୍ତ ହେବା ଏତେ କଷ୍ଟକର କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ଧାରା ୩୭୦ଉଚ୍ଛେଦ ପରେ ସକାରାତ୍ମକ ପରିବର୍ତ୍ତନ ଆସିଥିବା ଖୁର୍ସିଦ କହିଥିଲେ । ତେବେ ଏହାପରେ କାଶ୍ମୀରରେ ଆତଙ୍କବାଦ ବଢିଛି । ପ୍ରଥମେ ପୁଲଓ୍ବାମା ଆକ୍ରମଣ ତ ପରେ ପହଲଗାମ ଆତଙ୍କୀ ହମଲା ହୋଇଛି । ଫଳରେ ଭାରତକୁ ପାକିସ୍ତାନ ଭିତରେ ଆକ୍ରମଣ କରିବାକୁ ପଡିଲା ବୋଲି କଂଗ୍ରେସ ନେତା ରସିଦ ଆଲଭି କହିଛନ୍ତି ।
କଂଗ୍ରେସ ନେତାଙ୍କ ନିଶାନାରେ ଥରୁର
ଅପରେସନ ସିନ୍ଦୂର ପରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଶଶି ଥରୁରଙ୍କ ବୟାନ କଂଗ୍ରେସକୁ ଅଡୁଆରେ ପକାଇଥିଲା । ୟୁପିଏ ସରକାର ସମୟରେ ଅନେକ ଥର ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲେ ବି ସେସବୁର ପ୍ରଚାର କରାଯାଇନଥିବା କଂଗ୍ରେସ କହିଆସୁଛି । ହେଲେ ପାର୍ଟି ଲାଇନରୁ ବାହାରି ବିଦେଶ ଗସ୍ତ ବେଳେ ୨୦୧୬ରେ ମୋଦି ସରକାରଙ୍କ ସମୟରେ ପ୍ରଥମ ଥର ଭାରତ ନିୟନ୍ତ୍ରଣ ରେଖା ପାର କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ବୋଲି ଥରୁର କହିଥିଲେ । ଯାହା ପରେ ଖୋଲାଖୋଲି ଥରୁରଙ୍କୁ ସମାଲୋଚନା କରିଥିଲେ ପଓ୍ବନ ଖେଡା, ଉଦିତ ରାଜଙ୍କ ପରି କଂଗ୍ରେସ ନେତା । ତେବେ ଜଣେ ଭାରତୀୟ ଭାବେ ଏଭଳି ପ୍ରତିକ୍ରିୟା ଦେଇଥିବା ନେଇ ସଫେଇ ଦେଇଥିଲେ ଥରୁର ।
ସ୍ବର ମିଳାଇଲେ ମନୀଷ ତିଓ୍ବାରୀ
ଶଶି ଥରୁର ଓ ସଲମାନ ଖୁର୍ସିଦଙ୍କ ପରି ନେତାଙ୍କ ସହ ସ୍ବର ମିଳାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ । ଭାରତର ସମ୍ମାନର କଥା ଆସିଲେ ଆମେ ସମସ୍ତେ ରାଜନୀତିରୁ ଉର୍ଦ୍ଧ୍ବରେ । ଆତଙ୍କବାଦର ମୁକାବିଲା ପାଇଁ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି । ଅପରେସନ୍ ସିନ୍ଦୂର ପରେ ବିଶ୍ବକୁ ଭାରତର ସନ୍ଦେଶ ଦେବାକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳର ଅଂଶ ଭାବେ ସେ ଆଡିସ ଆବବା ଗସ୍ତ କରିଛନ୍ତି ମନୀଷ ତିଓ୍ବାରୀ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ଦେଶକୁ ଭ୍ରମିତ କରୁଥିବା ଅଭିଯୋଗ କରୁଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା। ସାମରିକ ଅପରେସନରେ ଏକ ବିମାନ କ୍ଷତି ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫଙ୍କ ମନ୍ତବ୍ୟ ପରେ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଦାବି କରିଛନ୍ତି ଖଡଗେ ।
ସ୍ବତନ୍ତ୍ର ଅଧିବେଶନ ହେଲେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିପାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ଆମେରିକା ମଧ୍ୟସ୍ଥତା କରିଥିଲା କି? ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କେତେବାଟ ଗଲା? ପାକିସ୍ତାନ ସହ ମୁହାଁମୁହିଁ ହେବା ବେଳେ ଭାରତ ପକ୍ଷରୁ କେହି ମୃତାହତ ହୋଇଥିଲେ କି? ଏଭଳି ପ୍ରଶ୍ନ ବାଣରେ କେନ୍ଦ୍ରକୁ ଘାଇଲା କରିବାକୁ କଂଗ୍ରେସ ପ୍ରସ୍ତୁତି କରୁଥିବା ବେଳେ ଦଳର ନେତାଙ୍କ ଭିନ୍ନ ମତ ଚିନ୍ତା ବଢାଇଛି । କାରଣ ଶଶି ଥରୁର, ସଲମାନ ଖୁର୍ସିଦଙ୍କ ପରି ନେତା ଆମେରିକାର ମଧ୍ୟସ୍ଥତାକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ସଂସଦ ଭିତରେ ହେଉ କି ବାହାରେ, କଂଗ୍ରେସର ସ୍ବରକୁ ଦୁର୍ବଳ କରୁଛି ଦଳୀୟ ନେତାଙ୍କ ବୟାନ ।
Comments are closed.