ଶ୍ରୀ ଭାଗବତ ସାର ୫୮: ଶ୍ରୀମଦ ଭାଗବତ ଆମକୁ ଜ୍ଞାନଯୋଗ, କର୍ମଯୋଗ ସହିତ ସୁସ୍ଥ ଶରୀର ଓ ପ୍ରାଣାୟାମ ପଦ୍ଧତି ଶିକ୍ଷା ଦିଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଜ୍ଞାନଯୋଗ କର୍ମଯୋଗ ଶିକ୍ଷା ଦେବା ସହିତ ସୁସ୍ଥ ଶରୀର ଓ ମନ ପାଇଁ ପ୍ରାଚୀନ କାଳର ପ୍ରଚଳିତ ଅଷ୍ଟାଙ୍ଗ ଯୋଗ ଓ ପ୍ରାଣାୟାମ ପଦ୍ଧତି ଶିକ୍ଷା ଦେଇଥାଏ। କୁହାଯାଏ ଯେଉଁ କ୍ରିୟା ଦ୍ୱାରା ପ୍ରାଣର ସ୍ଥିତିକୁ ଦୀର୍ଘତର କରିହୁଏ, ଅଥବା ମଣିଷ ଦୀର୍ଘାୟୁ ହୋଇଥାଏ, ତାହାହିଁ ପ୍ରାଣାୟାମ। ଯୋଗ ଶାସ୍ତ୍ର ଅନୁସାରେ ଏହା ଶ୍ୱାସ ପ୍ରଶ୍ୱାସର ଗତିକୁ ନିଜ ନିୟନ୍ତ୍ରଣରେ ରଖି ଏକ ସ୍ୱତନ୍ତ୍ର ନିୟମରେ କରାଯାଉଥିବା କ୍ରିୟା ହିଁ ପ୍ରାଣାୟାମ। ଶ୍ରୀଜଗନ୍ନାଥ ଦାସ କହନ୍ତି ଯେ
ପ୍ରାଣାୟାମର ବିବେକ।
ପୂରକ କୁମ୍ଭକ ରେଚକ।।
ଏ ମାର୍ଗେ ପ୍ରାଣକୁ ଶୋଧିବ।
. ନିଶ୍ଚଳ ଚିତ୍ତ ରେ ଚିନ୍ତିବ।।
ଯେମନ୍ତେ ବାୟୁ ଅଗ୍ନି ଲାଗି।
ଲୋହ ଦଗଧେ ମଳତ୍ୟାଗୀ।।
ସେ ରୂପେ ପ୍ରାଣାୟାମ କଲେ।
ଆତ୍ମା ନିର୍ମଳ ହୋଏ ଭଲେ।।
ସମସ୍ତ ଦୋଷ ଏଣେ ହରେ।
ଯେବା ପାତକ ପୂର୍ବାପରେ।।
ଉପରୋକ୍ତ ବର୍ଣିତ ଯୋଗ କ୍ରିୟା ଅବା ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ଶରୀର ନିରୋଗ ହେବା ସହିତ ମନ ମଧ୍ୟ ଶୁଦ୍ଧ ଓ ନିର୍ମଳ ହୋଇଥାଏ। ଯୋଗ ଶାସ୍ତ୍ର ବର୍ଣ୍ଣନା ଅନୁସାରେ ଅଷ୍ଟାଙ୍ଗ ଯୋଗର ପଦ୍ଧତି ଗୁଡିକ ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା ଧ୍ୟାନ ଓ ସମାଧି ଏହାର ବିଷଦ ବିବରଣୀ ଶ୍ରୀମଦ ଭାଗବତ ଗ୍ରନ୍ଥର ବିଭିନ୍ନ ସ୍କନ୍ଦରେ ସ୍ଥାନିତ ହୋଇଛି।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-57-arrogance-is-the-cause-of-our-destruction/
ଶରୀର ମଧ୍ୟରେ ପ୍ରାଣ ପ୍ରବାହକୁ ସୁଗମ କରିବା ପାଇଁ ୭୨ହଜାର ନାଡୀ ଜାଲ ଭଳି ବିଛାଇ ହୋଇଛନ୍ତି। ଏହି ନାଡୀ ମାନଙ୍କ ମଧ୍ୟରେ ୧୫ ଗୋଟି ନାଡୀ ଖୁବ ଉପଯୋଗୀ ଓ ତନ୍ମଧ୍ୟରେ ତିନୋଟି ନାଡୀଙ୍କ ଶ୍ରେଷ୍ଠତା ସମସ୍ତଙ୍କୁ ଅବଗତ ଅଛି ତାହା ହେଲା
1.ସୁସୁମ୍ନା ନାଡୀ
2.ଇଡା ନାଡୀ
3.ପିଙ୍ଗଳା ନାଡୀ
ଯାହା ମଣିଷ ଶରୀରର ଗୁହ୍ୟ ଦ୍ୱାର ନିକଟରୁ ବାହାରି ମେରୁଦଣ୍ଡ ମଧ୍ୟ ଦେଇ ମସ୍ତିଷ୍କ ପର୍ଯ୍ୟନ୍ତ ଯାଇଥାଏ। ଯୋଗୀ ଓ ତପସ୍ବୀ ଏହି ନାଡୀ ଗୁଡିକ ର ସଠିକ ଉପଯୋଗ କରିଥାନ୍ତି। ଯୋଗ ଶାସ୍ତ୍ରରେ ଏହି ନାଡୀ ମାନଙ୍କୁ ଗଙ୍ଗା, ଯମୁନା ଓ ସରସ୍ବତୀ ନାମରେ ଅବିହିତ କରାଯାଇଛି ଯୋଗ ଶାସ୍ତ୍ର ରେ ଏହି ତ୍ରିବେଣୀ (ତିନି ନାଡୀ )ଙ୍କ ଯେପରି ପ୍ରାଧାନ୍ୟ ଅଛି ଠିକ ସେହିପରି ପ୍ରାଧାନ୍ୟ ଅଛି ଷଢ଼ଚକ୍ରର ଯାହାର ଆଲୋଚନା ଆମେ ଆଗାମୀ ଅଧ୍ୟାୟ ମାନଙ୍କରେ କରିବା। ଏଵେ କେବଳ ଏତିକି ଉପଦେଶ ଶ୍ରୀମଦ ଭାଗବତଙ୍କ ମାନିବା କେବଳ ଗୋବିନ୍ଦଙ୍କ ପାଇଁ
ଯୋଗେ ନିବେଶି କଳେବର।
ଲଭିଲା ଗୋବିନ୍ଦ ପୟର।।
ତେଣୁ ଯୋଗ ସାଧନାରେ ମନ ନିବେଶ କରି ଆସନ୍ତୁ ଶ୍ରୀମଦ ଭାଗବତଙ୍କ ପୂଜନ ଓ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.