ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପଛରେ ବଡ ନେଟଓ୍ବର୍କ
୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପିଲାଙ୍କ ଭବିଷ୍ୟତ!
ରାଜସ୍ଥାନରୁ ବିହାର ଲମ୍ବିଛି କେଳଙ୍କାରୀର ପାଦ!
ମେ ୩…ଛାତ୍ରଛାତ୍ରୀଙ୍କ ଛାତି ଧଡଧଡ । ଏହି ଥର ହୋଇଯିବ…ଅନେକଙ୍କ ମନରେ ଏହି ଗୋଟିଏ ଆଶା । ତଥାପି ମନରେ ଚିନ୍ତା ଏବଂ ଡାକ୍ତର ହେବାର ସ୍ବପ୍ନ ସହ ପରୀକ୍ଷା ହଲରୁ ବାହାରିଥିଲେ, ହେଲେ କିଏ ଜାଣିଥିଲା ସେମାନଙ୍କ ସ୍ପପ୍ନ ବନ୍ଦ ଦ୍ବାର ପଛରେ ପୂର୍ବରୁ ବିକ୍ରି ହୋଇସାରିଛି । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର NEET UG 2026 ପରୀକ୍ଷାକୁ ଆନୁଷ୍ଠାନିକ ଭାବରେ ବାତିଲ କରିବା, ଖାଲି ଏକ ପ୍ରଶାସନିକ ପଦକ୍ଷେପ ନୁହେଁ, ବରଂ ସେହି ସିଣ୍ଡିକେଟ୍ ବ୍ୟବସ୍ଥାର ବିଜୟ, ଯାହା ଆଗରେ ଶିକ୍ଷା ବ୍ୟବସ୍ଥା ଅସହାୟ ହୋଇପଡିଛି । ଥରେ ନୁହେଁ, ଦୁଇ ଥର ନୁହେଁ…ବାରମ୍ବାର ସେହି ସମାନ ସ୍ଥିତି । ଆଶାୟୀଙ୍କ ଧୈର୍ଯ୍ୟର ପରୀକ୍ଷା ବି ସୀମା ପାର୍ କଲାଣି । ତଥାପି ସୁଧୁରୁନି ବ୍ୟବସ୍ଥା।
ଆଉ ଏହାପରେ NTA ପେପର ଲିକ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିହାରରୁ ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ‘ସଲଭର୍ ଗ୍ୟାଙ୍ଗ’ ଏବଂ ଟେଲିଗ୍ରାମରେ ପେପର ଲିକ୍ ହେବା ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଅନିଶ୍ଚିତତାରେ ଅଛି ୨୫ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ । ପ୍ରଶ୍ନପତ୍ର ଲିକ୍ ପଛରେ ଏକ ସୁସଂଗଠିତ ନେଟ୍ଓ୍ବର୍କ କାମ କରୁଥିବା ଜଣାପଡିଥିବା ବେଳେ, ଏହାର ଚେର ମହାରାଷ୍ଟ୍ର, କେରଳ, ହରିୟାଣା, ବିହାର, ରାଜସ୍ଥାନ ଓ ଉତ୍ତରାଖଣ୍ଡକୁ ବ୍ୟାପିଥିବା ତଦନ୍ତକାରୀ ସଂସ୍ଥାମାନେ ଜାଣିବାକୁ ପାଇଛନ୍ତି। ଏହି ନେଟ୍ଓ୍ବର୍କରେ ପ୍ରଶ୍ନପତ୍ର ସମାଧାନକାରୀ, ନକଲି ପରୀକ୍ଷାର୍ଥୀ, କୋଚିଂ ସେଣ୍ଟର କାଉନ୍ସିଲର ଏବଂ ଏପରିକି ଏମ୍ବିବିଏସ୍ ଛାତ୍ରୀଛାତ୍ର ରହିଥିବା ଜଣାପଡ଼ିଛି।
ତଦନ୍ତରୁ ଜଣାପଡିଛି ଯେ ପେପର୍ ଲିକ୍ ନେଟୱାର୍କ ରାଜସ୍ଥାନର କୋଟାରୁ ବିହାରର ପାଟନା ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା। ଏହି କେଳଙ୍କାରୀ ଗ୍ୟାଙ୍ଗ ପ୍ରତ୍ୟେକ ପେପର୍ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆଗୁଆ ବୁକିଂ ସଂଗ୍ରହ କରିଥିଲା। ପାଟନାରେ ଚଢାଉ ସମୟରେ ପୋଡ଼ିଯାଇଥିବା ଉତ୍ତର ପତ୍ର ମିଳିବା, ଏହାର ଦୃଢ଼ ପ୍ରମାଣ ଦେଇଥିଲା ଯେ ପରୀକ୍ଷା ପୂର୍ବରୁ ପେପର୍ ଲିକ୍ ହୋଇସାରିଛି।
ଏହି ଲିକ୍ ର ସବୁଠାରୁ ଭୟଙ୍କର ରାସ୍ତା ଥିଲା ଏହାର ଡିଜିଟାଲ୍ ଡିଷ୍ଟ୍ରିବୁସନ୍। ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ଅନେକ ଟେଲିଗ୍ରାମ ଗ୍ରୁପରେ ପ୍ରଶ୍ନପତ୍ରର ସ୍କ୍ରିନସଟ୍ ପ୍ରସାରିତ ହେବା ଆରମ୍ଭ ହୋଇଥିଲା। ଯେତେବେଳେ ସାଇବର ସେଲ୍ ଏହି ଗୋଷ୍ଠୀଗୁଡ଼ିକର ‘ଡିଜିଟାଲ୍ ପୁଟ୍ ପ୍ରିଣ୍ଟ’ ଚିହ୍ନଟ କରିଥିଲା, ସେତେବେଳେ ପେପର୍ ପ୍ରିଣ୍ଟିଂ ପ୍ରେସ୍ ଏବଂ ପରିବହନ ଚ୍ୟାନେଲଗୁଡ଼ିକ ସହିତ ସିଧାସଳଖ ସଂଯୋଗ ହୋଇଥିବା ଲିଙ୍କ୍ ସାମ୍ନାକୁ ଆସିଥିଲା । NTA ପାଖରେ ପରୀକ୍ଷା ବାତିଲ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।
ଯାହା ସ୍ପଷ୍ଟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ତ ନଷ୍ଟ କରୁଛି, ଏଥିସହିତ ସ୍ପଷ୍ଟ ଭାବରେ NTAର ଅପରାଗତା ଦେଖାଇଛି । ଗତ ବର୍ଷ ପରି, NTA ଏଥର ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାରେ ବିଫଳ ହୋଇଛି। ସବୁଠୁ ବଡ କଥା ହେଉଛି ଏହା କେବଳ ପେପର୍ ଚୋରି ନଥିଲା, ବରଂ ଏକ ହାଇ-ଟେକ୍ ଡକାୟତି ଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଗ୍ୟାଙ୍ଗ ପ୍ରକୃତ ଛାତ୍ରମାନଙ୍କୁ ବୃତ୍ତିଗତ “ସଲଭର୍” ସହିତ ବଦଳାଇବା ପାଇଁ ହାଇ-ଡେଫିନେସନ୍ କ୍ୟାମେରା ଏବଂ ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର କରିଥିଲା।
ଖାଲି ଯେ ପେପର ଲିକ୍ ତାହା ନୁହେଁ, ବାୟୋମେଟ୍ରିକ୍ ଡାଟା ତ୍ରୁଟି ଏବଂ ଅନେକ କେନ୍ଦ୍ରରେ “ଡମି ପ୍ରାର୍ଥୀ” ଉପସ୍ଥିତ ହେବାର ଅଭିଯୋଗ ଏବେ ପେପର ଲିକ୍ ନିଆଁରେ ଘିଅ ଢାଳିଛି। ବଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ରୋଧ ଏବଂ ପ୍ରତିବାଦ ସରକାରଙ୍କ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ପାଲଟିଛି।
NTA ଏବେ ପୁନଃ NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି, ନୂତନ ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବାର ଆଶା କରାଯାଉଛି। କିନ୍ତୁ ପ୍ରଶ୍ନ ହେଉଛି, ପରବର୍ତ୍ତୀ ସମୟରେ କ’ଣ ସମାନ ଭାଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅପେକ୍ଷା କରିବ?