Latest Odisha News

BREAKING NEWS

ବିଶ୍ୱ ପରିବେଶ ଦିବସ: ସିନ୍ଦୂର ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ସିନ୍ଦୂର ଗଛ ଲଗାଇଛନ୍ତି । ଏହି ଗଛଟି ତାଙ୍କୁ ୧୯୭୧ ଯୁଦ୍ଧ ସମୟରେ ଉଲ୍ଲେଖନୀୟ ସାହସ ଦେଖାଇଥିବା କିଛି ମହିଳା ଉପହାର ଦେଇଥିଲେ । ଏହି ପଦକ୍ଷେପକୁ ନିକଟରେ ହୋଇଥିବା ଅପରେସନ ସିନ୍ଦୂର ସହିତ ମଧ୍ୟ ଯୋଡାଯାଉଛି ।

ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ରେ ଲେଖିଛନ୍ତି ଯେ ଏହି ଗଛ ଦେଶର ମହିଳାଙ୍କ ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ । ସେ କହିଛନ୍ତି ଯେ ନିକଟରେ ସେ କଚ୍ଛ ଗସ୍ତ କରିଥିଲେ ଏହି ସମୟରେ, ୧୯୭୧ ଯୁଦ୍ଧ ସମୟରେ ଉଲ୍ଲେଖନୀୟ ସାହସ ଦେଖାଇଥିବା ମହିଳାଙ୍କ ଏକ ଗୋଷ୍ଠୀ ତାଙ୍କୁ ଭେଟି ଏହି ଚାରା ଉପହାର ଦେଇଥିଲେ । ସେହି ମହିଳାମାନଙ୍କ ଭାବନାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଏହି ଚାରା ରୋପଣ କରିବେ ।

ବିଶ୍ୱ ପରିବେଶ ଦିବସରେ ସିନ୍ଦୂର ଗଛ ଚୟନ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଏହାର ସାମରିକ ଅପରେସନକୁ, ଅପରେସନ ସିନ୍ଦୂର ନାମ ଦେଇଥିଲା । ବିବାହିତା ହିନ୍ଦୁ ମହିଳାମାନେ ପାରମ୍ପରିକ ଭାବରେ ସିନ୍ଦୂର ପିନ୍ଧନ୍ତି ଯାହା ସେମାନଙ୍କର ବୈବାହିକ ସୁଖର ପ୍ରତୀକ ।

ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବିଶ୍ୱ ଜଳବାୟୁକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଦେଶକୁ ସ୍ୱାର୍ଥପରତାରୁ ଉପରକୁ ଉଠିବାକୁ ପଡିବ । ସେ କହିଥିଲେ ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବା ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ ଏବଂ ଭାରତ ଗତ ଚାରି-ପାଞ୍ଚ ବର୍ଷ ଧରି ଏହା ଉପରେ ନିରନ୍ତର କାମ କରିଆସୁଛି ।

ସେ କହିଥିଲେ ଯେ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ହ୍ରାସ, ପୁନଃବ୍ୟବହାର ଏବଂ ପୁନଃଚକ୍ରଣର ମନ୍ତ୍ରକୁ ଗ୍ରହଣ କରିଛନ୍ତି । ଏକ୍ସର ଏକ ପୋଷ୍ଟରେ, ମୋଦି ଲୋକଙ୍କୁ ଗ୍ରହକୁ ସୁରକ୍ଷା ଦେବା ଏବଂ ପରିବେଶଗତ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ସେମାନଙ୍କର ପ୍ରୟାସକୁ ଆହୁରି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । “ଆମର ପରିବେଶକୁ ସବୁଜ ଏବଂ ଉନ୍ନତ କରିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ସମସ୍ତ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି,”।

Comments are closed.