ଭୁବନେଶ୍ୱର: ‘ଭୁବନେଶ୍ୱର ଫିଲ୍ମ ସର୍କଲ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ର ଦ୍ୱିତୀୟ ସଂସ୍କରଣ । ଜୁନ୍ ୬ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ଜୟଦେବ ଭବନରେ ଏହା ଆୟୋଜିତ ହେବ । ଦ୍ୱିତୀୟ ସଂସ୍କରଣରେ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ ।
ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ୯ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି । ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବେ । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ ।
ଏହି ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେମାନେ ହେଲେ ବିଶିଷ୍ଟ ସଙ୍ଗୀତକାର ତାନସେନ ସିଂ, ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ଜୟା ସ୍ୱାମୀ, ବେଶ ପୋଷାକ ପାଇଁ ନିର୍ମଳ ଦାଶ ଏବଂ କଳା ନିର୍ଦ୍ଦେଶକ ବାଞ୍ଛାନିଧି ପଟ୍ଟନାୟକ ।
ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ବିଷୟକୁ ନେଇ ୨ଟି ମାଷ୍ଟରକ୍ଲାସ୍ । ଜୁନ୍ ୭ ତାରିଖରେ ଗୀତଗୋବିନ୍ଦ ସଦନଠାରେ ଚିତ୍ରନାଟ୍ୟ ଉପରେ ହେବାକୁ ଥିବା ମାଷ୍ଟରକ୍ଲାସରେ ବଲିଉଡର ଖ୍ୟାତନାମା ଚିତ୍ରନାଟ୍ୟ ଲେଖକ ଚାରୁଦତ୍ତ ଆଚାର୍ଯ୍ୟ ଯୋଗଦେବେ । ସେହିପରି ୮ ତାରିଖରେ ଓଡ଼ିଶା ପ୍ରେସ୍ କ୍ଲବଠାରେ ଅଭିନୟକୁ ନେଇ ହେବାକୁ ଥିବା ମାଷ୍ଟରକ୍ଲାସରେ ଖ୍ୟାତନାମା ପ୍ରଶିକ୍ଷିକ ଅଭିମନ୍ୟୁ ରାୟ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ ।
Comments are closed.