Latest Odisha News

BREAKING NEWS

ଚେନାବ କେବଳ ଏକ ବ୍ରିଜ୍ ନୁହେଁ, ଏହା ଭାରତର ଶକ୍ତିର ପ୍ରତୀକ: ପ୍ରଧାନମନ୍ତ୍ରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ଏଠାରେ ସେ ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ ଟ୍ରେନ ଇଞ୍ଜିନରେ ବସି ବ୍ରିଜର ମଧ୍ୟ ପରିଦର୍ଶନ ସହ ନିରିକ୍ଷଣ କରିଥିଲେ ।

ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ । ଏହି ବ୍ରିଜର ଉଦଘାଟନ ସହିତ, କଶ୍ମୀର ଉପତ୍ୟକା ଏବେ ବର୍ଷସାରା ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୁକ୍ତ ରହିବ । ପୂର୍ବରୁ ଶୀତଦିନେ ତୁଷାରପାତ ହେତୁ ରାସ୍ତାକୁ ବନ୍ଦ କରିବାକୁ ପଡୁଥିଲା ।

ଏହା ପରେ କଟରାଠାରେ, ପ୍ରଧାନମନ୍ତ୍ରୀ ୪୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ ସହିତ ଜଡିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ଭାରତର ଇଚ୍ଛାଶକ୍ତିର ଏକ ବିରାଟ ଉତ୍ସବ । ଆଜି, ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କଶ୍ମୀର ଉପତ୍ୟକା ଭାରତର ରେଳ ନେଟୱାର୍କ ସହିତ ଯୋଡ଼ି ହୋଇଛି । ଆମେ କଶ୍ମୀରରୁ କନ୍ୟାକୁମାରୀ ବୋଲି କହି ଆସୁଥିଲୁ ଏବଂ ଏହା ଏବେ ରେଳ ନେଟୱାର୍କ ପାଇଁ ବାସ୍ତବତାରେ ପରିଣତ ହୋଇଛି । ସେ ଏହା ମଧ୍ୟ କହିଲେ ଯେ ସବୁ ଭଲ କାମ ମୋ ପାଇଁ ହିଁ ବାକି ଥିଲା ।

ଚେନାବ ରେଳ ବ୍ରିଜ୍ ଏବଂ ଅଞ୍ଜି ବ୍ରିଜ୍ ଖୋଲିବା ପରେ, କଶ୍ମୀର ଯାଉଥିବା ଲୋକଙ୍କ ପାଇଁ ଟ୍ରେନ୍ ଯାତ୍ରା ଶସ୍ତା ଏବଂ ସହଜ ହୋଇଯିବ । ବ୍ରିଜ୍ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚେନାବ ରେଳ ବ୍ରିଜ୍ ମଧ୍ୟ ପରିଦର୍ଶନ କରିଥିଲେ । ଏହା ପୂର୍ବରୁ ସେ ସେତୁ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ କଶ୍ମୀରରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Comments are closed.