ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲର୍ଡସରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଉଭୟ ଦଳ ଟାଇଟଲ ହାସଲ ଲକ୍ଷ୍ୟରେ ରହିବେ । ତେବେ ଆଇସିସି ଟ୍ରଫି ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିଜକୁ ଏକ ଚୋକର୍ସ ଟିମ ଭାବେ ପରିଗଣିତ କରିଛି । ଠିକ ସମୟରେ ଖେଳାଳିମାନେ ଚାପରେ ପଡି ମ୍ୟାଚ ହାତଛଡା କରିଛନ୍ତିି । ଦଳ କେବଳ ୧୯୯୮ରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଅପରପକ୍ଷରେ ଅଷ୍ଟ୍ରେଲିଆ ଏକମାତ୍ର ଟିମ ଭାବେ ଦିନିକିଆ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି, ଟି୨୦ ବିଶ୍ୱକପ ଓ ଡବ୍ଲ୍ୟୁଟିସି ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛି । ଦଳ ୧୩ଟି ଫାଇନାଲରୁ ୧୦ ଥର ବିଜୟୀ ହୋଇଛି ।
ଦକ୍ଷିଣ ଆଫ୍ରିକା ୨୦୨୩-୨୫ ଚକ୍ରରେ ସର୍ବାଧିକ ୩୦ ଜଣ ଖେଳାଳିଙ୍କୁ ଖେଳାଇଛି । କ୍ରମାଗତ ୭ଟି ଟେଷ୍ଟ ଜିତି ଦଳ ଫାଇନାଲ ପ୍ରବେଶ ନିଶ୍ଚିତ କରିଛି । ଟି୨୦ ବିଶ୍ୱକପରେ ଅଳ୍ପକେ ଭାରତ ହାତରୁ ହାରିବା ଦକ୍ଷିଣ ଆଫ୍ରିକା ମନରୁ ଯାଇ ନ ଥିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ଜିତି ଏହାକୁ ଭୂଲିବାକୁ ଚାହିଁବ । ଡେଭିଡ ୱାର୍ଣ୍ଣରଙ୍କ ପରେ ଏବେ ଅଷ୍ଟ୍ରେଲିଆ ଉସମାନ ଖ୍ୱାଜାଙ୍କ ସହ କିଏ ଓପିନଂ କରିବ ସେ ନେଇ ଚିନ୍ତାରେ ରହିଛି । ସେହିପରି ଜୋଶ ହାଜେଲଉଡଙ୍କ ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି । ଗତ ସଂସ୍କରଣରେ ଭାରତକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଟିମରେ ବିଶେଷ ପରିବର୍ତନ ହୋଇନି । ଖେଳାଳିଙ୍କ ଫାଇନାଲ ଖେଳିବା ଅଭିଜ୍ଞତା ଦଳକୁ ସୁବିଧାଜନକ ସ୍ଥିତିରେ ରଖିଛି ।
Comments are closed.