Latest Odisha News

BREAKING NEWS

ଇସ୍ରାଏଲର ଆକ୍ରମଣରେ ଇରାନରେ ଭୂମିକମ୍ପ

ତେହେରାନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚି ସାରିଲାଣି। ସୋମବାର ଇରାନର କୋମ୍ ସହର ବାହାରେ ଥିବା ଫୋର୍ଡୋ ପରମାଣୁ କେନ୍ଦ୍ରରେ ଇସ୍ରାଏଲ  ଆକ୍ରମଣ କରିଥିଲା।

ଯାହାଫଳରେ ପରମାଣୁ କେନ୍ଦ୍ର ପାଖାପାଖି ଅଞ୍ଚଳଗୁଡ଼ିକରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ ୨.୫ ଥିବା ନେଇ ସୂଚନା ମିଳିଛି। ଏହାର ପ୍ରତିଜବାବରେ ଇରାନ, ଇସ୍ରାଏଲ ଉପରେ ପ୍ରାୟ ୧୦୦ଟି କ୍ଷେପଣାସ୍ତ୍ର  ଦ୍ଵାରା ଆକ୍ରମଣ କରିଥିଲା।

ଇରାନ ଇଣ୍ଟରନ୍ୟାସନାଲ ନିଜର ସୋସିଆଲ ମିଡ଼ିଆ ସାଇଟ  ‘ଏକ୍ସ’ରେ ପୋଷ୍ଟ କରି କହିଛି ଯେ କୋମ୍ ସହରରୁ ପ୍ରାୟ ୨୦ କିଲୋମିଟର ଦୂରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।ଯାହାଫଳରେ ନିକଟତର ସ୍ଥାନ ମାନଙ୍କରେ ଭୂମିକମ୍ପ ମଧ୍ୟ ଆସିଥିଲା। କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ଏହି ଭୂମିକମ୍ପରେ କୌଣସି ଜନଜୀବନ କିମ୍ବା ଧନସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନଥିବା କୁହାଯାଇଛି। ଅପରପକ୍ଷରେ ଫୋର୍ଡୋ ପରମାଣୁ କେନ୍ଦ୍ରରେ କିଛି ବଡ଼ କ୍ଷତି ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି।

ଇରାନ ଉପରେ ପ୍ରଥମେ ଇସ୍ରାଏଲ ଆକ୍ରମଣ କରିଥିଲା ଯାହାଫଳରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଚାରିଦିନ ମଧ୍ୟରେ ଉଭୟ ଦେଶ ପରସ୍ପରକୁ ଆକ୍ରମଣ କରି ଚାଲିଛନ୍ତି।ତେବେ ୧୩ ତାରିଖରୁ ୧୬ ତାରିଖ ମଧ୍ୟ ରେ  ଇସ୍ରାଏଲ ଆକ୍ରମଣରେ ଇରାନର ୨୨୪ ଜଣ ଲୋକ ପ୍ରାଣ ହରାଇ ସାରିଛନ୍ତି। ଅପରପକ୍ଷରେ ଇରାନୀ କ୍ଷେପଣାସ୍ତ୍ରରେ ଇସ୍ରାଏଲର ବିପୁଳ ଜନ ଜୀବନ ଏବଂ ଧନ ସମ୍ପତ୍ତି କ୍ଷତି ହୋଇଥିବା ନେଇ  ଇରାନ ଦାବି କରୁଛି।

ଏହା ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର  ସେନା ଇରାନର ପରମାଣୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ନଷ୍ଟ ନକରିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବ। ଏହାର ଜବାବ ଦେଇ ଇରାନର ସେନା ନିଜର ସମ୍ପୂର୍ଣ ବଳ ଲଗାଇ ଇସ୍ରାଏଲକୁ ପ୍ରତିରୋଧ କରିବ ବୋଲି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି।

Comments are closed.