ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ ନେଇ ମୂଲ୍ୟାଙ୍କନ ସହ ରାଙ୍କ ପ୍ରଦାନ କରିଥାଏ। ଏହି ପରିପ୍ରେକ୍ଷୀରେ ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟଗୁଡିକ ସାମାଜିକ ପ୍ରଭାବ ଉପରେ କାର୍ଯ୍ୟ କରନ୍ତି ସେହି ଅନୁଷ୍ଠାନଗୁଡିକ ଏଥିରେ ଅଂଶଗ୍ରହଣ କରନ୍ତି। ଚଳିତବର୍ଷ କିଟ୍ ଟାଇମ୍ସ ହାୟର ଏଜୁକେସନ ଇମ୍ପାକ୍ଟ ଗ୍ଲୋବାଲ ରାଙ୍କିଙ୍ଗ ୨୦୨୫ରେ କିଟ୍ ସାମିଲ ହୋଇଥିଲା।
୩ଟି ମାନଦଣ୍ଡ ଆଧାରରେ ଚଳିତ ବର୍ଷ କିଟ୍ ବେଶ ପ୍ରଭାବୀ ରାଙ୍କ ହାସଲ କରିଛି। ଅସମାନତା ହ୍ରାସ (ଏସ୍ଡିଜି-୧୦) ଓ ଶାନ୍ତି, ନ୍ୟାୟ ଏବଂ ସଶକ୍ତ ପ୍ରତିଷ୍ଠାନ (ଏସ୍ଡିଜି-୧୬), ସୁଲଭ ଓ ସ୍ୱଚ୍ଛ ଉର୍ଜା (ଏସ୍ଡିଜି-୭)ରେ ଦେଶର ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଗୁଣାତ୍ମକ ଶିକ୍ଷା (ଏସ୍ଡିଜି-୪)ରେ ଭାରତରେ କିଟ୍ ୩ୟ ସ୍ଥାନରେ ରହିଛି। ଇମ୍ପାକ୍ଟ ରାଙ୍କିଙ୍ଗରେ ସାମଗ୍ରିକ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ସମସ୍ତ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୫ମ ସ୍ଥାନରେ ରହିଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)କୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ଉପରେ ମୂଲ୍ୟାଙ୍କନ ଆଧାରରେ ଚଳିତବର୍ଷ ବିଶ୍ୱର ୧୩୦ଟି ଦେଶର ପ୍ରାୟ ୨୪ଶହରୁ ଅଧିକ ଖ୍ୟାତି ସଂପନ୍ନ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କିଟ୍ ବିଶ୍ୱରେ ୧୦୧ କୋହର୍ଟ ମଧ୍ୟରେ ରହିଛି।
ଏନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ଏକ ଛୋଟ ଅନୁଷ୍ଠାନରୁ ଆରମ୍ଭ ହୋଇଥିଲା ବେଳେ ଏହା ବିଶ୍ୱର ସମସ୍ତ ଅନୁବନ୍ଧନ ଓ ରାଙ୍କିଙ୍ଗରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏବେ କିଟ୍ ବିଶ୍ୱର ସମସ୍ତ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତରେ କିଟ୍ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ମଧ୍ୟ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିଛି। ଏହିସବୁ ରାଙ୍କିଙ୍ଗରେ କିଟ୍ର ଲଗାତାର ସଫଳତା ନିରନ୍ତର ଶିକ୍ଷା, ସ୍ଥାୟୀତ୍ୱ, ଅନ୍ତର୍ଭୁକ୍ତି ଏବଂ ବିଶ୍ୱ ସହଯୋଗ କ୍ଷେତ୍ରରେ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତା ପ୍ରତିପାଦନ କରୁଛି ବୋଲି ସେ କହିଛନ୍ତି।
Comments are closed.