Latest Odisha News

BREAKING NEWS

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଳର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା । ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି । ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ ।

ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ବିକାଶ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ନୀତି ଅନ୍ତର୍ଗତ, ଓଡ଼ିଶାର ରେଳ ବଜେଟ୍‌ ଆବଣ୍ଟନ ପରିମାଣ ୨୦୦୯-୧୪ ତୁଳନାରେ ୧୨ ଗୁଣ ବୃଦ୍ଧି ପାଇ ୨୦୨୫-୨୬ରେ ୧୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି । ୨୦୧୪ ପରଠାରୁ ଓଡ଼ିଶାରେ ୨,୧୦୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଛି । ଏହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ ଲମ୍ବା ।

ଓଡ଼ିଶାରେ ନୂଆ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ପ୍ରାୟ ୭୩ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଜାରି ରହିଛି । ୫୯ଟି ଅମୃତ ଷ୍ଟେସନ ବିକଶିତ କରାଯାଉଛି । ଏଥିମଧ୍ୟରୁ ୧୬ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ରହିଛି । ୬ଟି ବନ୍ଦେ ଭାରତ ଟ୍ରେନ୍‌ ରାଜ୍ୟର ୧୭ଟି ଜିଲ୍ଲାରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି ।

ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ପ୍ରତ୍ୟେକ ବର୍ଷ ରେଳବାଇ ଲକ୍ଷ ଲକ୍ଷ ରଥ ଯାତ୍ରା ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଦିଏ ।

ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ ଯାତ୍ରା ସୁବିଧା

ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି । ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ସେବା ସମେତ ମୋଟ୍‌ ୧୨୧୫ଟି ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି । ଏହି ରେଳ ସେବା ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଯୋଗାଇ ଦିଆଯିବ ।

ଦିବ୍ୟ ଅନୁଭୂତି ପାଇଁ ଏକ ଆରାମଦାୟକ ଯାତ୍ରା

ସେବା ପରମୋ ଧର୍ମ ଭାବନା ନେଇ ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ତୀର୍ଥଯାତ୍ରୀଙ୍କର ସମ୍ମାନ, ଆରାମ ଏବଂ ସୁରକ୍ଷା ସୁନିଶ୍ଚିତ କରିଥାଏ । ଚଳିତ ବର୍ଷ ସମାବେଶୀ ତୀର୍ଥ ଯାତ୍ରା ଲାଗି ସବୁଠୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଦୈନିକ ୨ ଲକ୍ଷ ଯାତ୍ରୀଙ୍କ ସମେତ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ରେଳବାଇ ପ୍ରସ୍ତୁତ । ଏକାଥରକେ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଆଶ୍ରୟ ଦେବା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି । ଖରା ଓ ଗରମରୁ ରକ୍ଷା ପାଇଁ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯଥେଷ୍ଟ ବନ୍ଦୋବସ୍ତ କରାଯାଇଛି । ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ଷ୍ଟଲ୍‌, ପାଣି ବୁଥ୍‌ ଓ କୁଲର୍‌ ବ୍ୟବସ୍ଥା କରାଯାଇଛି । ତୀର୍ଥଯାତ୍ରୀଙ୍କୁ ପ୍ରାୟ ୨.୫ ଲକ୍ଷ ମାଗଣା ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।

ପରିମଳ ଓ ସ୍ୱଚ୍ଛତା ପାଇଁ ଆଧୁନିକ ଜେଟ୍ ସଫେଇ ମେସିନ୍ ଏବଂ ସ୍ୱେରେଜ୍ ସକ୍ସନ୍ ଟ୍ରକ୍ ସମେତ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସିସିଟିଭି, ଡ୍ରୋନ୍ ଏବଂ ମୁଖମଣ୍ଡଳ ଚିହ୍ନଟ ବ୍ୟବସ୍ଥା ବା ଫେସ୍‌ ରେକଗ୍ନିସନ୍‌ ସିଷ୍ଟମ୍‌ ସେମାନଙ୍କୁ ସହାୟକ ହେବ ।

ଦିବ୍ୟାଙ୍ଗଜନ, ବୟସ୍କ, ମହିଳା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମେଡ଼ିକାଲ ବୁଥ୍‌, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଚଳିତ ବର୍ଷ, ଭାରତୀୟ ରେଳବାଇ ପୁରୀ ରେଳ ଷ୍ଟେସନକୁ ଏକ ସମାବେଶୀ ତଥା ଆସ୍ଥାକେନ୍ଦ୍ରିତ ଜନ ସେବାର ଆଦର୍ଶ ଷ୍ଟେସନ ରୂପେ ବିକଶିତ କରିଛି ।

ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ସ୍ୱତନ୍ତ୍ର ରେଳ ଜ୍ୟାକ୍‌

ରଥଯାତ୍ରାରେ ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କ ସମେତ ଭାରତୀୟ ରେଳବାଇର ଏକ ବିଶେଷ ଦଳ ମଧ୍ୟ ନିୟୋଜିତ ହୋଇଥା’ନ୍ତି । ଏହି ଦଳ ଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ଏବଂ ମରାମତି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ରହିଥାଏ । ଏହି ଦଳ ବିଶାଳ ରଥଗୁଡ଼ିକୁ ନିର୍ମାଣ ସ୍ଥଳରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପରିବହନରେ ସହାୟତା କରେ ।

ନିର୍ଦ୍ଧାରିତ ମାର୍ଗରେ ରଥଗୁଡ଼ିକୁ ଯଥାସ୍ଥାନରେ ରଖିବା, ସେଗୁଡ଼ିକର ଅବସ୍ଥିତି ପ୍ରତି ଧ୍ୟାନ ଦେବା ଏବଂ ଆଗକୁ ଗଡ଼ାଇବାରେ ରେଳବାଇ ଦଳ ସ୍ୱତନ୍ତ୍ର ସ୍କ୍ରୁ ଜ୍ୟାକ୍‌ ବ୍ୟବହାର କରିଥାଏ । ଏହା ମାର୍ଗରେ ଆସୁଥିବା ବାଧାଗୁଡ଼ିକୁ ହଟେଇବା ଏବଂ ରଥଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବାରେ ମଧ୍ୟ ସହାୟତା କରିଥାଏ । ରଥଯାତ୍ରା ସରିବା ପର୍ଯ୍ୟନ୍ତ ଏହି ଦଳ ରଥଗୁଡ଼ିକ ପାଖରେ ରହିଥାଏ । ଭାରତୀୟ ରେଳବାଇ ଦେଶର ଜୀବନରେଖା ରୂପେ ଲୋକମୁଖରେ ମାନ୍ୟତା ଲାଭ କରିଛି । ରଥଯାତ୍ରାକୁ ନିଜର ଜୀବନରେଖା ରୂପେ ବିଚାର କରୁଥିବା ତୀର୍ଥଯାତ୍ରୀଙ୍କ ସମେତ ସବୁ ଭାରତୀୟଙ୍କ ସେବାରେ ରେଳବାଇ ପୂର୍ଣ୍ଣ ସମର୍ପିତ ରହିଛି ।

Comments are closed.