ନୂଆଦିଲ୍ଲୀ: ଆପଣ କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ଯେତେବେଳେ ଆପଣ ବନ୍ଧୁଙ୍କ ସହ କିଛି ବିଷୟରେ କଥା ହୁଅନ୍ତି, ଆଉ ସେହି ଜିନିଷ ହଠାତ୍ ଆପଣଙ୍କ ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ଫିଡରେ ଦେଖାଯାଏ? ଯଦି ଏପରି ହୋଇଛି, ତେବେ ଏହା କେବଳ ଏକ ସଂଯୋଗ ନୁହେଁ। ଏକ ନୂଆ ରିପୋର୍ଟରେ ବଡ଼ ଖୁଲାସା ହୋଇଛି ଯେ ସୋସିଆଲ ମିଡିଆ ଆପ୍ଗୁଡ଼ିକ କେବଳ ଆପଣଙ୍କ ପୋଷ୍ଟକୁ ନୁହେଁ, ବରଂ ଆପଣଙ୍କ ସବୁ ଗତିବିଧିକୁ ନଜର ରଖୁଛି।
ବ୍ରିଟେନର ଗବେଷଣା ସଂସ୍ଥା Aptecoର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ସମେତ ଅନେକ ଲୋକପ୍ରିୟ ଆପ୍ ଚୁପଚାପ ଆପଣଙ୍କ ଗତିବିଧିକୁ ଟ୍ରାକ କରୁଛି। ଆପଣ ଯେତିକି ସାଧାରଣ ଭାବୁଛନ୍ତି, ଏହି ଆପ୍ଗୁଡ଼ିକ ସେତିକି ଚତୁର। ଏଗୁଡ଼ିକ ଆପଣଙ୍କ ପସନ୍ଦ, ସର୍ଚ ହିଷ୍ଟ୍ରୀ, ଲୋକେସନ ଏବଂ ଏପରିକି ଆପଣ କେଉଁ ବିଷୟରେ ଆଗ୍ରହୀ, ସବୁକିଛି ରେକର୍ଡ କରୁଛି।
କେବଳ ସୋସିଆଲ ମିଡିଆ ନୁହେଁ, ଇ-କମର୍ସ ଓ ଆର୍ଥିକ ସମ୍ବନ୍ଧୀୟ ଆପ୍ଗୁଡ଼ିକ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାରେ ପଛରେ ନାହାନ୍ତି। ରିପୋର୍ଟ ଅନୁଯାୟୀ, ଫେସବୁକ, ଇନଷ୍ଟାଗ୍ରାମ, ଥ୍ରେଡସ, ଲିଙ୍କଡଇନ, ପିନଟେରେଷ୍ଟ, ଆମାଜନ, ଆଲେକ୍ସା, ୟୁଟ୍ୟୁବ, ଏକ୍ସ (ପୂର୍ବରୁ ଟ୍ୱିଟର) ଏବଂ ଏପରିକି ପେପାଲ ପରି ଆପ୍ଗୁଡ଼ିକ ମଧ୍ୟ ୟୁଜରଙ୍କ ଡିଜିଟାଲ କାର୍ଯ୍ୟକୁ ନିରୀକ୍ଷଣ କରୁଛି। ଏହି ଆପ୍ଗୁଡ଼ିକ ମାଧ୍ୟମରେ ସଂଗୃହୀତ ତଥ୍ୟ ଆଧାରରେ ଆପଣଙ୍କର ଏକ ଡିଜିଟାଲ ପ୍ରୋଫାଇଲ ପ୍ରସ୍ତୁତ ହୁଏ। ଏଥିରୁ ଜାଣିବାକୁ ମିଳେ ଯେ ଆପଣ କ’ଣ କିଣୁଛନ୍ତି, କେଉଁ ବିଷୟରେ ଆଗ୍ରହୀ, କେଉଁ ପ୍ରସଙ୍ଗ ଉପରେ ଆପଣଙ୍କର ମତ କ’ଣ, ଏବଂ ଆପଣ କାହା ସହ ଜଡ଼ିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ ଏପରି କଣ୍ଟେଣ୍ଟ ଦେଖାଇବ ଯାହା ଆପଣଙ୍କ ମନକୁ ପ୍ରଭାବିତ କରିପାରେ।
କିପରି ରଖିବେ ନିଜ ଗୋପନୀୟତା ସୁରକ୍ଷିତ?
ଯଦି ଆପଣ ଏହି ଆପ୍ଗୁଡ଼ିକ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି କିନ୍ତୁ ନିଜ ଗୋପନୀୟତାକୁ ମଧ୍ୟ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତେବେ କିଛି ସହଜ ପଦକ୍ଷେପ ଆପଣଙ୍କୁ ସାହାଯ୍ୟ କରିପାରେ:
- ଆପ୍ ଇନଷ୍ଟଲ କରିବା ସମୟରେ ପ୍ରତ୍ୟେକ ପରମିଶନକୁ ଧ୍ୟାନରେ ପଢ଼ନ୍ତୁ, ଅନାବଶ୍ୟକ କିଛିକୁ ଅନୁମତି ଦିଅନ୍ତୁ ନାହିଁ।
- କ୍ୟାମେରା, ମାଇକ୍ରୋଫୋନ ଓ ଲୋକେସନ ପରି ସମ୍ବେଦନଶୀଳ ପରମିଶନ କେବଳ ଆବଶ୍ୟକ ହେଲେ ଦିଅନ୍ତୁ।
- ଫୋନର ସେଟିଂସକୁ ଯାଇ ସମୟସମୟରେ ଆପ୍ଗୁଡ଼ିକର ପରମିଶନ ଯାଞ୍ଚ କରନ୍ତୁ ଏବଂ ଅନାବଶ୍ୟକ ଆକ୍ସେସ ବନ୍ଦ କରନ୍ତୁ।
- କେବଳ ବିଶ୍ୱସନୀୟ ଓ ଅଫିସିଆଲ ପ୍ଲାଟଫର୍ମରୁ ଆପ୍ ଡାଉନଲୋଡ କରନ୍ତୁ।
- ଆପ୍ଗୁଡ଼ିକର ଡାଟା ପଲିସି, ରେଟିଂ ଓ ରିଭ୍ୟୁକୁ ନିଶ୍ଚିତ ପଢ଼ନ୍ତୁ।
Comments are closed.