Latest Odisha News

BREAKING NEWS

Deepotsav 2026: ୫୬ ଘାଟରେ ଜଳିବ ୩୦ ଲକ୍ଷ ଦୀପ! ୨୧୦୦ ଡ୍ରୋନ୍‌ରେ ଆକାଶରେ ଜୀବନ୍ତ ହେବ ରାମାୟଣ, ଭବ୍ୟ ଦୀପୋତ୍ସବରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା: ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସିବ ରାମନଗରୀ ଅଯୋଧ୍ୟା। ଛୋଟ ଦୀପାବଳି ଅବସରରେ ଆଜି ଅଯୋଧ୍ୟାରେ ଆୟୋଜିତ ହେଉଛି ୧୦ମ ଭବ୍ୟ ଦୀପୋତ୍ସବ। ସରଯୂ ନଦୀର ୫୬ଟି ଘାଟରେ ୩୦ ଲକ୍ଷରୁ ଅଧିକ ଦୀପ ଜଳାଯିବ। ୨୧୦୦ ବଟୁକଙ୍କ ଦ୍ୱାରା ମହାଆରତୀ ସହ ୨୧୦୦ ଡ୍ରୋନ୍‌ରେ ଆକାଶରେ ରାମାୟଣର ବିଭିନ୍ନ ପ୍ରସଙ୍ଗ ପ୍ରଦର୍ଶିତ ହେବ। ଏହି ଭବ୍ୟ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ।

ଅଯୋଧ୍ୟାକୁ ଆଲୋକମାଳାରେ ସଜାଯାଇଥିବା ବେଳେ 3D ସ୍କ୍ରିନ୍‌ରେ ରାମାୟଣର ପ୍ରମୁଖ ଦୃଶ୍ୟ ଜୀବନ୍ତ ହେବ। ଏଥର ଦୀପୋତ୍ସବରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ସକାଳ ୧୦ଟାରେ ସାକେତ ଡିଗ୍ରୀ କଲେଜରୁ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟାରେ ରାମକଥା ପାର୍କରେ ପହଞ୍ଚିବ। ଅପରାହ୍ନ ୨ଟା ୧୫ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିବେ। ଏହାର ୧୫ ମିନିଟ୍ ପରେ ଅର୍ଥାତ୍ ୨ଟା ୩୦ରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଯୋଧ୍ୟାରେ ପହଞ୍ଚିବେ। ଉଭୟେ ରାମ ମନ୍ଦିରରେ ଦର୍ଶନ କରିବେ। ଅପରାହ୍ନ ୩ଟା ୨୫ରୁ ୩ଟା ୪୦ ମଧ୍ୟରେ ଭଗବାନ ରାମ ଓ ମାତା ସୀତାଙ୍କ ସ୍ୱରୂପ ହେଲିକପ୍ଟରରେ ରାମକଥା ପାର୍କରେ ପହଞ୍ଚିବେ। ଏଠାରେ ଭରତ ମିଳାପ ଅନୁଷ୍ଠିତ ହେବ। ଏହାପରେ ୩ଟା ୫୦ରୁ ୪ଟା ୧୦ ମଧ୍ୟରେ ରାମ-ଜାନକୀଙ୍କ ପୂଜା, ଆରତୀ ଓ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ହେବ। ଅପରାହ୍ନ ୪ଟା ୨୫ରୁ ୪ଟା ୪୦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରହିଛି।

ସନ୍ଧ୍ୟା ୫ଟା ୩୫ରୁ ୫ଟା ୫୫ ମଧ୍ୟରେ ନୂଆ ଘାଟରେ ସରଯୂ ଆରତୀ ହେବ। ୬ଟାରୁ ୬ଟା ୨୫ ମଧ୍ୟରେ ରାମ କି ପୈଡ଼ିରେ ଦୀପ ପ୍ରଜ୍ୱଳନ କରାଯିବ। ଏହାପରେ ୬ଟା ୨୫ରୁ ୬ଟା ୫୫ ମଧ୍ୟରେ 3D ପ୍ରୋଜେକ୍ସନ୍, ରାମାୟଣ ଆଧାରିତ ଲେଜର ଶୋ ଓ ୨୧୦୦ ଡ୍ରୋନ୍‌ରେ ଆକାଶୀୟ ପ୍ରଦର୍ଶନ ହେବ। ସନ୍ଧ୍ୟା ୬ଟା ୫୫ରୁ ୭ଟା ୫ ମଧ୍ୟରେ ରାମ କି ପୈଡ଼ିରେ ଯୋଗୀ ଆଦିତ୍ୟନାଥଙ୍କ ଅଭିଭାଷଣ ରହିଥିବା ବେଳେ ରାତି ୭ଟା ୪୦ରୁ ୭ଟା ୫୦ ମଧ୍ୟରେ ଆତସବାଜି ହେବ।

ଦୀପୋତ୍ସବକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସହରକୁ ୨୦ଟି ଜୋନ୍ ଓ ୫୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପୋଲିସ, CRPF, PAC, ବମ୍ ସ୍କ୍ୱାଡ୍ ଓ ଅଗ୍ନିଶମ ବିଭାଗର ଟିମ୍‌କୁ ମୁତୟନ କରାଯାଇଛି। ଲକ୍ଷ ଲକ୍ଷ ଦୀପ, ଡ୍ରୋନ୍ ଶୋ ଓ ରାମାୟଣର ଦୃଶ୍ୟ ସହ ଆଜି ଆଲୋକରେ ଝଲସିବ ଅଯୋଧ୍ୟା।

Leave A Reply

Your email address will not be published.