Latest Odisha News

BREAKING NEWS

Deleted Voters: ଭୋଟର ତାଲିକାରୁ ନାଁ କଟିଛି କି? ୭ ରାଜ୍ୟର ଭୋଟରଙ୍କୁ ECଙ୍କ ବଡ଼ ଆଶ୍ୱସ୍ତି, ପୁଣି ମିଳିବ ସୁଯୋଗ!

ନୂଆଦିଲ୍ଲୀ: ଭୋଟର ତାଲିକାରୁ କଟିଯାଇଛି ନାଁ, ହାତରୁ ଖସିଯିବ କି ମତଦାନର ଅଧିକାର? ଏଭଳି ଆଶଙ୍କାରେ ଥିବା ଭୋଟରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ନିର୍ବାଚନ ଆୟୋଗ। ୭ଟି ରାଜ୍ୟରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ପୁଣି ସାମିଲ ହେବା ପାଇଁ ମିଳିବ ନୂଆ ସୁଯୋଗ। ଯେଉଁମାନେ ଯୋଗ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ତାଲିକାରୁ ବାଦ୍ ପଡ଼ିଛନ୍ତି, ସେମାନେ ଏବେ ପୁନର୍ବାର ନିଜ ନାଁ ଯୋଡ଼ିବାକୁ ଆବେଦନ କରିପାରିବେ।

ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ନାଗାଲାଣ୍ଡରେ ଲାଗୁ ହେବ। ଏହି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୪.୫୧ କୋଟି ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଥିବା ରିପୋର୍ଟ ରହିଛି।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କେତେକ ଭୋଟରଙ୍କୁ ASD ବର୍ଗରେ ଚିହ୍ନଟ କରାଯାଇଥିଲା। ASDର ଅର୍ଥ ହେଉଛି ଅନୁପସ୍ଥିତ (Absent), ସ୍ଥାନାନ୍ତରିତ (Shifted), ମୃତ (Dead) ଏବଂ ନକଲି ବା ଏକାଧିକ ଥର ପଞ୍ଜୀକୃତ (Duplicate) ଭୋଟର। ଏହି ଭୋଟରଙ୍କ ପାଇଁ ଏନ୍ୟୁମରେସନ୍ ଫର୍ମ (Enumeration Form) ଜାରି କରାଯାଇଥିଲେ ମଧ୍ୟ ତାହା ଫେରସ୍ତ ମିଳିନଥିଲା। ଫଳରେ ସେମାନଙ୍କ ନାଁ ଡ୍ରାଫ୍ଟ ଭୋଟର ତାଲିକାରେ ସ୍ଥାନ ପାଇନଥିଲା। ଏବେ ଏହି ଭୋଟରମାନଙ୍କୁ ପୁଣିଥରେ ନିଜ ନାଁ ଚୂଡ଼ାନ୍ତ ତାଲିକାରେ ଯୋଡ଼ିବାର ସୁଯୋଗ ଦିଆଯାଇଛି।

ଏଥିସହ ନିର୍ବାଚନ ଆୟୋଗ ଅଧିକାରୀମାନଙ୍କୁ ଏକ ସ୍ୱତନ୍ତ୍ର ମନିଟରିଂ ବ୍ୟବସ୍ଥା ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ଚୂଡ଼ାନ୍ତ ତାଲିକାରେ ସାମିଲ ହେବାର ସୁଯୋଗରୁ ବଞ୍ଚିତ ନହେବେ। ଅନ୍ୟପଟେ ନକଲି ଭୋଟର ପଞ୍ଜୀକରଣକୁ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ ନିର୍ବାଚନ ଆୟୋଗ ଫର୍ମ-୬କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଜାରି କରିଥିଲେ। ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିବା ବ୍ୟକ୍ତିଙ୍କ ନାଁ ଯଦି ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ, ତେବେ ସେମାନେ ପୁଣିଥରେ ଫର୍ମ-୬ ଦାଖଲ କରି ନିଜ ନାଁ ସାମିଲ କରିପାରିବେ। ପୂର୍ବରୁ ପଞ୍ଜୀକୃତ ଭୋଟରମାନଙ୍କ ମଧ୍ୟରେ ଏହାକୁ ନେଇ ଆଶଙ୍କା ରହିଥିଲା। ଫର୍ମ-୬ରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାଁ ସାମିଲ କରିବା ସମ୍ପର୍କିତ ଘୋଷଣା ଦେବା ଦ୍ୱାରା ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ଜନପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସେମାନେ ଭୟ କରୁଥିଲେ।

ଏହି ଦ୍ୱନ୍ଦ୍ୱ ଦୂର କରି ଆୟୋଗ କହିଛନ୍ତି, ଫର୍ମ-୬ରେ ଏହି ଘୋଷଣା ଅଗଷ୍ଟ ୧, ୨୦୨୨ରୁ ଲାଗୁ ହୋଇଛି। ତେଣୁ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ମଧ୍ୟ ଡ୍ରାଫ୍ଟ ତାଲିକାରେ ନାଁ ନଥିବା ବ୍ୟକ୍ତି ନୂଆ ଫର୍ମ-୬ ଦାଖଲ କରିପାରିବେ। ଏଭଳି ପରିସ୍ଥିତିରେ କେବଳ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିବା କାରଣରୁ ଫର୍ମ-୬ ଦାଖଲକୁ ମିଥ୍ୟା ଘୋଷଣା ବୋଲି ଧରାଯିବ ନାହିଁ। ଏପରି ଆବେଦନ ପାଇଁ କୌଣସି ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର (ERO) ଧାରା ୩୧ ଅନୁସାରେ ମାମଲା ଆରମ୍ଭ କରିପାରିବେ ନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।

ତେବେ ଏହି ସୁଯୋଗ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଛି। ଆବେଦନକାରୀଙ୍କ ନାଁ ଅନ୍ୟ କୌଣସି ଲୋକସଭା କିମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଉଚିତ୍ ନୁହେଁ।

Leave A Reply

Your email address will not be published.