ପୁରୀ: ରଥଯାତ୍ରାରେ କଭରେଜ୍ ବେଳେ ହଟହଟା ହେଲେ ସାମ୍ବାଦିକ । ପୋଲିସର ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ଗଭୀର ଆଘାତ ପାଇ ଜଣେ ମହିଳାଙ୍କ ସାମ୍ବାଦିକଙ୍କ ହାତରେ ୨୦ଟି ଷ୍ଟିଜ୍ ପଡିଛି । ଏମିତିକି ଲୋକସମ୍ପର୍କ ବିଭାଗ ଡିଆଇପିଆରଓ ବି ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସାମ୍ବାଦିକ ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୋଲିସ ଆକ୍ରମଣରେ ୭ ଜଣ ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ । ସକାଳ ୮ ଟା ରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ ୫୨ ଜଣ ସାମ୍ବାଦିକ ରଥଯାତ୍ରା କଭରେଜ୍ ପାଇଁ ବାହାରିଥିଲେ । ପରେ ପୁରୀରେ ଶ୍ରୀମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ପହଁଞ୍ଚିଥିଲେ । ହେଲେ ସେମାନଙ୍କୁ ପୋଲିସ ବ୍ୟାରିକେଡରେ ଛାଡି ନଥିଲା । ସାମ୍ବାଦିକମାନେ ପୋଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ବି ଦେଖାଇଥିଲେ । କିନ୍ତୁ ପୁଲିସ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ ୭ ଜଣ ଗୁରୁତର ଆହତ ହୋଇଥିଲେ ।
ଏନେଇ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ତାଙ୍କୁ ଦଳାଚକଟା କରିଦେଥିଲେ । ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଛି । ତଥାପି ପୋଲିସର ଆକ୍ରମଣ ଥମି ନଥିଲା| ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ହାତରେ ୨୦ ଷ୍ଟିଜ ପଡିଥିଲା । ଗିରିଧାରୀ ଲାଲ ଷଡଙ୍ଗୀ ଗୋଡରେ ଆଘାତ ହୋଇଛି । ଯାହାକୁ ନେଇ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସାମ୍ବାଦିକ ।
ଅନ୍ୟପଟେ ବିଜେଡି ମଧ୍ୟ ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏନେଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ।
Comments are closed.