Latest Odisha News

BREAKING NEWS

ସାମ୍ନାକୁ ଆସିଲା ଅଧିକ ଦରମା ଦେଉଥିବା ସହରର ତାଲିକା, ପଛରେ ପଡ଼ିଲା ଦିଲ୍ଲୀ-ମୁମ୍ୱାଇ !

ଭୁବନେଶ୍ୱର : ଦେଶରେ ଉଚ୍ଚ ଦରମା ପାଇଁ ଯୁବକମାନେ ବଡ଼ ସହରମାନଙ୍କୁ ପଳାୟନ କରିବା କୌଣସି ନୂଆ କଥା ନୁହେଁ। ପଢ଼ା ସାରିବା ପରେ ଅଧିକାଂଶ ଯୁବକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ କିମ୍ବା ପୁଣେ ଭଳି ମେଟ୍ରୋ ସହରମାନଙ୍କୁ ଚାକିରି ଖୋଜିବା ପାଇଁ ଯାଆନ୍ତି। କିନ୍ତୁ ଏବେ ଦରମାର ଏହି ଖେଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ସମ୍ପ୍ରତି ଇଣ୍ଡିଡ୍‌ର ନୂଆ ପେମ୍ୟାପ୍‌ ସର୍ଭେ ଅନୁଯାୟୀ, ମୋଟା ଦରମା ପାଇଁ ଏବେ ପରମ୍ପରାଗତ ମେଟ୍ରୋ ସହରଙ୍କ ବଦଳରେ ହାଇଦ୍ରାବାଦ, ଚେନ୍ନାଇ ଓ ଅହମଦାବାଦ ଭଳି ସହରମାନେ ଆଗକୁ ଆସିଛଛନ୍ତି। ଏହି ସହରଗୁଡ଼ିକରେ ଦରମା ବୃଦ୍ଧିର ଗତି ଦିଲ୍ଲୀ ଓ ମୁମ୍ବାଇଠାରୁ ଅଧିକ ରହିଛି।

ସର୍ଭେରେ କ’ଣ ଜଣାପଡ଼ିଲା?
ଏହି ସର୍ଭେରେ ଦେଶବ୍ୟାପୀ ୧୩୦୦ରୁ ଅଧିକ ନିଯୁକ୍ତିଦାତା (ଏମ୍ପ୍ଲୟର) ଏବଂ ୨୫୦୦ରୁ ଅଧିକ କର୍ମଚାରୀଙ୍କ ମତ ନିଆଯାଇଥିଲା। ଏଥିରେ ଫ୍ରେଶର୍ସଙ୍କଠାରୁ ଅଭିଜ୍ଞ ପ୍ରୋଫେସନାଲଙ୍କ ପର୍ଯ୍ୟନ୍ତ ଦରମା, ଜୀବନଧାରଣ ଖର୍ଚ୍ଚ, ସହରର ଜୀବନଶୈଳୀ ଏବଂ କାମର ଚାପ ଆଦି ବିଷୟରେ ଗବେଷଣା କରାଯାଇଛି। ସର୍ଭେ ଅନୁଯାୟୀ, ଚେନ୍ନାଇରେ କ୍ୟାରିୟର ଆରମ୍ଭ କରୁଥିବା ଯୁବକମାନଙ୍କ ପାଇଁ ସବୁଠାରୁ ଆକର୍ଷଣୀୟ ସହର ହୋଇପାରିଛି। ଏଠାରେ ଫ୍ରେଶର୍ସଙ୍କୁ (୦-୨ ବର୍ଷ ଅଭିଜ୍ଞତା) ମାସିକ ୩୦,୧୦୦ ଟଙ୍କା ଦରମା ମିଳୁଛି। ଅନ୍ୟପଟେ, ୫ ରୁ ୮ ବର୍ଷ ଅଭିଜ୍ଞତା ଥିବା ପ୍ରୋଫେସନାଲଙ୍କ ପାଇଁ ହାଇଦ୍ରାବାଦ ସବୁଠାରୁ ଲାଭଦାୟକ ସହର, ଯେଉଁଠାରେ ମାସିକ ଦରମା ୬୯,୭୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।

ଦିଲ୍ଲୀ ଓ ମୁମ୍ବାଇ ଭଳି ବଡ଼ ସହରଗୁଡ଼ିକରେ ଅଧିକ ଚାକିରି ସୁଯୋଗ ଥାଇପାରେ, କିନ୍ତୁ ଏହି ସହରଗୁଡ଼ିକରେ ଦରଦାମ ଲୋକଙ୍କ ପକେଟକୁ ଖାଲି କରୁଛି। ରିପୋର୍ଟ ଅନୁଯାୟୀ, ପ୍ରାୟ ୬୯% କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ଦରମା ସେମାନଙ୍କ ସହରର ଜୀବନଧାରଣ ଖର୍ଚ୍ଚ ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ। ଦିଲ୍ଲୀରେ ଏହି ସଂଖ୍ୟା ୯୬%, ମୁମ୍ବାଇରେ ୯୫%, ପୁଣେରେ ୯୪% ଏବଂ ବେଙ୍ଗାଲୁରୁରେ ୯୩% ପର୍ଯ୍ୟନ୍ତ ପହଞ୍ଚିଛି। ଏହାର ମୁଖ୍ୟ କାରଣ ହେଉଛି ମହଙ୍ଗା ଭଡ଼ା, ଯାତାୟାତ ଖର୍ଚ୍ଚ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷର ମୂଲ୍ୟ ଦିନକୁ ଦିନ ବଢ଼ିବା।

ଛୋଟ ସହର ଏବେ ଯୁବକଙ୍କ ପସନ୍ଦ
ଏହି ଦ୍ରୁତ ଗତିରେ ବଦଳୁଥିବା ଟ୍ରେଣ୍ଡ ଯୋଗୁ ଯୁବକମାନେ ଏବେ ଏଭଳି ସହରଗୁଡ଼ିକୁ ଚାକିରି ପାଇଁ ପସନ୍ଦ କରୁଛନ୍ତି, ଯେଉଁଠାରେ ଜୀବନଧାରଣ ଖର୍ଚ୍ଚ କମ୍‌ ଓ ଦରମା ଭଲ ମିଳୁଛି। ହାଇଦ୍ରାବାଦ, ଚେନ୍ନାଇ ଓ ଅହମଦାବାଦ ଏବେ ଏଭଳି ସହର ହୋଇଛି, ଯେଉଁଠାରେ ପ୍ରୋଫେସନାଲମାନେ ଭଲ ଦରମା ସହିତ ଉନ୍ନତ ଜୀବନଶୈଳୀ ପାଉଛନ୍ତି।

କେଉଁ କ୍ଷେତ୍ରରେ ଅଧିକ ଦରମା?
ସର୍ଭେରେ ଜଣାପଡ଼ିଛି ଯେ ଆଇଟି ଓ ଆଇଟି-ଆଧାରିତ ସେବା (IT/ITeS) କ୍ଷେତ୍ର ସମସ୍ତ ଅଭିଜ୍ଞତା ସ୍ତରରେ ଦରମାରେ ଆଗରେ ରହିଛି, ଯାହା ଡିଜିଟାଲ ଓ ଏଆଇ-ଆଧାରିତ ଭୂମିକାର ଚାହିଦା ଯୋଗୁ ହେଉଛି। ଏହା ବ୍ୟତୀତ ମ୍ୟାନୁଫାକ୍ଚରିଂ ଓ ଟେଲିକମ କ୍ଷେତ୍ର ମଧ୍ୟ ମଜବୁତ ଦରମା ବୃଦ୍ଧି ଦେଖାଉଛି। ଫ୍ରେଶର୍ସଙ୍କ ପାଇଁ ଏହି କ୍ଷେତ୍ରଗୁଡ଼ିକରେ ଦରମା ୨୮,୧୦୦ ରୁ ୨୮,୩୦୦ ଟଙ୍କା ଏବଂ ୫-୮ ବର୍ଷ ଅଭିଜ୍ଞତା ଥିବା ପ୍ରୋଫେସନାଲଙ୍କ ପାଇଁ ୬୭,୭୦୦ ରୁ ୬୮,୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

କାହିଁକି ବଦଳୁଛି ଟ୍ରେଣ୍ଡ?
ଏହି ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ମେଟ୍ରୋ ସହରଗୁଡ଼ିକରେ ବଢ଼ୁଥିବା ଜୀବନଧାରଣ ଖର୍ଚ୍ଚ ଏବଂ ଛୋଟ ସହରମାନଙ୍କରେ ଉନ୍ନତ ଭିତ୍ତିଭୂମି ଓ ଚାକିରିର ସୁଯୋଗ। ଏହା ସହିତ, ୬୯% କର୍ମଚାରୀ ଏବେ ନୂଆ ସହରକୁ ସ୍ଥାନାନ୍ତର କରିବାକୁ ଇଚ୍ଛୁକ ହେଉନାହାନ୍ତି । କାରଣ ମହଙ୍ଗା ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ  ଏହି ସହରଗୁଡ଼ିକରେ ବହୁତ କମ ରହିଛି।

 

Comments are closed.