ଭୁବନେଶ୍ୱର: ଜୁଲାଇ ୧୭ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି।
ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସତର୍କତା ଜାରି କରିଛନ୍ତି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ଝଡ଼ବର୍ଷା ଏବଂ ବଜ୍ରପାତ ସହିତ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ନେଇ ଆଇଏମଡି ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଆଡଭାଇଜରି ଅନୁଯାୟୀ, ସମସ୍ତ ଜିଲ୍ଲାପାଳଙ୍କୁ ଯେକୌଣସି ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରାମର୍ଶରେ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ବଜ୍ରପାତ ସମୟରେ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି।
ଅପରପକ୍ଷରେ ଜୁଲାଇ ୧୩-୧୪ରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ପଶ୍ଚିମ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ଝଡବର୍ଷା ସହ ବଜ୍ରପାତ ସତର୍କତା ଜାରି ହୋଇଛି।
ଜୁଲାଇ ୧୪-୧୫ରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହୋଇପାରେ।
ଜୁଲାଇ ୧୫-୧୬ରେ ମାଲକାନଗିରି, କୋରାପୁଟ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ବଜ୍ରପାତ ସହିତ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଜୁଲାଇ ୧୬-୧୭ରେ ଖାସକରି ରାଜ୍ୟର ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ।
ସେହିପରି ଲୋକଙ୍କୁ ପାଣିପାଗ ଅପଡେଟ୍ ଉପରେ ନଜର ରଖିବାକୁ ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।
Comments are closed.