Latest Odisha News

BREAKING NEWS

ରାଜ୍ୟରେ ନିମ୍ନମାନର ସାଲାଇନ ଯୋଗାଣ: ସଂପୃକ୍ତ ସଂସ୍ଥା ହେଲା କଳା ତାଲିକାଭୁକ୍ତ

ଭୁବନେଶ୍ୱର : ଭେଜାଲ ସାଲାଇନ୍ ଯୋଗାଣ ଅଭିଯୋଗକୁ ଆଧାର କରି ରାଜ୍ୟ ଔଷଧ ନିଗମ ଗୁଜୁରାଟର ଏକ୍ୟୁଲାଇଫ ନାମକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ସହ କଳା ତାଲିକାଭୁକ୍ତ କରିଛି ।

ସୂଚନା ଅନୁଯାୟୀ ସଂପୃକ୍ତ ସଂସ୍ଥା ‘ନିରାମୟ’ ଯୋଜନାରେ ଭେଜାଲ ତଥା ନିମ୍ନମାନର ସାଲାଇନ ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏହାର ତଦନ୍ତ କରି ଆଗାମୀ ୩ବର୍ଷ ପାଇଁ ସଂପୃକ୍ତ ସଂସ୍ଥା ନିଗମର କୌଣସି ଟେଣ୍ଡରରେ ଅଂଶ ଗ୍ରହଣ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ନିଗମ । ତେବେ ଏହି ନିମ୍ନମାନର ସାଲାଇନ ଅନ୍ୟ କୌଣସି ସରକାରୀ ଡାକ୍ତରଖାନାକୁ ଯୋଗାଣ ହୋଇନଥିବା ନିଗମ ପକ୍ଷରୁ ଜଣାପଡିଛି ।

ତେବେ ୨୦୧୬/୧୭ ବର୍ଷରେ ନିରାମୟ ଯୋଜନାରେ ସାଲାଇନ୍ ଯୋଗାଣ ପାଇଁ ଏକ ଟେଣ୍ଡର ହୋଇଥିଲା । ଏଥିରେ ୫୦୦ମିଲି ସାଲାଇନ୍ ପାଇଁ ଗୁଜୁରାଟର ଏକ୍ୟୁଲାଇଫ ନାମକ ଏହି କମ୍ପାନୀ ଟେଣ୍ଡର ନେଇଥିଲା । କମ୍ପାନୀକୁ ଆଇ ଭି କମ୍ପାଉଣ୍ଡ ସୋଡିୟମ୍ ଲାକ୍ଟେଟ୍ ସହିତ ଆଇ ଭି ଡେକ୍ସଟ୍ରୋଜ୍ ଏବଂ ସୋଡିୟମ୍ କ୍ଲୋରାଇଡ୍ ଯୋଗାଇବା ପାଇଁ ଟେଣ୍ଡର ନେଇଥିଲା ।

ଏହି କମ୍ପାନୀ ପକ୍ଷରୁ ଗତବର୍ଷ ପ୍ରସ୍ତୁତ ହୋଇଥିବା ସାଲାଇନର ୭ଟି ବ୍ୟାଚ୍ ନିମ୍ନମାନର ହୋଇଥିବା ନେଇ ନିଗମ ପକ୍ଷରୁ କରାଯାଇଥିବା ଏକ ପରୀକ୍ଷାରେ ଜଣାପଡିଥିଲା । ଗତ ୩ ରୁ୪ ମାସ ତଳେ ଏହି ନିମ୍ନମାନର ସାଲାଇନ ସମ୍ପର୍କରେ ନିଗମ କତ୍ତୃପକ୍ଷ ଜାଣିବାକୁ ପାଇଥିଲା ।

ତେବେ ସାଲାଇନ ଗୁଡିକର ଏକ୍ସପାଏରୀ ଡେଟରେ ୨୦୨୦ ଲେଖାଥିଲେ ମଧ୍ୟ ଏଥିରେ ଔଷଧିୟ ସମାଗ୍ରୀର ପରିମାଣ ଖୁବ୍ କମ୍ ରହିଥିବା ନେଇ ପରୀକ୍ଷା ପରେ ଜଣାପଡିଥିଲା ।

ରାଜ୍ୟ ଔଷଧ ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ନିଗମକୁ ଯେକୌଣସି ସାଲାଇନ୍ ଆସିଲେ ତାକୁ ପ୍ରଥମେ ପରୀକ୍ଷା କଲା ପରେ ରୋଗୀମାନଙ୍କୁ ଦିଆଯାଇଥାଏ । ନିଗମକୁ ଆସୁଥିବା ସାଲାଇନର ପରୀକ୍ଷା ବେଳେ ଯଦି ୨ରୁ ଅଧିକ ବ୍ୟାଚର ଔଷଧ ନିମ୍ନମାନର ବୋଲି ସ୍ପଷ୍ଟ ହୁଏ ତେବେ ଏହାକୁ କଳା ତାଲିକାଭୁକ୍ତ କରିବା ନେଇ ନିୟମ ରହିଛି । ଏହି ଆଧାରରେ ଗୁଜୁରାଟର ସଂପୃକ୍ତ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି ।

Leave A Reply

Your email address will not be published.