Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯୬: ଜୀଵ କି ପ୍ରକାର କର୍ମ ବା ଜ୍ଞାନ ଦ୍ୱାରା ଆତ୍ମପ୍ରସାଦ ଲାଭ କରିପାରିବ ?

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ପରମ ଜ୍ଞାନୀ ଓ ବ୍ୟାଖ୍ୟାକାର ଶ୍ରୀ ସୂତ ମହାମୁନି ଆଜି ଅତ୍ୟନ୍ତ ଚିନ୍ତାଶୀଳ ହୋଇପଡିଛନ୍ତି, କାରଣ ନୈମିଷାରଣ୍ୟରେ ଶୌନକ ଆଦି ଋଷି ମାନେ ତାଙ୍କୁ ଏକ ଉତ୍କୃଷ୍ଟ ପ୍ରଶ୍ନ ପଚାରିଛନ୍ତି, ଯଥା ଜୀଵର ଏକମାତ୍ର ଶ୍ରେୟ ବା ଯଥାର୍ଥ କଲ୍ୟାଣ କାହାକୁ କୁହାଯାଏ। ମନେ ମନେ ଅନେଜ ତାତ୍ୱିକ ବିସ୍ଲେସଣ କରିବା ପରେ ମଧ୍ୟ ଏକ ସଠିକ ଉତ୍ତର ତାଙ୍କ ମନକୁ ଆସୁନି। ଏଣେ ତାଙ୍କ ମୌନତା ଦେଖି ଶୌନକ ଋଷି ହଠାତ ଆଉ ଏକ ପ୍ରଶ୍ନ ପଚାରିବାକୁ ସ୍ଥିର କଲେ।

“ଭୁରୀଣି ଭୁରି ଶସ୍ତ୍ରାଣି ଶ୍ରୋତବ୍ୟାନି ବିଭାଗଶଃ, ଅତଃ ସାଧୋଅତ୍ର ଯତ ସାରଂ ସମୃଦ୍ଧୃତ୍ୟ ମନୀଷୟା, ବୃହି ନଃ ଶ୍ରଦ୍ଧଧାନାନାଂ ଯେନାତ୍ମା ସଂପ୍ରସୀଦତି।।” ଅର୍ଥାତ ହେ ସୂତ ତୁମେ ଭୁରି ଭୁରି ଶାସ୍ତ୍ର ଶ୍ରବଣ କରିଛ ଓ ଶାସ୍ତ୍ର ଅନୁମୋଦିତ କର୍ମ କରୁଛ ତୁମକୁ ମଧ୍ୟ ସକଳ ଶାସ୍ତ୍ରର ସାର ମର୍ମ ଜଣାଅଛି ତେବେ ଦୟାକରି କୁହନ୍ତୁ ଜୀଵ କି ପ୍ରକାର କର୍ମ ବା ଜ୍ଞାନ ଦ୍ୱାରା ଆତ୍ମପ୍ରସାଦ ଲାଭ କରିପାରିବ। ଶ୍ରୀ ସୂତ ମହାମୁନି ପୁଣି ଚିନ୍ତା କରୁଛନ୍ତି ଏହି ପ୍ରଶ୍ନଟି ମଧ୍ୟ ପ୍ରଥମ ପ୍ରଶ୍ନର ଅନୁରୂପ ପ୍ରଶ୍ନ, ନିଶ୍ଚିତ ଭାବରେ ଯେଉଁ କର୍ମ ବା ଜ୍ଞାନ ଦ୍ୱାରା ଜଗତ କଲ୍ୟାଣ ହୁଏ ତାହାହିଁ ଜୀଵଙ୍କୁ ଆତ୍ମପ୍ରସାଦ ଦେବ।

ଜୀବର କର୍ମ ଏପରି ହେବା ଆବଶ୍ୟକ ଯାହା ଜଗତରେ ଧର୍ମ ରକ୍ଷା କରି ପାରିବ କାରଣ କଳିଯୁଗରେ ମଣିଷ ମାନେ ବିଷୟ ବାସନା ପ୍ରତି ଅତ୍ୟଧିକ ଆକୃଷ୍ଟ ହେଉଛନ୍ତି, କିନ୍ତୁ ଧର୍ମ ପାଳନ ପାଇଁ ସେମାନଙ୍କ ପାଖରେ ସାହସ ସହିଷ୍ଣୁତା ତଥା ଉଦ୍ୟମର ଅଭାବ ପରୀଲିଖିତ ହେଉଛି। ଆଉ ଉପଯୁକ୍ତ ଆତ୍ମ ଜ୍ଞାନର ଅଭାବ ମଧ୍ୟ ପ୍ରାଣୀଙ୍କୁ ପତନଗାମୀ କରୁଛି। ଶ୍ରୀ ସୂତ ମହାମୁନି ତଥାପି ନିରବ, ଭାବୁଛନ୍ତି ଉଭୟ ଶ୍ରୀକୃଷ୍ଣ ଓ ଶ୍ରୀବଳରାମ ଠାକୁରଙ୍କ ଲୀଳାମୃତ ଶୁଣାଇ ଏହାର ଉତ୍ତର ଖୋଜିବାକୁ କହିବେ କି? କିନ୍ତୁ ମନ କହୁଛି ଶହ ଶହ ବର୍ଷ ହେଲା ମୁଁ ନିଜେ ଏହି ଲୀଳାମୃତ ଶ୍ରବଣ କରିଛି ଓ ଶ୍ରବଣ କରାଉଛି ମଧ୍ୟ କିନ୍ତୁ ଚରମ ଆତ୍ମପ୍ରସାଦ ନିଜେ ବି ପାଇନି। କାରଣ ଏହା ଏପରି ରସ ଯୁକ୍ତ ହୋଇଛି ଯେ ଏହାକୁ ଆହୁରି ପାନ କରିବାକୁ ବା ଶ୍ରବଣ କରିବାକୁ ଇଚ୍ଛା ହେଉଛି।

ସହଜେ ତ ମଣିଷ ସାଂସାରିକ ବନ୍ଧନରେ ବାନ୍ଧି ହୋଇ ରହିଛି, ସାଂସାରିକ ସୁଖ କ୍ଷଣିକ ଜାଣି ବି ସେହି ସୁଖ ଟିକିଏ ଅସ୍ୱାଦନ କରିବା ପାଇଁ ଅହରହ ଚେଷ୍ଟିତ ତେଣୁ ପ୍ରଭୁଙ୍କର ଅମୀୟ ରସ ଅସ୍ୱାଦନର ଚରମ ସୁଖକୁ ସେମାନେ ବା ଉପଲବ୍ଧି କରିବେ କିପରି? କାଳ ଉପରେ ମହାକାଳ, ମୃତ୍ୟୁ ଉପରେ ମହାମୃତ୍ୟୁ ଓ ଭୟ ଉପରେ ମହା ଭୟ ସ୍ୱରୂପ ପରମ ପୁରୁଷଙ୍କୁ ଜ୍ଞାନୀ ମୁନି ଋଷି ମାନେ ଆଜି ପର୍ଯ୍ୟନ୍ତ ବୁଝି ପାରୁନାହାନ୍ତି, ସାଧାରଣ ଅଜ୍ଞାନୀ ମଣିଷ ପାଇଁ ସେହି ପରମାତ୍ମା ତତ୍ୱ ବିଶେଷ ଉପଯୋଗୀ ହେବ ନାହିଁ ସେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ ସିନା ଆତ୍ମପ୍ରସାଦ ପାଇବ ନାହିଁ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-95-what-is-the-ultimate-and-most-effective-tool-for-the-welfare-of-society/

ତେବେ କଣ ଦେବେ ଏହାର ଉତ୍ତର? ମହାଜ୍ଞାନୀ ସୂତ ମୁନି ଏଵେ ବି ନିରୁତ୍ତର। ନିରୀକ୍ଷଣ କରୁଛନ୍ତି ସମସ୍ତ ଋଷି ମାନଙ୍କ ମୁଖକୁ, ଦେଖୁଛନ୍ତି ସମସ୍ତ ଋଷି ମାନଙ୍କ ମୁହଁରେ ଜିଜ୍ଞାସାର ଚି଼ହ୍ନ। ଶୌନକ ଇତସ୍ତତ ହେଉଛନ୍ତି ଅନେକ ପ୍ରଶ୍ନକୁ ମନରେ ଧରି, ଇଙ୍ଗିତ କଲେ ସୂତ ମହାମୁନି ପୁଣି କିଛି ପ୍ରଶ୍ନ ପାଇଁ, ସେହି ଇଙ୍ଗିତକୁ ବୁଝି ପାରି ଶୌନକ ପଚାରୁଛନ୍ତି ତୃତୀୟ ପ୍ରଶ୍ନ, କଣ ସେ ପ୍ରଶ୍ନ, ଜାଣିବା ଆଗାମୀ ଅଧ୍ୟାୟ ରେ ଏବେ କରିବା ଭାଗବତର ମନନ ଯଥା
ବୋଲ ଯେ ସର୍ବଧର୍ମ ତେଜ।
ନିଶ୍ଚଳେ ମୋର ପାଦେ ଭଜ।।
ଏ ସର୍ବ ତୁମ୍ଭର ଗୋଚର।
ଭକତି ବିନୁ ନାହିଁ ସାର।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.