ଜେରୁଜେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ସଞ୍ଜ ଆଡ଼କୁ ତାଙ୍କୁ ଜେରୁଜେଲମ ସ୍ଥିତ ହଦାସା ଏନ୍ କେରେମ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏକ ଜରୁରୀ ଦାନ୍ତ ଚିକିତ୍ସା ପାଇଁ ସେ ହସ୍ପିଟାଲ ଆସିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।
ସ୍ଥାନୀୟ ଗଣମାଧ୍ୟମରେ ନେତାନ୍ୟାହୁ ହସ୍ପିଟାଲ ଯିବା ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ୭୬ ବର୍ଷୀୟ ନେତାନ୍ୟାହୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗତ କିଛି ଦିନ ହେବ ଇସ୍ରାଏଲ ଜନସାଧାରଣ ଓ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। ଏହି କାରଣରୁ ତାଙ୍କର ହସ୍ପିଟାଲ ଯିବା ଖବର ସାମ୍ନାକୁ ଆସିବା ମାତ୍ରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଥିଲା।
ବାସ୍ତବରେ ନିକଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରୋଷ୍ଟେଟ କ୍ୟାନ୍ସରରେ ପୀଡ଼ିତ ଥିବା ଏବଂ ଏହାର ସଫଳ ଚିକିତ୍ସା ସରିଥିବା କଥା ସ୍ୱୀକାର କରିଥିଲେ। ତେବେ ଶତ୍ରୁ ଦେଶ ଇରାନ ଏହି ସୂଚନାର ଅପବ୍ୟବହାର କରି ଅପପ୍ରଚାର କରିପାରେ ବୋଲି ଆଶଙ୍କା କରି ସେ ପୂର୍ବରୁ ଏହି ଖବରକୁ ଗୋପନ ରଖିଥିଲେ। ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଲୁଚାଯାଉଥିବାରୁ ସେଠାକାର ବିରୋଧୀ ଦଳ ଏବଂ ସାଧାରଣ ଜନତା ସରକାରଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପୂର୍ବରୁ ମଧ୍ୟ ଦେଖାଦେଇଛି। ୨୦୨୩ ଜୁଲାଇ ମାସରେ ତାଙ୍କ ଶରୀରରେ ଏକ ପେସମେକର ବସାଯାଇଥିଲା। ଏହାପରେ ୨୦୨୪ ମାର୍ଚ୍ଚରେ ହାର୍ନିଆ ଏବଂ ଡିସେମ୍ବର ମାସରେ ପ୍ରୋଷ୍ଟେଟ ଅସ୍ତ୍ରୋପଚାର କରାଯାଇଥିଲା। ଏହି ସବୁ ପରିସ୍ଥିତିକୁ ଦେଖି ଚିକିତ୍ସାଧୀନ ଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏବେ ସାରା ଦେଶର ନଜର ରହିଛି।