Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁକୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଥିବା ଜୋରଦାର ତଦନ୍ତ ଓ ଚଢ଼ାଉ ପରେ ଏହି ମାମଲାରେ ସମୁଦାୟ ଗିରଫ ସଂଖ୍ୟା ଏବେ ୧୬ରେ ପହଞ୍ଚିଛି।

 

ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଏକ ବାଉଁଶ ସାହାଯ୍ୟରେ ସୌମ୍ୟରଞ୍ଜନଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ନିର୍ମମ ଭାବେ ଆକ୍ରମଣ କରିଥିଲା। ଏହାପରେ ତାଙ୍କର ହାତ ଓ ଗୋଡ଼କୁ ବାଉଁଶ ସାହାଯ୍ୟରେ ବାନ୍ଧି ଦିଆଯାଇଥିଲା। ପୂର୍ବରୁ ସ୍ଥାନୀୟ ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଦାୟିତ୍ୱ ନେବା ପରେ ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।

 

କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଅନୁସାରେ, ଏହି ସେନ୍ସେସନାଲ ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଛି। ହିଂସାକାଣ୍ଡରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ବାକି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚର ବିଭିନ୍ନ ଟିମ୍ ପକ୍ଷରୁ ଏବେ ମଧ୍ୟ ଚଢ଼ାଉ ଜାରି ରହିଛି ଏବଂ ଆଗକୁ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ।

 

ହତ୍ୟାକାଣ୍ଡର କିଛି ଦିନ ପରେ ସୌମ୍ୟରଞ୍ଜନଙ୍କ ଜିମ୍ ସେଣ୍ଟରକୁ ପୁଣିଥରେ ଖୋଲାଯାଇ ସୌମ୍ୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସୌମ୍ୟ ଜଣେ ଅତ୍ୟନ୍ତ ଭଦ୍ର ଏବଂ ମେଳାପୀ ମଣିଷ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ବର୍ବର ଘଟଣାକୁ ନେଇ ମୃତକଙ୍କ ମା’ ଗଭୀର ଦୁଃଖ ପ୍ରକାଶ କରିବା ସହ “ମୋ ପୁଅର ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ମିଳୁ” ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.