ନୂଆଦିଲ୍ଲୀ ; ଆଧାର କାର୍ଡକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ଦ୍ୱନ୍ଦ୍ୱ ରହିଥାଏ ଯେ ଏହା କେଉଁ ଜିନିଷର ପ୍ରମାଣ ଦେଇଥାଏ ଓ କେଉଁଟିର ନୁହେଁ। କେଉଁଠାରେ ଏହା ବ୍ୟବହାର କରାଯାଇପାରିବ ଓ କେଉଁଠାରେ ନୁହେଁ। ଆଧାର ଏକ ଏମିତି ଡକ୍ୟୁମେଣ୍ଟ ଯାହା ଭାରତର ପ୍ରତ୍ୟେକ ନାଗରିକ ପାଇଁ ଏବେ ଜରୁରୀ ହୋଇପଡ଼ିଛି। କିନ୍ତୁ ସରକାର ଏହାକୁ ସମସ୍ତ କ୍ଷେତ୍ରରେ ବ୍ୟବହାର ପାଇଁ ଗ୍ରହଣ କରୁନାହାନ୍ତି। କେତେକ ନିର୍ଦ୍ଦିଷ୍ଟ କାମରେ ଏହାକୁ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇପାରେ। ଆମେ ଆପଣଙ୍କୁ କହିବୁ ଯେ ଆଧାର କାର୍ଡ କେଉଁ ଜିନିଷକୁ ପ୍ରମାଣିତ କରେ ଓ କେଉଁଟିକୁ ନୁହେଁ। ଏହାକୁ କେଉଁ କାମରେ ଗ୍ରହଣ କରାଯାଏ ଓ କେଉଁଠାରେ ନୁହେଁ। ଆଧାର କେବଳ ଏକ ପରିଚୟ ଡକ୍ୟୁମେଣ୍ଟ ନୁହେଁ, ବରଂ ଭାରତର ପ୍ରଶାସନିକ ଢାଞ୍ଚାରେ ସବୁଠାରୁ ବଡ଼ ଡିଜିଟାଲ ପରିଚୟ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ।
ଆଧାରର ଆରମ୍ଭ
୨୮ ଜାନୁଆରୀ ୨୦୦୯ରେ ତତ୍କାଳୀନ UPA ସରକାର ଯୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI)ର ଗଠନ କରିଥିଲେ। ଏହାର ଦାୟିତ୍ୱ ନନ୍ଦନ ନୀଲେକଣୀଙ୍କୁ ଦିଆଯାଇଥିଲା। ଡିଜିଟାଲ ଯୁନିକ୍ ପରିଚୟ ସଂଖ୍ୟାର ଆଇଡିଆ ନନ୍ଦନ ନୀଲେକଣୀ ଓ ତାଙ୍କ ଟିମ୍ ସରକାରଙ୍କୁ ଦେଇଥିଲେ। ସେମାନେ ହିଁ ଏହାର ଡିଜିଟାଲ କେୱାଇସି, ବାୟୋମେଟ୍ରିକ୍ସ ଓ ଅନଲାଇନ୍ ଭେରିଫିକେସନ୍ ସହିତ ଡିଜାଇନ୍ ତିଆରି କରିଥିଲେ। UIDAIର ପ୍ରୋଜେକ୍ଟର ପ୍ରାରମ୍ଭିକ ନାମ ଥିଲା ‘UID Project’ କିମ୍ବା ‘Unique Identification Number’। ଏହି କାର୍ଡର ନାମ ‘ଆଧାର’ ରଖିବାର ପ୍ରସ୍ତାବ ତତ୍କାଳୀନ UIDAI ମୁଖ୍ୟ ନନ୍ଦନ ନୀଲେକଣୀ ଓ ତାଙ୍କ କୋର ଟିମ୍ଙ୍କଠାରୁ ଆସିଥିଲା। ‘ଆଧାର’ ନାମଟି ଯୋଜନା ଆୟୋଗ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅନୁବୋଦନ ସହିତ ଚୂଡ଼ାନ୍ତ ହୋଇଥିଲା। ‘ଆଧାର’ର ଅର୍ଥ ହେଉଛି ଯାହା ଉପରେ ପ୍ରତ୍ୟେକ ନାଗରିକର ପରିଚୟ ସ୍ଥାପନ ହେବ।
ପ୍ରଥମ ଆଧାର କାହାକୁ ଜାରି ହେଲା?
୨୯ ସେପ୍ଟେମ୍ବର ୨୦୧୦ରେ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ରଞ୍ଜନା ସୋନାୱଣେ ନାମକ ଜଣେ ମହିଳାଙ୍କୁ ପ୍ରଥମ ଆଧାର ନମ୍ବର ଜାରି ହୋଇଥିଲା। ଏବେ ଦେଶରେ ୧୪୦ କୋଟିରୁ ଅଧିକ ଆଧାର ଜାରି ହୋଇସାରିଛି, ଯାହା ପ୍ରାୟ ଭାରତର ସମ୍ପୂର୍ଣ୍ଣ ଜନସଂଖ୍ୟାକୁ କଭର କରୁଛି।
ଆଧାର କାହିଁକି ତିଆରି ହେଲା?
ସରକାର ଆଧାର ଆରମ୍ଭ କରିବା ସମୟରେ ଏହାର ପଛରେ ଅନେକ ବଡ଼ ଉଦ୍ଦେଶ୍ୟ ଥିଲା:
- ସମସ୍ତ ଭାରତୀୟ ବାସୀଙ୍କୁ ଏକ ଅଦ୍ୱିତୀୟ ଡିଜିଟାଲ ପରିଚୟ ପ୍ରଦାନ କରିବା, ଯାହା ଦ୍ୱାରା କୌଣସି ବ୍ୟକ୍ତି ପରିଚୟ ଡକ୍ୟୁମେଣ୍ଟର ଅଭାବ ହେତୁ ସରକାରୀ ସେବାରୁ ବଞ୍ଚିତ ନ ହୁଅନ୍ତି।
- ସରକାରୀ ଯୋଜନାରେ ମିଛ ଲାଭାର୍ଥୀଙ୍କୁ ରୋକିବା।
- ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) ମାଧ୍ୟମରେ ଆଧାର ଲିଙ୍କ ବ୍ୟାଙ୍କ ଖାତାକୁ ସବସିଡି, ସ୍କଲାରସିପ୍, ପେନସନ୍, ଗ୍ୟାସ ସବସିଡି ଆଦି ସିଧାସଳଖ ପଠାଇବା, ଯାହା ଦ୍ୱାରା ବିଚୋଳିଆ ଓ ଦୁର୍ନୀତିକୁ ରୋକାଯାଇପାରିବ।
- ଆଧୁନିକ ଓ ସଠିକ ଜନସାଂଖ୍ୟିକୀୟ ତଥ୍ୟ ତିଆରି କରିବା, ଯାହା ସରକାର ସଠିକ ଆଙ୍କଡ଼ା ଆଧାରରେ ଯୋଜନା ଗଢ଼ିପାରିବ।
ଆଧାର ଏକ ଶକ୍ତିଶାଳୀ ଡିଜିଟାଲ ପରିଚୟ ପ୍ଲାଟଫର୍ମ ହୋଇପାରିଛି, କିନ୍ତୁ ଡେଟା ସୁରକ୍ଷା ଓ ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଏହାକୁ ଆହୁରି ମଜବୁତ କରିବା ଆବଶ୍ୟକ। ଆଧାର କେଉଁ ଜିନିଷକୁ ସତ୍ୟାପନ କରେ?
ଆଧାର କାର୍ଡ କେବଳ ଦୁଇଟି ଜିନିଷର ପ୍ରମାଣୀକରଣ କରେ:
- ବ୍ୟକ୍ତିର ପରିଚୟ: ଅର୍ଥାତ୍ ଆପଣଙ୍କ ନାମ, ଫଟୋ ଓ ବାୟୋମେଟ୍ରିକ୍ (ଆଙ୍ଗୁଠି ଚିହ୍ନ ଓ ଆଖି ସ୍କାନ)।
- ଆପଣଙ୍କ ନିବାସ: ଯେଉଁ ଠିକଣା ଆପଣ UIDAIକୁ ଡକ୍ୟୁମେଣ୍ଟ ସହ ଦେଇଥିଲେ।
ଏହା କେବଳ ଏତିକି କହେ ଯେ ଏହି ବ୍ୟକ୍ତି ଏହି ନାମ ଓ ଠିକଣା ସହିତ UIDAIର ରେକର୍ଡରେ ନଥିଭୁକ୍ତ ଅଛନ୍ତି ଏବଂ ତାଙ୍କ ବାୟୋମେଟ୍ରିକ୍ ସହ ଏହାର ମିଳନ ହୋଇପାରେ।
Comments are closed.