ପୁରୀ: ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ। ଗତକାଲି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଥିଲା। କୋଠାବାଡ଼ ପଞ୍ଚାୟତର ବଡ଼ ଅଂକୁଲା ଗ୍ରାମରେ ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମରୁ ସାମ୍ପୁଲ ଜଣାପଡିବା ପରେ କିଲିଂ କରାଯାଇଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବା ପରେ ୪ ଜଣିଆ ୭ଟି ରାପିଡ ରେସ୍ପନ୍ସ ଦଳ ଗଠନ କରାଯାଇ ବେନୁପଡ଼ାର ରୀତା ରାୟଙ୍କ ଫାର୍ମରୁ ୩ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯାଇ ପୋତାଯାଇଥିଲା।
ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିବା ଖବରପାଇ ରବିବାର ସନ୍ଧ୍ୟାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଡେଲାଙ୍ଗ ଗସ୍ତରେ ଆସିଥିଲେ। ଏନେଇ ସ୍ଥିତି ସମୀକ୍ଷା କଲେ। ରୀତାଙ୍କ ସ୍ୱାମୀ ଅମିୟ ରାୟଙ୍କ ସହିତ କୁକୁଡ଼ାମଡ଼କ ସମ୍ପର୍କରେ ଆଲୋଚନା କରିଥିଲେ। ନିୟମାବଳୀ ମୁତାବକ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ଓ ପକ୍ଷୀ ଜାତୀୟ ପ୍ରାଣୀ, ଦାନା ବାହାରକୁ ଯିବାପାଇଁ ବାରଣ କରାଯାଇଛି। ଜିଲା ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ବିବରଣୀ ମୁତାବକ ପଡ଼ୋଶୀ ବ୍ଲକ ତଥା ଅନ୍ୟ ଅଞ୍ଚଳଗୁଡ଼ିକୁ ଯେପରି ଏହି ସଂକ୍ରମଣ ନ ବ୍ୟାପିବ ସେଥିପାଇଁ ଫାର୍ମଗୁଡ଼ିକୁ ବିଶୋଧନ କରାଯିବା ସହିତ ଚାଷୀଙ୍କୁ ସଚେତନ କରାଯାଉଛି।
Comments are closed.