Latest Odisha News

BREAKING NEWS

ଆମେରିକା ଯିବା ପାଇଁ ବ୍ୟାଙ୍କ ବାଲାନ୍ସ କେତେ ରହିବା ଆବଶ୍ୟକ, ଭିସା ମିଳିବା ପୂର୍ବରୁ ଚେକ୍‌ ହୋଇଥାଏ କି ଆପଣଙ୍କ ସାଲେରି?

ନୂଆଦିଲ୍ଲୀ: ଆମେରିକାକୁ ପାଠପଢ଼ା, ଚାକିରି କିମ୍ବା ବୁଲିବା ପାଇଁ ଯାଉଥିବା ଲୋକଙ୍କ ମନରେ ପ୍ରାୟତଃ ଏକ ପ୍ରଶ୍ନ ଉଠିଥାଏ ଯେ ଭିସା ଇଣ୍ଟରଭ୍ୟୁ ସମୟରେ ବ୍ୟାଙ୍କ ବାଲାନ୍ସ କେତେ ହେବା ଆବଶ୍ୟକ? ବେତନ ମଧ୍ୟ ଯାଞ୍ଚ କରାଯାଏ କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସମ୍ପୂର୍ଣ୍ଣ ରୂପେ ନିର୍ଭର କରେ ଆପଣ କେଉଁ ପ୍ରକାରର ଭିସା ପାଇଁ ଆବେଦନ କରୁଛନ୍ତି ତା’ ଉପରେ। ଆମେରିକାର ଭିସା ସିଷ୍ଟମରେ ବିଭିନ୍ନ ଶ୍ରେଣୀ ପାଇଁ ବ୍ୟାଙ୍କ ବାଲାନ୍ସ ଓ ଆୟର ପ୍ରମାଣ ସମ୍ବନ୍ଧୀୟ ଆବଶ୍ୟକତା ଅଲଗା ଅଲଗା। ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବୁ।

F-1 ଷ୍ଟୁଡେଣ୍ଟ ଭିସା ପାଇଁ କେତେ ବ୍ୟାଙ୍କ ବାଲାନ୍ସ ଆବଶ୍ୟକ?
ଯଦି କୌଣସି ଛାତ୍ର ଆମେରିକାରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ଆବେଦନ କରୁଛନ୍ତି, ଅର୍ଥାତ୍ F-1 ଷ୍ଟୁଡେଣ୍ଟ ଭିସା ପାଇଁ, ତେବେ ତାଙ୍କୁ ପ୍ରଥମେ ପ୍ରମାଣ କରିବାକୁ ହେବ ଯେ ସେ କୋର୍ସର ଫିସ ଏବଂ ପୂରା ବର୍ଷର ରହଣି ଓ ଖାଦ୍ୟ ଖର୍ଚ୍ଚ ବହନ କରିବାରେ ସକ୍ଷମ। ଏଥିପାଇଁ ସାଧାରଣତଃ ୨୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା (ପ୍ରାୟ ୨୫,୦୦୦ରୁ ୩୫,୦୦୦ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ବ୍ୟାଙ୍କ ବାଲାନ୍ସ ଆବଶ୍ୟକ ରହିଥାଏ। ଭିସା ଅଫିସର ଗତ ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ଫିକ୍ସଡ୍ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ କିମ୍ବା ଅନ୍ୟାନ୍ୟ ସେଭିଂସ ଡକ୍ୟୁମେଣ୍ଟ ଦେଖିପାରନ୍ତି। ଯଦି ଛାତ୍ରଙ୍କ ପାଠପଢ଼ାର ଖର୍ଚ ତାଙ୍କ ମାତାପିତା କିମ୍ବା କୌଣସି ଆତ୍ମୀୟ ବହନ କରୁଛନ୍ତି, ତେବେ ସେମାନଙ୍କର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଓ ବେତନ ସ୍ଲିପ୍ ମଧ୍ୟ ଆବଶ୍ୟକ ହେବ।

 B-1/B-2 ଭିସା ପାଇଁ କ’ଣ ଆବଶ୍ୟକ?
ପର୍ଯ୍ୟଟନ କିମ୍ବା ପାରିବାରିକ ଯାତ୍ରା ପାଇଁ B-1/B-2 ଭିସା ନେଉଥିବା ଆବେଦନକାରୀଙ୍କୁ ପ୍ରମାଣ କରିବାକୁ ହେବ ଯେ ସେମାନଙ୍କ ପାଖରେ ଯାତ୍ରା, ହୋଟେଲ ଓ ଅନ୍ୟାନ୍ୟ ଖର୍ଚ ବହନ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ରହିଛି। ଏହି ଶ୍ରେଣୀରେ ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ବାଲାନ୍ସ ଯଥେଷ୍ଟ ହୋଇଥାଏ, କିନ୍ତୁ ବେତନର ଯାଞ୍ଚ ଆବଶ୍ୟକ ନୁହେଁ। ତେବେ, ଚାକିରିଜୀବୀ ଲୋକଙ୍କ କ୍ଷେତ୍ରରେ ଭିସା ଅଫିସର କେତେକ ସମୟରେ ଗତ କିଛି ମାସର ବେତନ ସ୍ଲିପ୍ କିମ୍ବା ନିଯୁକ୍ତିଦାତାଙ୍କଠାରୁ ଅନାପତ୍ତି ପ୍ରମାଣପତ୍ର (NOC) ମାଗିପାରନ୍ତି।

Comments are closed.